ଭୁବନେଶ୍ବର : ମନେକର ବିଳମ୍ବିତ ରାତିରେ ଆପଣ ଯାଉଥିବା ବେଳେ ଆପଣଙ୍କୁ ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ ଶୁଣାଯିବ। ବାଇକ୍ରେ ଯାଉ ଯାଉ ଲାଗିବ ଯେମିତି ଝରଣାଟିଏ ଆପଣଙ୍କ କଡ଼ରେ ହଠାତ୍ ଝରଝର ହୋଇ ବହି ଯାଉଛି। ବାଘ କିମ୍ବା ହାତୀର କଥା କିଏ ଆପଣଙ୍କୁ କହିବାକୁ ଚେଷ୍ଟା କରୁଛି। ଆପଣ ଏଣେତେଣେ ଚାହିଁବେ। ମାତ୍ର କିଛି ବି ଆଖପାଖରେ ପାଇବେନି। ଏହା ନିଶ୍ଚିତ ଯେ ଆପଣ ଚମକି ପଡ଼ିବେ। ତେବେ ଆପଣଙ୍କୁ ସତର୍କ କରାଇ ଦେବାକୁ କହି ରଖୁଛି ଯେ, ଆପଣ ବିଳମ୍ବିତ ରାତିରେ ଯଦି ରୂପାଲି ଟ୍ରାଫିକ୍ ଛକ ବାଟ ଦେଇ ଯିବା ବେଳେ ଅସମୟରେ ଏମିତି କିଛି ଅସ୍ବାଭାବିକ ଶବ୍ଦ ଶୁଣନ୍ତି ତେବେ ଚମକିବେ ନାହିଁ। କାରଣ ରୂପାଲି ଛକରେ ଲାଗିଥିବା ଡିସ୍ପ୍ଲେ ବୋର୍ଡରେ ବୈଷୟିକ ତ୍ରୁଟି ଯୋଗୁଁ ରାତିରେ କେବଳ ଅଡିଓ ଶୁଭୁଥିବାରୁ ଏପରି ଶୁଭାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ହକି ବିଶ୍ବକପ୍ ସମୟରେ ଓଡ଼ିଶାର କଳା, ପର୍ଯ୍ୟଟନ, ସ୍ମାର୍ଟ ସହରର ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ପ୍ରସାର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ବରର କିଛି ପ୍ରମୁଖ ଛକ ସ୍ଥାନମାନଙ୍କରେ ୯ଟି ଡିସ୍ପ୍ଲେ ବୋର୍ଡ ଲାଗିଥିଲା। କଳ୍ପନା, ଲିଙ୍ଗରାଜ ମନ୍ଦିର ନିକଟ ସମେତ ଅନେକ ପ୍ରମୁଖ ଛକମାନଙ୍କରେ ଏହା ଲଗାଯାଇଛି। ସହରକୁ ଖେଳ ଦେଖିବା ଉଦ୍ଦେଶ୍ୟରେ ଆସି ସହର ବୁଲାବୁଲି କରିବା ସମୟରେ ପର୍ଯ୍ୟଟକଙ୍କ ସମ୍ମୁଖରେ ଓଡ଼ିଶାର ସମୃଦ୍ଧ ଗାରିମାକୁ ଉପସ୍ଥାପିତ କରିବା ପାଇଁ ଏପରି କରାଯାଇଥିଲା। ଏଥିରେ ସଂଗ୍ରହାଳୟ, କଳାଭୂମି, ଏକାମ୍ର ହାଟ, ମୋ ବସ୍, ମୋ ସାଇକେଲ୍, ଜୈବ ପର୍ଯ୍ୟଟନ ବାବଦରେ ଭିଡିଓ ଦେଖିବାକୁ ମିଳୁଛି।
ମାତ୍ର ରୂପାଲି ଛକରେ ଲାଗିଥିବା ଏହି ଡିସ୍ପ୍ଲେ ବୋର୍ଡରେ ଦିନରେ ଉଭୟ ଚିତ୍ର ଓ ଶବ୍ଦ ଦେଖିବାକୁ ଓ ଶୁଣିବାକୁ ମିଳୁଥିଲେ ହେଁ ରାତିରେ ଚିତ୍ର କଟିଯାଇ କେବଳ ଭିଡିଓ ଦେଖିବାକୁ ମିଳୁଥିବା କହିଛନ୍ତି ବାସିନ୍ଦା ସନ୍ଦୀପ। ତାଙ୍କ କହିବା ମୁତାବକ ଗତ ଶନିବାର ଜଣେ ବ୍ୟକ୍ତି ଏଇ ବାଟ ଦେଇ ଯାଉଥିବା ବେଳେ ଏକ ୪ ଚକିଆ ଗାଡ଼ି ମାଡ଼ି ଆସୁଥିବା ଶବ୍ଦ ଶୁଣାଯିବାରୁ ବାଇକ୍ ଚାଳକ ଜଣକ ଅଟକିଯାଇଥିଲେ। କିନ୍ତୁ ସେ ପାଖରେ ସେମିତି କୌଣସି ଗାଡ଼ି ନଦେଖିବାରୁ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଚାହିଁବା ପରେ ସେଇ ଡିସ୍ପ୍ଲେ ବୋର୍ଡ ଆଡ଼ୁ ସେଇ ସ୍ବର ଆସୁଥିବା ଅନୁଭବ କଲେ। କିଛିଦିନ ହେବ ଏଭଳି ବୈଷୟିକ ସମସ୍ୟା ଥିବାରୁ ଏହାକୁ ସଜାଡ଼ିବାକୁ ସନ୍ଦୀପ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)