ଭୁବନେଶ୍ବର: ପୁଲିସ ଡିଜିଙ୍କ ନିର୍ଦେଶକୁ ବେଖାତିର। ଥାନାରେ ପଡ଼ି ରହିଥିବା ଦୁଇ ଚକିଆ , ତିନି ଚକିଆ ଓ ଚାରି ଚକିଆ ଗାଡ଼ିର କେହି ଦାବିଦାର ନ ଥିଲେ ତୁରନ୍ତ ନିଲାମ କରି ଥାନା ଖାଲି କରିବାକୁ ଡିଜି କିଛି ଦିନ ତଳେ ନିର୍ଦେଶ ଦେଇଥିଲେ। କିନ୍ତୁ କମିସନରେଟ ପୁଲିସ ଡିଜିଙ୍କ ଏଭଳି ନିଦେର୍ଶକୁ ବେଖାତିର କରୁଛି। ଫଳରେ ବିଭିନ୍ନ ଥାନାରେ ଏବେ ଶହ ଶହ ସଂଖ୍ୟାରେ ଗାଡ଼ି ଜବତ ହୋଇ ଖତ ଖାଉଛି।
ଭୁବନେଶ୍ବର, ଖଣ୍ଡଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର, ସହିଦନଗର, ଧଉଳି ଥାନାରେ ଅଧିକ ସଂଖ୍ୟାରେ ବାଇକ୍ ଓ କାର ଜବତ ହୋଇ ରହିଛି। ସେହିଭଳି ଅନ୍ୟାନ୍ୟ ଥାନାରେ ବି ଅଳ୍ପ ବହୁତ ଗାଡି ଜବତ ହୋଇ ରହିଛି। ଏସବୁ ମଧ୍ୟରେ କିଛି ବାଇକ୍ ଓ କାର ଆଦି ବିଭିନ୍ନ ଅପରାଧିକ ମାମଲା ତଥା ଗ˚ଜେଇ ଚୋରା ଚାଲାଣ, ଡକାୟତି, ଚୋରି ଏବଂ ବିଭିନ୍ନ ଛୋଟ ବଡ ଦୁର୍ଘଟଣାରେ ଜବତ ହୋଇଥିବା ବେଳେ ସେଗୁଡିକ ଆଉ ଲୋକେ ନେଉ ନ ଥିବା ସୂଚନା ମିଳିଛି। କାଗଜପତ୍ର ଯାଞ୍ଚ ବେଳେ ବିନା କାଗଜପତ୍ରରେ ଧରାପଡିଥିବା ବାଇକ୍ ଆଦି ମଧ୍ୟ ସେଭଳି ପଡି ରହିଛି। ତେବେ ଏହା ଜବତ ହେବା ପରେ ଦୀର୍ଘ ଦିନ ଧରି ଏହା ଥାନାରେ ପଡି ରହୁଛି। ନିୟମ ଅନୁଯାୟୀ ବିଭିନ୍ନ ଥାନାରେ ଜବତ ହୋଇ ପଡି ରହିଥିବା ଗାଡି ଗୁଡିକର ତାଲିକା ସ˚ପୃକ୍ତ ଥାନାର ଅଧିକାରୀମାନେ ଉକ୍ତ ଅଞ୍ଚଳର ଏସିପିଙ୍କୁ ଦେବେ। ଦାବିଦାର କିମ୍ବା କାଗଜପତ୍ର କିଛି ନଥିବା ଗାଡି ଗୁଡିକୁ ନିଲାମ କରିବା ପାଇଁ ଏସିପି ପୁଲିସ କମିସନରଙ୍କୁ ଜଣାଇବେ। କମିସନର ଏ ସବୁ ଗାଡି ଗୁଡିକର ନିଲାମ କରିବେ। ନିଲାମରୁ ଆସୁଥିବା ଅର୍ଥକୁ ସରକାରୀ ରାଜକୋଷରେ ଜମା କରାଯିବାର ନିୟମ ରହିଛି।
ସେହିପରି କୋର୍ଟରେ ବିଚାରଧୀନ ଥିବା ମାମଲାରେ ସ˚ପୃକ୍ତି ଥିବା ଗାଡିଗୁଡିକୁ ମଧ୍ୟ ନିଲାମ କରି ହେଉନି। ଅପର ପକ୍ଷରେ ଆମକୁ ଫୁରସତ୍ ମିଳିଲେ ତ ଆମେ ଏସବୁ କରିବୁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେବ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଥିବା ବାଇକ୍ ଆଦିର ବିଭିନ୍ନ ଯନ୍ତ୍ରପାତି ବିଭିନ୍ନ ସମୟରେ ଜବତ ସ୍ଥଳରୁ ଓ ଆଉ କିଛି ଥାନା ପରିସରରୁ ହିଁ ଗାଏବ ହୋଇଯାଉଛି। ଫଳରେ ଜବତ ଗାଡିର ଚେସିସ୍ ନମ୍ବର ଓ ଇଞ୍ଜିନ୍ ନମ୍ବର ମଧ୍ୟରେ ତାଳମେଳ ରହୁନି। ତେବେ ପୁଲିସ ଜବତ କରିବା ପରେ ସେହି ସମୟରେ କାଗଜପତ୍ର ପ୍ରସ୍ତୁତି ସମୟରେ ହିଁ ଗାଡିର ପଞ୍ଜିକରଣ ନମ୍ବର, ଇ˚ଜିନ ଓ ଚେସିସ୍ ନମ୍ବର ଲେଖି ମାଲଖାନାରେ ପକାଇ ଦେବା ପରେ ସେ ଗାଡି ସ˚ପର୍କରେ ଆଉ ଦୃଷ୍ଟି ଦେଉ ନାହାନ୍ତି।
ଯାହା ଫଳରେ ବିଭିନ୍ନ ଥାନାରେ ଦିନକୁ ଦିନ ଯାନବାହାନ ଜବତ ତାଲିକା ପାହାଡ ଭଳି ବଢ଼ିବାରେ ଲାଗିଛି। ତେଣୁ ଥାନା ପାର୍ଶ୍ବବର୍ତ୍ତୀ ସ୍ଥାନ ଡେଙ୍ଗୁ, ମଶା, ମାଛି, ବିଷଧର ସାପମାନଙ୍କ ଘର ପାଲଟିଛି। ତେଣୁ କମିସନରେଟ ପୁଲିସ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ପୁଲିସ ବିଭାଗ ପକ୍ଷରୁ ଦାବିଦାର ନ ଥିବା ବାଇକର ତାଲିକା ଥାନା ସମ୍ମୁଖରେ ଟାଙ୍ଗିବା, ଖବରକାଗଜରେ ବିଜ୍ଞାପନ ଦେବା ଆବଶ୍ୟକ ବୋଲି ଜଣେ ଆଇନଜୀବୀ କହିଛନ୍ତି।
ଅନ୍ୟପକ୍ଷରେ ପୁଲିସ ମୁଖ୍ୟାଳୟରୁ ଯାହା ସୂଚନା ମିଳିଛି ଗତ ମେ ମାସରୁ ନଭେମ୍ବର ମାସ ମଧ୍ୟରେ ୬୬୫୧ଟି ଗାଡ଼ି ନିଲାମ ହୋଇ ସାରିଛି। ଏବେ ବି ସାରା ରାଜ୍ୟରେ ୧୬,୪୪୨ଟି ଗାଡ଼ି ବିଭିନ୍ନ ଥାନାରେ ପଡ଼ି ରହିଛି। ସେଥି ମଧ୍ୟରୁ ୨୭୪୨ଟି ଗାଡ଼ିର କେହି ଦାବିଦାର ନାହାନ୍ତି।