ଭୁବନେଶ୍ବର: ଯାହା ଆଶଙ୍କା ଥିଲା ତାହା ହିଁ ହେଲା। ପୂଆ ପରିମଳ ବ୍ୟବସ୍ଥା ଆରମ୍ଭରୁ ଝୁଣ୍ଟିଲା। ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ବିଏମ୍ସିର ୨୭ଟି ୱାର୍ଡରେ ନୂ୍ଆ ବ୍ୟବସ୍ଥାରେ ସଫେଇ କାମ ଆରମ୍ଭ ହେଲା ସତ। କିନ୍ତୁ ସଫେଇ କର୍ମଚାରୀମାନେ ସହଯୋଗ କଲେନି। ସର୍ବନିମ୍ନ ମଜୁରି ସହ ଇପିଏଫ୍, ଇଏସ୍ଆଇ ସ୍ପଷ୍ଟ କରିବା ଦାବିରେ ସେମାନେ କାମ କଲେନି। ଫଳରେ ୨୭ଟି ୱାର୍ଡ ପାଇଁ ସଫେଇ ଦାୟିତ୍ବ ନେଇଥିବା ଦୁଇଟି ନୂଆ ସଂସ୍ଥା ‘ଆୱାର୍ଲ୍ୟାଣ୍ଡ୍’ ଓ ‘ଗ୍ରିନ୍ ସର୍କଲ୍’ ସବୁ ୱାର୍ଡରେ କାମ କରିପାରି ନାହାନ୍ତି। ୧୪ଟି ୱାର୍ଡରେ ଆଦୌ ସଫେଇ କଲେନି। ଯେଉଁ ୧୩ଟି ୱାର୍ଡରେ ଆରମ୍ଭ କଲେ, ତାହା ଉପର ଠାଉରିଆ। ଫଳରେ ପରିମଳ ବ୍ୟବସ୍ଥାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ସହରର ପରିମଳ ବ୍ୟବସ୍ଥାକୁ ନେଇ ବିଏମ୍ସିର ଅତ୍ୟନ୍ତ ବେପରୱା ଆଭିମୁଖ୍ୟକୁ ରାଜଧାନୀବାସୀ ନାପସନ୍ଦ କରିଛନ୍ତି। ଗୋଟିଏ ପଟେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି। ଅନ୍ୟ ପଟେ ସହର ଭିତରେ ପରିମଳ ବ୍ୟବସ୍ଥାକୁ ବି ଠିକଣା ଭାବେ ପରିଚାଳନା କରାଯାଇପାରୁନାହିଁ। ଅଗଷ୍ଟ ୧୬ ତାରିଖରୁ ୨୭ଟି ୱାର୍ଡରେ ଦୁଇଟି ନୂଆ ସଂସ୍ଥା ପରିମଳ କାର୍ଯ୍ୟ ଆରମ୍ଭ କରିବେ ବୋଲି ବହୁ ପୂର୍ବରୁ କୁହାଯାଇଥିଲା। ବିଏମ୍ସି ଅଧିକାରୀମାନେ ସଂପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଡାକି ଘନ ଘନ ବୈଠକ କରିଥିଲେ। ଏପରିକି କର୍ପୋରେଟରମାନଙ୍କୁ ଡାକି ଆଲୋଚନା ବି କରିଥିଲେ। ନୂଆ ସଂସ୍ଥା ସହ ହୋଇଥିବା ଚୁକ୍ତିନାମାରେ ଥିବା ଗୁରୁଚଣ୍ଡାଳ ତ୍ରୁଟିକୁ ସମସ୍ତେ ଧରିଥିଲେ ମଧ୍ୟ ବିଏମ୍ସି ଅଧିକାରୀମାନେ ତାହାକୁ ଗୁରୁତ୍ବ ଦେଇ ନଥିଲେ। ସେମାନଙ୍କ ଏପରି ଖାମଖିଆଲ ଆଚରଣ ଯୋଗୁ ଆଜି ପରିମଳ ବ୍ୟବସ୍ଥାରେ ବଡ଼ ବିଭ୍ରାଟ ଦେଖାଦେଲା।
୨୭ରୁ ୧୪ଟି ୱାର୍ଡରେ ସଫା କରିପାରିବେ ନାହିଁ ବୋଲି ଦୁଇ ସଂସ୍ଥା ଗତକାଲି ହଠାତ୍ ମନା କରି ଦେଇଥିଲେ। ଫଳରେ ବିଏମ୍ସିର ଅକଲ ଗୁଡ଼ୁମ୍ ହୋଇଥିଲା। ଏଣୁ ପୁଣି ଥରେ ପୁରୁଣା ସଂସ୍ଥାଙ୍କୁ ଅନ୍ତତଃ ଆଉ ୧୫ ଦିନ ପାଇଁ ଏହି ୧୪ ୱାର୍ଡ ପୂର୍ବବତ୍ ସଫା କରିବାକୁ ଖୋଦ୍ କମିସନର ଅନୁରୋଧ କରିଥିଲେ। ପୁରୁଣା ସଂସ୍ଥାଗୁଡ଼ିକ ଏଥି ପାଇଁ ଅପ୍ରସ୍ତୁତ ଥିଲେ ମଧ୍ୟ କମିସନରଙ୍କ ଅନୁରୋଧକୁ ଭାଙ୍ଗି ନ ପାରି କାମ କରିଥିଲେ। କିନ୍ତୁ ରାତି ଅଧିଆ ସେମାନଙ୍କୁ କୁହାଯାଇଥିବାରୁ ଠିକ୍ ଭାବେ ସଫେଇ କରିବା ସମ୍ଭବ ହୋଇ ନଥିଲା।
ପ୍ରଶ୍ନ ଉଠୁଛି, ଯଦି ନୂଆ ସଂସ୍ଥା ପ୍ରସ୍ତୁତ ନଥିଲେ, ତେବେ ପୁରୁଣା ସଂସ୍ଥାଙ୍କୁ ଚିଠି ଲେଖି ବିଏମ୍ସି ୧୬ ତାରିଖରୁ ସଫେଇ ବନ୍ଦ କରିବାକୁ କହିଥିଲା କାହିଁକି? ଇପିଏଫ୍, ଇଏସ୍ଆଇ, ସର୍ବନିମ୍ନ ମଜୁରିକୁ ନେଇ ବିବାଦ ରହିଥିଲେ ମଧ୍ୟ ବିଏମ୍ସି ଏହାକୁ ବେଳ ଥାଉ ଥାଉ ସ୍ପଷ୍ଟ କଲା ନାହିଁ କାହିଁକି? ଖୋଦ୍ କମିସନର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୁରୁଣା ସଂସ୍ଥାଙ୍କୁ ସଫେଇ ଜାରି ରଖିବାକୁ ଅନୁରୋଧ କଲେ କାହିଁକି? କାହିଁକି ଏତେ ବାଧ୍ୟବାଧକତା ବୋଲି ପ୍ରଶ୍ନ ଉଠିଛି। ଏଭଳି ଅନେକ ପ୍ରଶ୍ନ ଅଧିକାରୀମାନଙ୍କର ଅପାରଗତାକୁ ପଦାରେ ପକାଇଥିବା ବେଳେ ଘରେ ନ ପଶୁଣୁ ନୂଆ ସଂସ୍ଥାଙ୍କ ମୁଣ୍ଡରେ ଚାଳ ବାଜିଥିବାରୁ ଆଗକୁ ବିଏମ୍ସିରେ ପରିମଳ ସ୍ଥିତି ଭୟଙ୍କର ହେବା ଆଶଙ୍କା ପ୍ରକାଶ ପାଇଛି।
ଯେଉଁ ୧୩ଟି ୱାର୍ଡରେ ନୂଆ ସଂସ୍ଥା ଦୁଇଟି କାମ କଲେ, ସେତିକି ବି ଠିକ୍ ଭାବେ କରିପାରିଲେ ନାହିଁ। ୬ଟି ୱାର୍ଡରେ ଆଦୌ ଅଳିଆ ଉଠିଲା ନାହିଁ। ୭ଟି ୱାର୍ଡରେ ନାଁକୁ ମାତ୍ର ସଫେଇ ହେଲା। ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀମାନେ ଅଡ଼ି ବସିବାରୁ ଦୁଇଟି ଯାକ ସଂସ୍ଥା ହାତ ଟେକିଦେଲେ। ଫଳରେ ଆଜି ସନ୍ଧ୍ୟାରେ ମେୟର ସୁଲୋଚନା ଦାସ ଓ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଉପସ୍ଥିତିରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ ସଂସ୍ଥାକୁ କେମିତି ସହଯୋଗ ମିଳିବ ସେ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଦୁଇ ନୂଆ ସଂସ୍ଥା ‘ଆୱାରଲ୍ୟାଣ୍ଡ’ ଓ ‘ଗ୍ରିନ୍ ସର୍କଲ’ ସମେତ ଦୁଇ ପୁରୁଣା ସଂସ୍ଥା ‘ଜାଗୃତି’ ଓ ‘ପିଏମ୍ଆର’ ଏବଂ ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ସମ୍ପାଦକଙ୍କୁ ଡକା ହୋଇଥିଲା। ଆଶ୍ଚର୍ଯ୍ୟର କଥା, ନୂଆ ସଂସ୍ଥା ପ୍ରତିଶ୍ରୁତି ଦେବା ପରେ କାହିଁକି କାମ ଆରମ୍ଭ କଲା ନାହିଁ ସେ ନେଇ ଗୋଟିଏ ହେଲେ ପ୍ରଶ୍ନ ଅଧିକାରୀମାନେ ପଚାରିଲେ ନାହିଁ।
ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକଙ୍କ ଅଭିଯୋଗ ମୁତାବକ, ଇପିଏଫ୍, ଇଏସ୍ଆଇ, ସର୍ବନିମ୍ନ ମଜୁରିକୁ ନେଇ ସ୍ପଷ୍ଟ କଲେ ନାହିଁ। ସେଥିପାଇଁ କାମ ବନ୍ଦ କରିଥିଲୁ। ଆଜି ବୈଠକରେ ଆମେ ଦାବି କରିଛୁ ଯେ, କୌଣସି ସଫେଇ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ଇପିଏଫ୍, ଇଏସ୍ଆଇ ସମେତ ସର୍ବନିମ୍ନ ମଜୁରି ୩୨୬ ଟଙ୍କା ଦିଆଯିବ। ପ୍ରତ୍ୟେକଙ୍କୁ ପରିଚୟ ପତ୍ର ସହ ଦରମା ସ୍ଲିପ୍, ଜୋତା, ରେନ୍କୋଟ୍ ମିଳିବ। ଏ ସବୁ ଦାବିକୁ ସମ୍ପୃକ୍ତ ସଂସ୍ଥା ଓ ବିଏମ୍ସି ଗ୍ରହଣ କରିବା ସହ ଲିଖିତ ପ୍ରତିଶ୍ରୁତି ଦେବାକୁ ରାଜି ହୋଇଛନ୍ତି। ପୂର୍ବରୁ ଅନେକ ଥର ବିଏମ୍ସି ଓ ଠିକା ସଂସ୍ଥା ଆମମାନଙ୍କୁ ଭଣ୍ଡାଇଛନ୍ତି। ଏଣୁ ଏଥର ଲିଖିତ ପ୍ରତିଶ୍ରୁତି ମିଳିଲେ ଆସନ୍ତାକାଲି ଠାରୁ କାମ ଆରମ୍ଭ ହେବ। ପରେ ଏଥିରେ ଏପଟ ସେପଟ କଲେ କାମ ବନ୍ଦ ହେବ ବୋଲି ସେ ଶୁଣାଇ ଦେଇଛନ୍ତି।
ଉଳ୍ଲେଖଯୋଗ୍ୟ, ପୂର୍ବରୁ ରାମ୍କି, ଜାଗୃତି ଓ ପିଏମ୍ଆର ସଫେଇ ଦାୟିତ୍ବ ନେଇଥିଲେ। କେତେକ ୱାର୍ଡକୁ ବିଏମ୍ସି ନିଜେ ସଫା କରୁଥିଲା। ତେବେ ସମସ୍ତ ୱାର୍ଡରେ ସଫେଇ ଘରୋଇକରଣ କରିବାକୁ ବିଏମ୍ସି ସମସ୍ତ ୱାର୍ଡକୁ ୧୦ଟି ପ୍ୟାକେଜ୍ କରି ଟେଣ୍ଡର ଡାକିଥିଲା। ୧୦ଟି ପ୍ୟାକେଜ୍ ମଧ୍ୟରୁ ତିନିଟି ପ୍ୟାକେଜ୍ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ଓ ଆଉ ୩ଟି ପ୍ୟାକେଜ୍ରେ ଟେଣ୍ଡର ଅଟକଳ ଠାରୁ ଅଧିକା ଟଙ୍କାର ବିଡିଂ ହୋଇଥିବାରୁ ତାହା ବିଚାରାଧୀନ ଅଛି। ଏହି ୬ ପ୍ୟାକେଜକୁ ଛାଡ଼ିଦେଲେ ବାକି ୪ଟି ପ୍ୟାକେଜ୍ରେ ଥିବା ୨୭ଟି ୱାର୍ଡରେ ଦୁଇ ନୂଆ ସଂସ୍ଥା ୧୬ ତାରିଖରୁ କାମ ଆରମ୍ଭ କରିବା ପାଇଁ ବିଏମ୍ସି ପୂର୍ବରୁ ଘୋଷଣା କରିଥିଲା।