ଭିଏସ୍‌ଏସ୍‌ ନଗର, ଗ‌ଣେଶ ମଣ୍ଡପ ହାଟକୁ ନେଇ ବିବାଦ: ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଖେଳ

ଅଧିକାରୀ ଭିଡ଼ାଭିଡ଼ି, ଚିନ୍ତାରେ ବେପାରୀ, ଦୋକାନ ହାତେଇବାକୁ ନୂଆ ତରିକା

ଭୁବନେଶ୍ବର : ହାଟ‌ ଉଚ୍ଛେଦ ପରେ ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଖେଳ ଚାଲିଛି। କେତେ ଜଣ ବ୍ୟବସାୟୀ ଥିଲେ, କେତେ ଜଣଙ୍କୁ ଥଇଥାନ କରାଯିବ ସେନେଇ ଦ୍ବନ୍ଦ୍ବ ତୁଟୁନି। ବିଏମ୍‌ସି ଅଧିକାରୀ ନିଜ ନିଜ ଭିତରେ ଭିଡ଼ାଭିଡ଼ି ହେଉଛନ୍ତି। ଗୋଟିଏ ଟିମ୍‌ ସର୍ଭେ କରି ବ୍ୟବସାୟୀଙ୍କ ସଂଖ୍ୟା ସ୍ଥିର କରିବା ପରେ ଅନ୍ୟଜଣେ ଅଧିକାରୀ ତାକୁ ବାତିଲ କରି ଦେଉଛନ୍ତି। କେବଳ ବାତିଲ କରୁନାହାନ୍ତି ବରଂ ସର୍ଭେ କରୁଥିବା ଟିମ୍‌କୁ ଭାଙ୍ଗି ଆଉ ଗୋଟିଏ ଟିମ୍‌ ଜରିଆରେ ସର୍ଭେ କରୁଛନ୍ତି। ଏଭଳି ଦୁଇଟି ଟିମ୍‌ର ଦୁଇଟି ସର୍ଭେ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ ବଢ଼ୁଛି। ବ୍ୟବସାୟୀଙ୍କ ଏଭଳି ସଂଖ୍ୟା ଖେଳରେ ମୂଳ ବ୍ୟବସାୟୀ ଥଇଥାନ ହେବା ବିଳମ୍ବ ହେଉଛି। ଏଥିପାଇଁ ଅସନ୍ତୋଷ ବଢ଼ିବା ସହ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି।

ଭିଏସ୍‌ଏସ୍‌ନଗର ହାଟ ଓ ଝାରପଡ଼ା ଗଣେଶ ମଣ୍ଡପ ହାଟର ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଏମିତି ବିବାଦ ମୁଣ୍ଡ ଟେକିଛି। ଝାରପଡ଼ା ଗଣେଶ ମଣ୍ଡପ ହାଟରୁ ବିଡିଏ ଶତାଧିକ ଦୋକାନ ଉଚ୍ଛେଦ କରିଥିଲା। ଥାନା, ମାନବାଧିକାର କମିସନ୍‌, ବିଡିଏ, ବିଏମ୍‌ସି ପର୍ଯ୍ୟନ୍ତ କଥା ଯିବା ପରେ ସମସ୍ତ ବ୍ୟବସାୟୀଙ୍କ ସ୍ଥାୟୀ ଥଇଥାନ ପାଇଁ ବନ୍ଦୋବସ୍ତ କରାଯିବାକୁ ଯୋଜନା ହେଲା। ବ୍ୟବସାୟୀ ସଂଘର ଦାବି ମୁତାବକ ସେଠାରେ ୪୨୯ ଜଣ ବ୍ୟବସାୟୀ ଥିଲେ। କିନ୍ତୁ ବିଡିଏ ଭାଙ୍ଗିଥିଲା ୩ଟି ଚାଳ ଘର, ୧୪ଟି ବଡ଼ ଗୋଦାମ, ୯୭ଟି ଟିଣ ଦୋକାନ, ୨୫ଟି ଅସ୍ଥାୟୀ ପରିବା ଦୋକାନ, ୫୨ଟି କ୍ୟାବିନ ଏଭଳି ମୋଟ ୧୯୧ଟି ନିର୍ମାଣ। ଯେଉଁଥିପାଇଁ ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ବିବାଦ ଉଠିଥିଲା। ବିଏମ୍‌ସି ସର୍ବେକ୍ଷଣ କରିଥିଲେ ମଧ୍ୟ ସଂଖ୍ୟା ଜଣାଇଲା ନାହିଁ। ସଂଖ୍ୟା ଜଣାଇଲେ ବିବାଦ ହେବ। ଦାବି ହେଉଥିବା ୪୨୯ରୁ ଆଉ କେହି ବାଦ୍‌ ପଡ଼ିଗଲେ ମାମଲା କୋର୍ଟରେ ପହଞ୍ଚିବ। ଏଣୁ ଏହା ସର୍ବେକ୍ଷଣରେ ଅଟକି ଯାଇଛି। କିନ୍ତୁ ସର୍ବେକ୍ଷଣ ଚାଲିଛି ବୋଲି ବିଏମ୍‌ସି ସଫେଇ ଦେଉଛି। ଠିକ୍‌ ସେମିତି ଏବେ ଭିଏସ୍‌ଏସ୍‌ନଗରରେ ଏକ ଅତ୍ୟାଧୁନିକ ହାଟ ନିର୍ମାଣ ହେବାକୁ ଯାଉଛି। ଏଣୁ ବ୍ୟବସାୟୀଙ୍କ ସଂଖ୍ୟା ହିସାବ ଆରମ୍ଭ ହୋଇଛି। ଏଠା‌ରେ ପ୍ରଥମେ ବଜାର ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି ବ୍ୟବସାୟୀଙ୍କ ସଂଖ୍ୟା ଆକଳନ କଲେ। ସେ ଦର୍ଶାଇଲେ ସେଠାରେ ୪୯୨ ବ୍ୟବସାୟୀ ଅଛନ୍ତି। ସେହି ସଂଖ୍ୟା ଉପରେ ମୋହର ମାରିବାକୁ ସେ ସମ୍ପୃକ୍ତ ଜେଡ୍‌ଡିସି(ଜୋନାଲ ଡେପୁଟି କମିସନର) ପୁରନ୍ଦର ନନ୍ଦଙ୍କୁ ଚିଠି ଲେଖିଲେ। ହେଲେ ସେହି ସଂଖ୍ୟା ଉପରେ ମୋହର ମାରିବା ପୂର୍ବରୁ ଜେଡ୍‌ଡିସି ସର୍ବେକ୍ଷଣ କରିବାକୁ ଚାହିଲେ। ଭିଡିଓଗ୍ରାଫି ସହ ଜିଓ ଟ୍ୟାଗିଙ୍ଗ୍‌ ଜରିଆରେ ସର୍ବେକ୍ଷଣ କରି ମୂଳ ବ୍ୟବସାୟୀମାନଙ୍କୁ ଚିହ୍ନଟ କଲେ। ତାଙ୍କର ସର୍ବେକ୍ଷଣରେ ବ୍ୟବସାୟୀଙ୍କ ସଂଖ୍ୟା ଥିଲା ମାତ୍ର ୩୬୧। ଏହି ସଂଖ୍ୟା ଯେତେବେଳେ ବିଏମ୍‌ସିରେ ପହଞ୍ଚିଲା ସେତେବେଳେ ଏହି ସଂଖ୍ୟାକୁ ନାକଚ କରିବା ସହ ଜେଡ୍‌ଡିସିଙ୍କ ନେତୃତ୍ବରେ ସର୍ଭେ କରିଥିବା କମିଟିକୁ ମଧ୍ୟ ବାତିଲ କରିଦିଆଗଲା। ଏବେ ଆଉ ଏକ କମିଟି ଗଠନ କରାଯାଇ ସର୍ଭେ ଚାଲିଛି। ସର୍ଭେ ଚାଲିଥିବା ବିଏମ୍‌ସି କହୁଥିଲେ ମଧ୍ୟ ନୂଆ କମିଟି ଡେପୁଟି କମିସନର(ମାର୍କେଟ୍‌)ଙ୍କ ସୁପାରିସ୍‌(୪୯୨) ଉପରେ ମୋହର ମାରିଥିବା ଜଣାପଡ଼ିଛି।

ଅନ୍ୟପଟେ ଆଉ ଏକ ସାଂଘାତିକ ଅଭିଯୋଗ ପଦାକୁ ଆସିଛି। ନୂଆ ନୂଆ ବ୍ୟବସାୟୀଙ୍କୁ ଥଇଥାନ ହେବାକୁ ଏକ ନୂଆ ଉପାୟ ବାହାର କରାଯାଇଛି। ପ୍ରଥମେ ସେମାନେ ବିଏମ୍‌ସିରେ ଆବେଦନ କରି ହତାଶ ହେବା ପରେ କୋର୍ଟର ଆଶ୍ରୟ ନେଉଛନ୍ତି। କୋର୍ଟରୁ ଆଦେଶ ଆସୁଛି କି ‘ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ଥଇଥାନ କରାଯାଉ’। ଏହି ଆଳରେ ଅଧିକାରୀମାନେ ସମସ୍ତଙ୍କୁ ଥଇଥାନ କରୁନାହାନ୍ତି ବରଂ ଯାହାଙ୍କ ଉପରେ ଅଧିକାରୀ ଖୁସି ଅଛନ୍ତି ତାଙ୍କ ଆବେଦନ ଉପରେ ମୋହର ମାରୁଛନ୍ତି। ଗତ ଗୋଟିଏ ବର୍ଷ ମଧ୍ୟରେ ୟୁନିଟ୍‌-୧ ହାଟରେ କୋର୍ଟଙ୍କ ଆଦେଶ ବଳରେ ୭୬ ଜଣଙ୍କୁ ଥଇଥାନ କରାଯାଇଛି। ଏବେ ସବୁ ମାର୍କେଟ୍‌ରେ ବାଦ୍‌ ପଡ଼ିଥିବା କେତେକ ବ୍ୟବସାୟୀ ଏଭଳି ପନ୍ଥା ଆପଣାଉଥିବା ଦେଖାଯାଉଛି। ଏଥିପାଇଁ ଖୋଦ୍‌ ଅଫିସର ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ତେବେ ଏଭଳି ଅଭିଯୋଗକୁ ଅମୂଳକ ବୋଲି କହିଛନ୍ତି ବିଏମ୍‌ସି ଅତିରିକ୍ତ କମିସନର ବିନୟ କୁମାର ଦାଶ। ସେ କହିଛନ୍ତି, ଦୁଇ ଥର କିମ୍ବା ଏକାଧିକ ବାର ସର୍ଭେ ହେବା ନୂଆ କଥା ନୁହେଁ। କୌଣସି ହିତାଧିକାରୀ କିଭଳି ବାଦ୍‌ ପଡ଼ିବେ ନାହିଁ ବା ନକଲି ବ୍ୟବସାୟୀ ଯୋଗ ହେବେ ନାହିଁ ସେଥିପାଇଁ ବିଏମ୍‌ସି ଉଦ୍ୟମ କରୁଛି। ଉଭୟ ହାଟର ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ଏଣୁ ଏବେ ସଂଖ୍ୟା କହିବା ଉଚିତ୍‌ ହେବ ନାହିଁ।

ଏଠାରେ ଉଲ୍ଲେଖ କରାଯାଇପାରେ, ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ସ୍ମାର୍ଟ ଜନପଥ ତିଆରି କରିବା ବେଳେ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ୨୦୧୫ ମସିହାରେ ଏ ନେଇ ସର୍ବେକ୍ଷଣ କରାଯାଇଥିଲା। ହେଲେ ଦୋକାନ(ସ୍ମାର୍ଟ କିଓସ୍କ) ମିଳିବା ବେଳକୁ ୭ବର୍ଷ ବିତିଗଲା। ସେଥିରେ ବି ଶହେ କେଁ ରହିଥିଲା। ୟୁନିଟ୍‌-୨ ଅଞ୍ଚଳରେ ଥିବା ଫଳ ବଜାରର ଅବସ୍ଥା ମଧ୍ୟ ତଦ୍ରୂପ। କଳ୍ପନାରୁ ରାଜମହଲ ଦେଇ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବସୁଥିବା ଫଳ ବ୍ୟବସାୟୀଙ୍କ ପାଇଁ ବିଏମ୍‌ସି ୟୁନିଟ୍‌-୨ ଅଞ୍ଚଳରେ ଯେଉଁ ଫଳ ବଜାର ତିଆରି କରିଥିଲା ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଆବଣ୍ଟନ କରାଯାଇ ପାରି ନାହିଁ। ଏଣୁ ଏବେ ଭିଏସ୍‌ଏସ୍‌ନଗର ହାଟ ଓ ଗଣେଶ ମଣ୍ଡପ ହାଟର ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ଥଇଥାନ ବ୍ୟବସ୍ଥାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର