ଦେବୀ ପାଦହରା ବାଇ-ଲ’ ବିବାଦରୁ ବଢ଼ୁଛି ଅସନ୍ତୋଷ, ଜୋର୍ ଧରୁଛି ସମନ୍ବୟରେ ବିକାଶ ଦାବି

ପୁରୁଣା ଭୁବନେଶ୍ବର, ୩୦/୬ (ଇମିସ): ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ପ୍ରକଳ୍ପ ଆଗେଇ ଚାଲିଥିବା ବେଳେ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ପକ୍ଷରୁ ଗୋଟିକ ପରେ ଗୋଟିଏ ହୋଇ ଆସୁଥିବା ବାଇ-ଲ’ ବିବାଦୀୟ ସ୍ଥିତି ସୃଷ୍ଟି କରୁଛି। ପୂର୍ବରୁ ବ୍ରହ୍ମେଶ୍ବର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ବାଇ-ଲ’ ଲାଗୁ କରାଯାଇଛି। ଏବେ ଦେବୀ ପାଦହରା (ସହସ୍ର ଲିଙ୍ଗ) ପୁଷ୍କରିଣୀର ସୁରକ୍ଷା ପାଇଁ ଏନ୍ଏମ୍ଏ ପକ୍ଷରୁ ବାଇ-ଲ’ ପ୍ରସ୍ତୁତ କରାଯାଇଛି। ଫଳରେ ଏକାମ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ବୟ ରଖି ବିକାଶ କାର୍ଯ୍ୟ କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ଦେବୀ ପାଦହରା ପୁଷ୍କରିଣୀ କ୍ଷେତ୍ରରେ ଏନ୍‌ଏମ୍‌ଏ ବାଇ-ଲ’ କାର୍ଯ୍ୟକାରୀ ହେଲେ ଏକାମ୍ର ବିକାଶ ପ୍ରକଳ୍ପର କିଛି କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏହି ପୁଷ୍କରିଣୀର ୧୦୦ ମିଟର ପରିଧି ଭିତରେ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ, ଶ୍ରୀଲିଙ୍ଗରାଜ ଥାନା ଓ ପର୍ଯ୍ୟଟନ ସୂଚନା କେନ୍ଦ୍ରକୁ ଅବସ୍ଥାପିତ କରିବାକୁ ଯୋଜନା ରହିଛି। ଏହା ସାଧାରଣ ଲୋକ ଓ ପର୍ଯ୍ୟଟକଙ୍କୁ ସହାୟକ ହେବ। କିନ୍ତୁ ବାଇ-ଲ’ କାର୍ଯ୍ୟକାରୀ ହେଲେ ପୁଷ୍କରିଣୀର ୧୦୦ ମିଟର ପରିଧି ଭିତରେ ଏହି ତିନି କାର୍ଯ୍ୟାଳୟ ନିର୍ମାଣ ସମ୍ଭବ ହେବ ନାହିଁ। ଅବଶ୍ୟ ଏନେଇ ଯଦି ଜନ ସାଧାରଣଙ୍କର କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ଜୁଲାଇ ୧୫ ତାରିଖ ସୁଦ୍ଧା ଜଣାଇବାକୁ ଏନ୍‌ଏମ୍ଏ ପକ୍ଷରୁ କୁହାଯାଇଛି। କିନ୍ତୁ ହଠାତ୍ ଏହି ବାଇ-ଲ’ ଅଣାଯିବା ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରୁ ବିରୋଧ ପ୍ରତିକ୍ରିୟା ମିଳିଛି।

ଏନେଇ ବିଜେପି ନେତା ଅମୀୟ ଦାଶଙ୍କ କହିବା କଥା ଦେବୀ ପାଦହରା ପୁଷ୍କରିଣୀର ୧୦୦ମିଟର ପରିଧି ଭିତରେ ମନ୍ଦିର କାର୍ଯ୍ୟାଳୟ, ଶ୍ରୀଲିଙ୍ଗରାଜ ଥାନା ଓ ପର୍ଯ୍ୟଟନ ସୂଚନା କେନ୍ଦ୍ର ରହୁ ବୋଲି ସ୍ଥାନୀୟ ଲୋକଙ୍କ ପ୍ରସ୍ତାବ ରହିଛି। ସେହିଭଳି ବାଇ-ଲ’ କାର୍ଯ୍ୟକାରୀ ହେଲେ ଏହା ନିକଟରେ ରହୁଥିବା ଲୋକମାନେ ଘର କରିବାକୁ ହଇରାଣ ହେବେ। ଏଣୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉତ୍ତମ ସମନ୍ବୟ ରକ୍ଷା କରି କାର୍ଯ୍ୟ କଲେ ବିକାଶ କାର୍ଯ୍ୟ ସହ ଐତିହ୍ୟ ସୁରକ୍ଷା ହୋଇପାରିବ ବୋଲି ସେ କହିଛନ୍ତି। ଏନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କଡ଼ା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର କବାଟ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ବେଳେ ଏଏସ୍ଆଇ ତା’ର ରକ୍ଷଣାବେକ୍ଷଣ କରିପାରୁନାହିଁ। ନୂଆ କବାଟ ଲଗାଇବା ଜରୁରୀ ହୋଇପଡ଼ିଥିବା ବେଳେ ଏଏସ୍‌ଆଇ ତାହା ପାରୁନାହିଁ।

ଅଥଚ ବାଇ-ଲ’ ବାହାନାରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଛି। ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମନ୍ବୟ କମିଟି ଗଠନ ହେବା ଉଚିତ। ସମନ୍ବୟ ରହିଲେ ହିଁ ବିକାଶ କାର୍ଯ୍ୟ ହୋଇପାରିବ। ବିଜେଡି ସମ୍ପାଦକ ରଞ୍ଜିତ ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ବାଇ-ଲ’କୁ ପ୍ରସଙ୍ଗ କରି ଏକାମ୍ର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି। ଶ୍ରୀକ୍ଷେତ୍ର ପାଇଁ ବାଇ-ଲ’ ଉଠି ଯାଇଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ ଜାଣିଶୁଣି ଅଣଦେଖା କରାଯାଇଛି। ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଇବା ସହ ଏକାମ୍ର କ୍ଷେତ୍ରର ବିକାଶକୁ ଅଟକାଇବାକୁ ଏହା ଏକ ବିଧିବଦ୍ଧ ଯୋଜନା ବୋଲି ସେ ଅଭିଯୋଗ କରିଛନ୍ତି। ଲୋକଙ୍କ ସ୍ବାର୍ଥ ଦୃ‌ଷ୍ଟିରୁ କେନ୍ଦ୍ର ସରକାର ଏହାକୁ ହଟାଇ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର