ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ଟିକା ପାଇଁ ଧାଡ଼ିରେ ଚପଲ

ଟିକାଦାନ କ୍ଷମତା ବଢ଼ାଇବା ଓ ଛାମୁଣ୍ଡିଆ ବ୍ୟବସ୍ଥା କରିବାକୁ ଦାବି

ଚନ୍ଦ୍ରଶେଖରପୁର : ଟିକାକରଣକୁ କେନ୍ଦ୍ର କରି ଶନିବାର ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟାଣ ଖରାରୁ ବର୍ତ୍ତିବା ପାଇଁ ଲୋକେ ଧାଡ଼ିରେ ଚପଲ ରଖି ନିଜେ ଗଛମୂଳରେ ଆଶ୍ରୟ ନେଇଥିଲେ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଶହଶହ ଚପଲ ଧାଡ଼ିରେ ଥୁଆ ହୋଇଥିଲା। ତେବେ ଗୋଟିଏ ଜାଗାରେ ବହୁ ଲୋକ ଜମା ହେବାରୁ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇପାରି ନଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଏଭଳି ଅବ୍ୟବସ୍ଥାର ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ବିଏମ୍‌ସିର ଅଧିକାରୀମାନେ ସେଠାରେ ପହଞ୍ଚି ଟିକାଦାନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଇଥିଲେ।

ସୂଚନା ଅନୁଯାୟୀ, ବିଏମ୍‌ସିର ଘୋଷଣା ମୁତାବକ, ବିନା ସ୍ଲଟ୍‌ ବୁକିଂରେ ଟିକା ମିଳିବାର ଆଜି ଶେଷ ତାରିଖ ଥିଲା। ଏହି ପ୍ରକ୍ରିୟା ଆଗକୁ ଜାରି ରହିବ କି ନାହିଁ, ସେ ନେଇ ବିଏମ୍‌ସି ପକ୍ଷରୁ କିଛି ଘୋଷଣା କରାଯାଇ ନଥିବାରୁ ଆଜି ଭୋର୍‌ ପ୍ରାୟ ୫ଟାରୁ ହସ୍ପିଟାଲ ସାମ୍ନାରେ ଶହଶହ ସଂଖ୍ୟାରେ ଲୋକ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଟିକାଦାନ କେନ୍ଦ୍ର ଖୋଲିବା ପରେ ଶାନ୍ତିଶୃଙ୍ଖଳାର ସହ ଜଣଙ୍କ ପରେ ଜଣେ ଲୋକ ଟିକା ନେଇଥିଲେ। କିନ୍ତୁ ଦିନ ପ୍ରାୟ ୧୦ଟା ବେଳକୁ ପ୍ରଚଣ୍ଡ ଖରା ହେବାରୁ ଏବଂ ହସ୍ପିଟାଲ ପକ୍ଷରୁ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇ ନଥିବାରୁ ଲୋକେ ଆପୋଷ ବୁଝାମଣା ଭିତରେ ଧାଡ଼ିରେ ଚପଲ ଛାଡ଼ି ଦେଇ ନିକଟରେ ଥିବା ଗଛ ମୂଳ‌ରେ ନିଜ ପାଳି ପାଇଁ ଅପେକ୍ଷା କରି ରହିଥିଲେ। ହସ୍ପିଟାଲର ଜଣେ ଅଧିକାରୀ ବିଜୟ କୁମାର ଧଳ ଲୋକମାନଙ୍କୁ ଗହଳି ନ କରିବା ପାଇଁ ବୁଝାସୁଝା କରିଥିଲେ ହେଁ କେହି ଶୁଣିନଥିଲେ।

ଲୋକମାନଙ୍କ କହିବା କଥା, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପାଞ୍ଚଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ କରିବା ଜାଣି ନାହାନ୍ତି। ତେବେ ଗତ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବିନା ବୁକିଂରେ ଟିକା ଦିଆଯାଉଥିବା ଖବର ପାଇବା ପରେ ସେମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଖାଲି ଆଧାରକାର୍ଡ ଧରି ଚାଲି ଆସୁଛନ୍ତି। କିନ୍ତୁ ଏତେ ସଂଖ୍ୟକ ଲୋକଙ୍କୁ ଟିକା ଦେବା ପାଇଁ ସେହି ତୁଳନାରେ ହସ୍ପିଟାଲ ପକ୍ଷରୁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ହୋଇ ନଥିବାରୁ ଅବ୍ୟବସ୍ଥା ଦେଖାଦେଉଛି। ଟିକା ନେବା ପାଇଁ ବଡ଼ି ଭୋର୍‌ରୁ ଲୋକେ ହସ୍ପିଟାଲ ଆଗରେ ଧାଡ଼ି ବାନ୍ଧି ବସୁଛନ୍ତି। ଏହାଦ୍ବାରା ଗହଳି ହେବା ସହ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ହେଉଥିବାର ପରିଲକ୍ଷିତ ହେଉଛି। ତେଣୁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିକାଦାନ କ୍ଷମତା ବଢ଼ାଇବା ସହ ଟାଣ ଖରାରୁ ବର୍ତ୍ତିବା ପାଇଁ ଛାମୁଣ୍ଡିଆର ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର