ରମାଦେବୀ ବିଶ୍ବବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ବିଭ୍ରାଟ: ପରୀକ୍ଷା ନିୟନ୍ତ୍ରକଙ୍କ ବହିଷ୍କାର ଦାବି

ରାଜରାସ୍ତାକୁ ଓହ୍ଲାଇବାକୁ ଛାତ୍ର କଂ‌‌ଗ୍ରେସର ଚେତାବନୀ, ଛ‌ାତ୍ରୀଙ୍କୁ ନ୍ୟାୟ ଦେବାକୁ ଏଆଇଡିଏସ୍‌ଓ, ଏବିଭିପିର ଦାବି

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନ ମହିଳା ମହାବିଦ୍ୟାଳୟଗୁଡ଼ିକର ସ୍ନାତକ ଶେଷ ବର୍ଷ ପରୀକ୍ଷା ପରିଚାଳନାରେ ହୋଇଥିବା ବିଭ୍ରାଟକୁ ନେଇ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ଆନ୍ଦୋଳନ ଡାକରା ଦେଇଛନ୍ତି। ଛାତ୍ର କଂଗ୍ରେସ ସମେତ ଏବିଭିପି, ଏଆଇଡିଏସ୍‌ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋରଙ୍କ ବହିଷ୍କାର ଦାବି ସହ ୩୦ ହଜାର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଥିବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ନିରଞ୍ଜନ ଦାଶଙ୍କ ନେତୃତ୍ବର ଆଜି ଏନେଇ ଏକ ବୈଠକ ବସିଥିଲା। ଗତ ୨୩ ଓ ୨୪ ତାରିଖରେ ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା ବିଭ୍ରାଟ ସମ୍ପର୍କରେ ଏଥିରେ ଆଲୋଚନା କରାଯିବା ସହ ଛ‌ାତ୍ରୀଙ୍କୁ ନ୍ୟାୟ ଦେବା ଲାଗି ଲଢ଼େଇ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀ ଦାସ କହିଛନ୍ତି ଯେ ବିଶ୍ବବିଦ୍ୟାଳୟର ମୁଷ୍ଟିମେୟ କର୍ମଚାରୀଙ୍କ ପାଇଁ ହଜାର ହଜାର ଛାତ୍ରଛାତ୍ରୀ ଓ ଅଭିଭାବକ ଅନ୍ଧାରରେ ରହିଛନ୍ତି। ପରୀକ୍ଷାରେ ବିଭ୍ରାଟ କରିଥିବା ପରୀକ୍ଷା ନିୟନ୍ତ୍ରକ ବ୍ରଜକିଶୋରଙ୍କୁ ତୁରନ୍ତ ବହିଷ୍କାର କରାଯାଉ। ପରୀକ୍ଷା ପରିଚାଳନା କମିଟିରେ ଥିବା ସମସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ନ ହେଲେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ।

ଏଆଇଡିଏସ୍‌ଓ ପକ୍ଷରୁ ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାସ ନାୟକ ଏକ ପ୍ରେସ୍ ବିବୃତି‌‌‌ରେ କହିଛନ୍ତି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଖାମଖିଆଲି ଭାବେ ଛାତ୍ରୀଙ୍କୁ ପରୀକ୍ଷା ଓ ପ୍ରଶ୍ନପତ୍ର ସମ୍ବନ୍ଧରେ ପୂର୍ବରୁ କୌଣସି ନିୟମାବଳୀ ପ୍ରଦାନ କରି ନ ଥିଲେ। ପରୀକ୍ଷାର ମାତ୍ର କିଛି ମିନିଟ୍ ପୂର୍ବରୁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ମେଲ୍ ପଠାଇଥିଲେ। ଫଳରେ ଅଫଲାଇନ୍ ଓ ଅନଲାଇନ୍‌ରେ ପରୀକ୍ଷା ଦେଉଥିବା ଅନେକ ଛାତ୍ରୀ କେତୋଟି ପ୍ରଶ୍ନର ଉତ୍ତର ଦେବେ ସଠିକ ଭାବେ ଜାଣି ପାରି ନ ଥିଲେ। ଛାତ୍ରୀମାନେ ଏବେ ସେମାନଙ୍କ ଉତ୍ତର ଖାତା ମୂଲ୍ୟାୟନ, ଫଳାଫଳ ଓ କ୍ୟାରିୟରକୁ ନେଇ ମାନସିକ ଚାପରେ ଗତି କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏଭଳି ବେପରୁଆ ପରୀକ୍ଷା ନିୟନ୍ତ୍ରୟଙ୍କୁ ହଟାଇବା ସହ ଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ। ନ ହେଲେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଶେଷ ହୋଇଛି। ତେବେ ଏଥିରେ ସ୍ପଷ୍ଟତା ନାହିଁ। ଛାତ୍ରୀମାନେ ଏବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହାର ଜବାବ ଦିଅନ୍ତୁ। ପରୀକ୍ଷାର୍ଥୀଙ୍କୁ ଦ୍ବନ୍ଦ୍ବରେ ନରଖି ମୂଲ୍ୟାୟନର ସ୍ପଷ୍ଟତା ରଖନ୍ତୁ।

ସମ୍ବନ୍ଧିତ ଖବର