ଟିକାଦାନ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା: ଟିକା ନ ମିଳିବାରୁ ଠେଲାପେଲା, ଉତ୍ତେଜନା

ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଫେରିଲେ ଲୋକ

ଭୁବନେଶ୍ୱର/ବାଲିପାଟଣା : ଟିକାକରଣକୁ କେନ୍ଦ୍ର କରି ଆଜି ରାଜଧାନୀ ଓ ଉପକଣ୍ଠର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର‌‌ରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଧୁ’ ଧୁ’ ଖରାରେ ୪୫ ବର୍ଷରୁ ଊର୍ଧ୍ବ ଓ ବରିଷ୍ଠ ନାଗରିକମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ପରେ ମଧ୍ୟ ଟିକା ନ ମିଳିବାରୁ ଅଧାରୁ ଅଧିକ ଅସନ୍ତୁଷ୍ଟ ହୋଇ ଫେରି ଯାଇଛନ୍ତି। ଏପରିକି କିଛି ସ୍ଥାନରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ, ଠେଲାପେଲା ହୋଇଥିବାର ମଧ୍ୟ ଦେଖାଯାଇଥିଲା। ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସ ସହାୟତାରେ ଟିକାକରଣ କରାଇଥିଲେ। ଶାନ୍ତିଶୃଙ୍ଖଳାର ସହ ଟିକାକରଣ ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ବାରମ୍ବାର ଏପରି ପରିସ୍ଥିତି ଉପୁଜୁଛି ବୋଲି କିଛି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।

କରୋନାର ଦ୍ବିତୀୟ ଲହର‌ରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏବେ ଟିକା ପାଇଁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଦେଖାଦେଇଛି। କିନ୍ତୁ ପରିଚାଳନା ଅଭାବରୁ ଏବେ ଅନେକ ସ୍ଥାନରେ ଉତ୍ତେଜନା ଦେଖାଯାଉଛି। ଏହା ସାଙ୍ଗକୁ ରାଜ୍ୟ‌ରେ ଟିକା ସଂକଟ, ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ମେ’ ୧ରୁ ୧୮ବର୍ଷରୁ ଊର୍ଧ୍ବ ଯୁବକଙ୍କୁ ଟିକାକରଣ କରାଯିବା ଆଦି ପ୍ରସଙ୍ଗ ଯୋଗୁଁ ଲୋକଙ୍କ ମଧ୍ୟ‌ରେ ଛନକା ପଶି ଯାଇଛି। ଆଗକୁ ଟିକା ମିଳିବ କି ନାହିଁ, ସେଇ ଆଶଙ୍କାରେ ବହୁ ଲୋକ ଏବେ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାଡ଼ି ବାନ୍ଧୁଛନ୍ତି। ତେଣୁ ସରକାର ଏନେଇ ଲୋକଙ୍କୁ କୌଣସି ସ୍ପଷ୍ଟ ଚିତ୍ର ନ ଦେଲେ ଆଗକୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ସେମାନେ କହିଛନ୍ତି।

ସୂଚନାନୁଯାୟୀ, ପୁରୁଣା ଭୁବନେଶ୍ୱର ଲିଙ୍ଗରାଜନଗରସ୍ଥିତ ବିଏମ୍‌ସି ହସ୍ପିଟାଲ, ୪ ନମ୍ବର ହସ୍ପିଟାଲ, ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ଛୋଟବଡ଼ ସ୍ବାସ୍ଥ୍ୟକେନ୍ଦ୍ର‌ରେ ଟିକାକରଣକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ବିଏମ୍‌ସି ଡାକ୍ତରଖାନା ପରିସରରେ ପ୍ରତିଦିନ ୧୦୦ଜଣ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍‌ ଓ ୧୦୦ଜଣ ଦ୍ବିତୀୟ ଡୋଜ୍ ଦିଆଯିବାର ବ୍ୟବସ୍ଥା ହୋଇଛି। ସେଥିମଧ୍ୟରୁ ଅନ୍‌ଲାଇନ୍‌‌ ଓ ଅଫ୍‌ଲାଇନ୍‌ରେ ପଞ୍ଜୀକୃତ ୫୦-୫୦ଜଣ ଲୋକଙ୍କୁ ଟିକା ଦିଆଯିବା କଥା। କିନ୍ତୁ ହସ୍ପିଟାଲରେ ଆଜି ସଫ୍ଟୱେୟାର୍‌‌ରେ ସମସ୍ୟା ଦେଖାଦେବାରୁ ବହୁ ସଂଖ୍ୟାରେ ଅଫ୍‌ଲାଇନ୍‌ରେ ପଞ୍ଜୀକୃ୍ତ ଲୋକଙ୍କୁ ଟିକା ଦିଆଯାଇଥିଲା। ଫଳରେ ଅନ୍‌ଲାଇନ୍‌ରେ ପଞ୍ଜୀକୃତ କରି ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଟିକା ନେବାକୁ ଆସିଥିବା ସ୍ଥାନୀୟ ବାସିନ୍ଦା ଚନ୍ଦନ ସିଂହଙ୍କ କହିବା ଅନୁଯାୟୀ, ଟିକା ନେବା ପାଇଁ ସେ ଓ ତାଙ୍କର ୭୮ ବର୍ଷୀୟା ମା’ ସକାଳ ସାଢ଼େ ୮ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଧାଡ଼ିରେ ଅପେକ୍ଷା କରିଥିଲେ ହେଁ ଟିକା ମିଳି ନଥିଲା। ଟିକା ନେବା ପାଇଁ ସେ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକ୍‌ କରିଥିଲେ। କିନ୍ତୁ ଏଠାରେ ହସ୍ପିଟାଲ କର୍ମଚାରୀ ସଫ୍ଟୱେୟାର୍‌ ତ୍ରୁଟି ଦର୍ଶାଇ ଅଲଗା ଲୋକଙ୍କୁ ଟିକା ଦେଇଦେଲେ। ତେଣୁ ମା’କୁ ଧରି ପୁଣିଥରେ ସୋମବାର ଲାଇନ୍‌ ଲଗାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଖାଲି ଚନ୍ଦନ ନୁହନ୍ତି, ଟିକା ନ ନେଇ ଫେରିଥିବା ଅନେକ ଲୋକଙ୍କ ସମାନ ଅଭିଯୋଗ। ସେହିପରି ୪ ନମ୍ବର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର ଓ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା।
ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଲକ୍ଷାଧିକ ଲୋକ ଭରସା କରନ୍ତି। କିନ୍ତୁ କେଉଁ ଦିନ ପ୍ରଥମ ଡୋଜ୍‌ ଓ କେଉଁ ଦିନ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଉଛି, ସେ ନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଉ ନଥିବାରୁ ଲୋକେ ଅସୁବିଧାରେ ପଡ଼ୁଛନ୍ତି। ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବା ପରେ ପାଳି ପଡ଼ିଲା ବେଳକୁ ଫେରାଇ ଦିଆଯାଉଛି। ଏ ସଂପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀକାନ୍ତ ବେହେରା କହିଛନ୍ତି ଯେ ଅଧିକ ଟିକା ଆସିଲେ, ଏ ସମସ୍ୟାର ସମାଧାନ ହୋଇଯିବ।

ସମ୍ବନ୍ଧିତ ଖବର