ବିସ୍ଥାପିତ କଲେ, ସୁବିଧା ଦେବାକୁ ଭୁଲିଗଲେ

କିଛି ଘଣ୍ଟାର ବର୍ଷାରେ ସବୁ ଛାରଖାର, ଖୋଲା ଆକାଶ ତଳେ ପରିବାର

ଖଣ୍ଡଗିରି : ନିର୍ବାଚନ ବେଳେ କେତେ ମିଠା କଥା କହିଲେ। ପ୍ରତିଶ୍ରୁତିର ପାହାଡ଼ରେ ପୋତି ପକାଇଲେ। ବିଶ୍ବାସ କରି ବିସ୍ଥାପିତ ହେଲୁ। ଏଣେ ବିସ୍ଥାପିତ କରି ଦେଲେ କିନ୍ତୁ ସୁବିଧା ଦେବାକୁ ଭୁଲିଗଲେ। ସ୍ଥିତି ଏଭଳି ହୋଇଛି ଯେ ମଙ୍ଗଳବାର କିଛି ଘଣ୍ଟାର ବର୍ଷାରେ ଖୋଲା ଆକାଶ ତଳକୁ ଆସିଯାଇଛନ୍ତି ପଣ୍ଡାକୁଦିଆରେ ରହୁଥିବା ଏମଏଲଏ କଲୋନିର ୨୫ରୁ ଊର୍ଧ୍ବ ବିସ୍ଥାପିତ ପରିବାର। ଏମାନଙ୍କ ମଧ୍ୟରେ ପ୍ରାୟ ୩୦ରୁ ୪୦ ଶିଶୁ ରହିଛନ୍ତି। ଗତକାଲି ରାତିରେ ସେମାନଙ୍କ ଏକମାତ୍ର ଆଶ୍ରା ତାରପୋଲିନ ଉଡ଼ିଯିବା ସହିତ ଚାଉଳ, ଡାଲି ଠାରୁ ଆରମ୍ଭ କରି ଟିଭି, ଫ୍ରିଜ ଭଳି ସାମଗ୍ରୀ ନଷ୍ଟ ହୋଇଯାଇଛି। ବୁଧବାର ଦିନ ତମାମ ସେହି ସ୍ଥିତି ରହିଛି। ଏଣେ ରନ୍ଧା ଖାଦ୍ୟ ଖାଇନପାରି ସମସ୍ତେ ଭୋକରେ କଲବଲ। ବିଏମସି କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ତରଫରୁ ସମସ୍ୟା ବୁଝିବାକୁ କେହି ଆସିନଥିବାରୁ କେତେ ଦିନ ଏହିଭଳି ଖୋଲା ଆକାଶ ତଳେ ରହିବେ ଏହାକୁ ନେଇ ଅନିଶ୍ଚିତତାରେ ରହିଥିବା କହିଛନ୍ତି ବିସ୍ତାପିତ ବସ୍ତିବାସିନ୍ଦା।

ସୂଚନା ଅନୁଯାୟୀ, ଏମଏଲଏ କଲୋନିରେ ନୂତନ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିସ୍ଥାପିତ ହୋଇଛନ୍ତି ୭୫ ପରିବାର। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ମୂଲମଜୁରି ଖଟି ଏବଂ ମହିଳାମାନେ ଅନ୍ୟ ଘରେ ବାସନ ସଫା କାର୍ଯ୍ୟ କରନ୍ତି। ସେମାନଙ୍କୁ ପଣ୍ଡାକୁଦିଆରେ ଥଇଥାନ କରାଯାଇଛି। ପ୍ରାୟ ଏକ ମାସ ପାଖାପାଖି ହେଲା ୨୫ ପରିବାର ଟେଣ୍ଟ ତଳେ ରହୁଛନ୍ତି। ଗତକାଲି ରାତିରେ ହୋଇଥିବା ଝଡ଼, ବର୍ଷାରେ ଏହି ପରିବାରର ସବୁକିଛି ଛାରଖାର ହୋଇଯାଇଛି। ରିଙ୍କି ଡାକୁଆ କହନ୍ତି, କ୍ଷତିପୂରଣ ସ୍ବରୂପ ତାଙ୍କୁ ୩୫ ହଜାର ଟଙ୍କା ମିଳିଥିଲା। ସେହି ଅର୍ଥରେ ଅଧାପନ୍ତରିଆ ଘର ନିର୍ମାଣ ହୋଇଛି। ବାକି ନିର୍ମାଣ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରୁ କାହାର ଅଧା ଘର ନିର୍ମାଣ କରି ଟଙ୍କା ସରିଯାଇଛି ତ ଆଉ କାହାର ଘର ନିର୍ମାଣାଧୀନ ରହିଛି। ଭଡ଼ା ଘରେ ରହିବା ପାଇଁ ସମ୍ବଳ ଅଭାବରୁ ୨୫ ପରିବାର ଟେଣ୍ଟ ତଳେ ରହୁଛନ୍ତି। ଗତ ରାତି ୧୦ଟାରୁ ୧୧ଟା ମଧ୍ୟରେ ଝଡ଼ ସହିତ ବର୍ଷା ହେବାରୁ ଅଚାନକ ଟେଣ୍ଟ ଭାଙ୍ଗିଗଲା। ରହୁଥିବା ସ୍ଥାନରେ ପାଣି ଭର୍ତ୍ତି ହୋଇଗଲା। ଏଣେ ଆଣ୍ଠୁଏ ପାଣିରେ ଅବସ୍ଥା ବେହାଲ। ଯିଏ ଯେଉଁଠିକୁ ପାରିଲେ ଉଚ୍ଚ ସ୍ଥାନ ଦେଖି ଦୌଡ଼ିଲେ। ବିଳମ୍ବିତ ରାତିରେ କାହା ଘରକୁ ଯିବା ମଧ୍ୟ ସମ୍ଭବ ନଥିବାରୁ ସେଠି ପଡ଼ି ରହିଲେ। ସକାଳୁ କାହାର ଚୁଲି ମଧ୍ୟ ଜଳି ପାରିଲା ନାହିଁ। ପିଲାମାନଙ୍କର ପାଠ ବହି ଓଦା ହୋଇଯାଇଛି। ସନ୍ତୋଷ ଡାକୁଆଙ୍କ ଅନୁସାରେ ତାଙ୍କର ପ୍ରାୟ ୧୫ରୁ ୨୦ ହଜାର ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ପୀଡ଼ିତ ପରିବାର ଆଶା କରିଥିଲେ ସକାଳେ ତାଙ୍କ ପାଇଁ ଆଶ୍ରୟସ୍ଥଳୀ ଏବଂ ଖାଦ୍ୟ ବ୍ୟବସ୍ଥା ହେବ। ମାତ୍ର କୌଣସି ପ୍ରକାର ସୁବିଧା ପ୍ରଦାନ ତ ଦୂରର କଥା ସରକାରୀ କର୍ମଚାରୀଙ୍କ ପାଦ ମଧ୍ୟ ଏଠି ପଡ଼ିନଥିବା ଅଭିଯୋଗ ହୋଇଛି। ୩୫ ହଜାର ଟଙ୍କା ଦିଆଯାଇଛି ସେଥିରେ କ’ଣ ଘର ନିର୍ମାଣ ହୋଇ ପାରିନାହିଁ ବୋଲି ସେମାନଙ୍କୁ ପଚରା ଯାଉଥିବା କହିଛନ୍ତି ବିସ୍ଥାପିତ ପରିବାର।

ପାଣି, ଶୌଚାଳୟ ନାହିଁ
ବିସ୍ତାପିତ ପରିବାରଙ୍କ ଅନୁସାରେ, ପ୍ରାୟ ୨୦ରୁ ୩୦ ଦିନ ହେଲା ସେମାନେ ଏଠିକୁ ଆସିଛନ୍ତି। ମାତ୍ର ଏଠାରେ ସେମାନଙ୍କ ପାଇଁ ଶୌଚାଳୟ କି ପାଣିର ସୁବିଧା କରାଯାଇ ନାହିଁ। କମ୍ୟୁନିଟି ଶୌଚାଳୟ ନିର୍ମାଣ କରାଯାଇନଥିବାରୁ ପର ଘରେ ନିର୍ଭର ରହିବାକୁ ପଡ଼ୁଛି କିମ୍ବା ପଡ଼ିଆକୁ ଯାଉଛନ୍ତି। ଖରା ଦିନରେ ପାଣି ପାଇଁ ସମସ୍ତେ କଲବଲ ହେଉଛନ୍ତି। ଏହାକୁ ନେଇ ଜନସ୍ବାସ୍ଥ୍ୟ ବିଭାଗକୁ କହିଥିଲେ ମଧ୍ୟ ଲାଭ ହୋଇନାହିଁ। ବିଜୁଳି ବ୍ୟବସ୍ଥା ଟେଣ୍ଟରେ ନଥିବାରୁ ଗରମରେ ଅବସ୍ଥା ବେହାଲ ହୋଇଯାଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର