ମରାମତି ବେଳେ ଶାନ୍ତିସ୍ତୂପରେ ଅଘଟଣ: ଭାଙ୍ଗିଗଲା ବୁଦ୍ଧଙ୍କ ମୁହଁ

ଧଉଳି: ଧଉଳି ଶାନ୍ତିସ୍ତୂପରେ ଚାଲିଥିବା ମରାମତି କାମ ବେଳେ ଘଟିଛି ଏକ ଅଘଟଣ। ବୁଦ୍ଧଙ୍କ ପ୍ରତିମୂର୍ତ୍ତିର ମୁହଁ ଭାଙ୍ଗିଯାଇଛି। ମରାମତି କାମ ନେଇଥିବା ଠିକାସଂସ୍ଥାର ଦାୟିତ୍ବହୀନତା ପାଇଁ ଏହି ଅଘଟଣ ଘଟିଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଘଟଣା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓବିସିସିର ଅଧିକାରୀମାନେ ଧଉଳି ଆସି ଛାନ୍‌ଭିନ୍‌ ଚଳାଇଛନ୍ତି ଓ ଭଙ୍ଗା ମୂର୍ତ୍ତିର ମରାମତି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

ସୂଚନାନୁସାରେ ଏବେ ସମଗ୍ର ଶାନ୍ତିସ୍ତୂପରେ ଲୁହା ପାଇପ୍‌ ଭାରା ବନ୍ଧାଯାଇଛି ଓ ମରାମତି କାମ ଚାଲିଛି। ଲୁହା ଭାରା ବାନ୍ଧିବା ବେଳେ ଅସାବଧାନତାବଶତଃ ପାଇପ୍‌ ବାଜି ବୁଦ୍ଧ ମୂର୍ତ୍ତି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। ପ୍ରବେଶ ପଥର ଡାହାଣ ପାର୍ଶ୍ବରେ ଥିବା ଧ୍ୟାନମଗ୍ନ ମୂର୍ତ୍ତିର ମୁହଁ ଓ ଓଠରୁ ପଥର ଟୁକୁଡ଼ା ଖଣ୍ଡ ଛାଡ଼ିଯାଇଛି। କଳିଙ୍ଗ ନିପନ ବୁଦ୍ଧ ସଂଘ ନଜରରେ ଏହା ପଡ଼ିବା ପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ଖବର ପାଇ ଓବିସିସିର ନିର୍ବାହୀ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଶାନ୍ତିସ୍ତୂପରେ ପହଞ୍ଚି ଯାଞ୍ଚ କରିଥିଲେ। ଓବିସିସି ଓ କଳିଙ୍ଗ ନିପନ ବୁଦ୍ଧ ସଂଘର ମିଳିତ ସହଯୋଗରେ ମୂର୍ତ୍ତି ମରାମତି କାର୍ଯ୍ୟ କରାଯିବ ବୋଲି ଆଲୋଚନା ହୋଇଛି। ସେହିପରି ଆସନ୍ତାକାଲି ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଏକ ଟିମ୍‌ ଶାନ୍ତିସ୍ତୂପରେ ପହଞ୍ଚି ମୂର୍ତ୍ତି ଭଙ୍ଗା ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର