ଭୁବନେଶ୍ବର: ମହାଶିବରାତ୍ରିରେ ମହାଦୀପ ଦର୍ଶନ ପାଇଁ କେବଳ ମନ୍ଦିର ପରିସର କିମ୍ବା ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁ ଚାହି ବସିନଥିଲେ। ରାଜ୍ୟ ତଥା ବିଭିନ୍ନ ଦେଶ ବିଦେଶରେ ବାସ କରୁଥିବା ଓଡ଼ିଆ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ। ତେବେ ଚଳିତ ବର୍ଷ ୩ଘଣ୍ଟା ବିଳମ୍ବରେ ମହାଦୀପ ଉଠିବା ନେଇ ଭକ୍ତ ମହଲରେ ଗଭୀର ଅସନ୍ତୋଷ ଦେଖା ଦେଇଛି। ବିଗତ ଦଶନ୍ଧି ମଧ୍ୟରୁ ଚଳିତ ବର୍ଷ ସର୍ବାଧିକ ବିଳମ୍ବ ହୋଇଛି। ଏନେଇ ଦେବୋତ୍ତର ବିଭାଗ ମନ୍ଦିର ଟ୍ରଷ୍ଟ ବୋର୍ଡକୁ କୈଫିୟତ ମାଗିବ ବୋଲି ଜଣାପଡ଼ିଛି।

Advertisment

ଚଳିତ ବର୍ଷ ସର୍ବାଧିକ ବିଳମ୍ବ
ସେବାୟତଙ୍କ ଅସନ୍ତୋଷ, ପ୍ରଶାସନ ବେଫିକର୍‌

୨୦୨୨ ମସିହାରେ ର‌ାତି ୧୦ଟା ୨୧ମିନିଟ୍‌ରେ ମହାଦୀପ ଉଠିଥିବା ବେଳେ ୨୦୨୧ରେ ୧୦ଟା ୧୧ମିନିଟ୍‌ରେ, ୨୦୨୦ରେ ନିର୍ଦ୍ଧାରିତ ସମୟର ୨୦ମିନିଟ୍‌ ପୂର୍ବରୁ ୯ଟା ୪୦ ମିନିଟ୍‌ରେ ମହାଦୀପ ଉଠିଥିଲା। ସେହିପରି ୨୦୧୯ମସିହାରେ ସାଢ଼େ ୯ଟାରେ ମହାଦୀପ ଉଠିଥିଲା। ସେହିବର୍ଷ ପ୍ରଶାସନ ୧୦ଟା ବଦଳରେ ସାଢ଼େ ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ କରିଥିଲା। ବିଗତ ଦିନରେ ୨୦୧୮ମସିହାରେ ସେବାୟତମାନଙ୍କ ଅସନ୍ତୋଷ ରହିଥିବାରୁ ଅଢ଼େଇ ଘଣ୍ଟା ବିଳମ୍ବରେ ରାତି ସାଢ଼େ ୧୨ଟାରେ ମହାଦୀପ ଉଠିଥିଲା। ‌ତେବେ ଚଳିତ ବର୍ଷ ସର୍ବାଧିକ ବିଳମ୍ବ ହୋଇଥିଲା। ସେବାୟତଙ୍କ ଅସନ୍ତୋଷ ଯୋଗୁଁ ନୀତି ବିଳମ୍ବ ହୋଇଥିଲା। ଏଥିପାଇଁ ଭକ୍ତଗଣ ପ୍ରଶାସନ ଓ ସେବାୟତଙ୍କୁ ଦାୟୀ କରିଛନ୍ତି।

ସେବାୟତମାନେ ସେମାନଙ୍କର ଓ ମନ୍ଦିରର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଏଭଳି ବିଶୃଙ୍ଖଳା ହୋଇଥିଲା। ଏନେଇ ମନ୍ଦିର କାର୍ଯ୍ୟନୀର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର କୁହନ୍ତି କେଉଁ ସମୟରେ କ’ଣ ନୀତି ହେବ ସେଥିପାଇଁ ସେବାୟତଙ୍କ ସହ ଆଲୋଚନା କରି ସମୟ ନିର୍ଘଣ୍ଟ କରାଯାଇଥିଲା। ତେବେ ସେବାୟତଙ୍କ ଅଭିଯୋଗ ତଥା ଅସନ୍ତୋଷ ସମ୍ପର୍କରେ ପଚାରିବାରୁ ଶ୍ରୀ ମିଶ୍ର ଏହାକୁ ଏଡ଼ାଇ ଯାଇଥିଲେ। ସେବାୟତମାନଙ୍କ କହିବା ଅନୁଯାୟୀ ବେବନ୍ଦୋବସ୍ତ ଜମି ଗୁଡ଼ିକ ସେବାୟତଙ୍କ ନାମରୁ କଟି ଲିଙ୍ଗରାଜଙ୍କ ନାମରେ ହୋଇଯାଇଛି। ଏହାର ସମାଧାନ ହୋଇପାରିଲାନି। ସେହିପରି ହାଣ୍ଡି ଭଙ୍ଗା ଯାତ ସମସ୍ୟା, ପବିତ୍ରା ରୋପଣ ନୀତି ବିଭ୍ରାଟ ସମାଧାନ ମଧ୍ୟ ହୋଇପାରିନି। ଠାକୁରଙ୍କୁ ମିଳୁଥିବା ଭେଟ ଟଙ୍କା ପ୍ରଶାସନ ପାଖକୁ ଯାଉନାହିଁ। ଭିଆଇପି ଭକ୍ତଙ୍କୁ କିଏ ଦର୍ଶନ କରାଇବ ତାହା ନିଷ୍ପତ୍ତି ‌ହୋଇପାରୁନି। ଏପରି ବହୁ ସମସ୍ୟା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତି ଦିଆଯାଉଛି।

ମନ୍ଦିରର ସମସ୍ୟା ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଖରେ ସମୟ ନଥିବାରୁ ଅସନ୍ତୋଷ ଲାଗି ରହିଥିଲା। ଉପବାସରେ ନୀତି କରିବା ବେଳେ ସବୁ ନୀତିରେ କିଛି କିଛି ସମୟ ବିଳମ୍ବ ହେବାରୁ ବଡ଼ ଧରଣର ବିଳମ୍ବ ହୋଇଛି। ଏନେଇ ଦେବୋତ୍ତର କମିସନର ଶିଶିର କୁମାର ରଥ କୁହନ୍ତି ନୀତି ପରିଚାଳନା କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ଏହା ସେମାନଙ୍କ ଦାୟିତ୍ବ। ଏନେଇ ଟ୍ରଷ୍ଟ ବୋର୍ଡକୁ କୈଫିୟତ ତଲବ କରାଯିବ।