ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀରେ ଏକ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ଜଟଣୀ ମହାବିଦ୍ୟାଳୟ ଜଣାଶୁଣା। ଏହି ମହାବିଦ୍ୟାଳୟ ୪୮ ବର୍ଷରେ ପଦାର୍ପଣ କରିଛି। କିନ୍ତୁ ଏଯାଏ ମହାବିଦ୍ୟାଳୟ ନାମରେ ଜମି ରେକର୍ଡଭୁକ୍ତ ହୋଇ ପାରିନାହିଁ। ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ପ୍ରତିଶ୍ରୁତିରେ ହିଁ ସୀମିତ ରହିଛି ସମସ୍ୟାର ସମାଧାନ। ଅନ୍ୟପଟେ ମହାବିଦ୍ୟାଳୟ ଜମି ଜବରଦଖଲକୁ ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ମାମଲାରେ ପ୍ରଶାସନ ନିରବ ରହିବା ସନ୍ଦେହ ସୃଷ୍ଟି କରୁଛି। ଅବଶ୍ୟ ଗତବର୍ଷ ଡିସେମ୍ବର ଶେଷସୁଦ୍ଧା ମହାବିଦ୍ୟାଳୟ ନାଁରେ ଜମି ରେକର୍ଡ ହୋଇଯିବ ବୋଲି ପୂର୍ବତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ସେ ଜିଲ୍ଲାପାଳଙ୍କ ବଦଳି ହେବାପରେ ସ୍ଥିତି ପୁଣି ପୂର୍ବକୁ ଫେରି ଯାଇଛି।
୧୯୭୬ ମସିହାରେ ଜଟଣୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଗତ ୪୮ ବର୍ଷ ଭିତରେ କଲେଜର ବିଭିନ୍ନ କାର୍ଯ୍ୟକ୍ରମକୁ ବଡ଼ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଅତିଥି ହୋଇ ଆସୁଛନ୍ତି। ସେମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ସମସ୍ୟାର ସମାଧାନ ହେଉନି। ମହାବିଦ୍ୟାଳୟ ନାମରେ ଜମି ରେକର୍ଡଭୁକ୍ତ ନହେବାରୁ ୟୁଜିସି ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ପାଇବାରୁ ଅନୁଷ୍ଠାନଟି ବଞ୍ଚିତ ହେଉଛି। ପାଣ୍ଠି ଅଭାବରୁ ଭିତ୍ତିଭୂମି ରୁଗ୍ଣ ହୋଇଗଲାଣି। ପୁରୁଣା ଶ୍ରେଣୀଗୃହ ସାଙ୍ଗକୁ ପରୀକ୍ଷାଗାର, ପାଠାଗାର ଓ ଖେଳପଡ଼ିଆ ଆଦିର ସ୍ଥିତି ଅତି ଖରାପ ହୋଇ ଗଲାଣି। ସେଗୁଡ଼ିକର ଉନ୍ନତୀକରଣ କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ ମହାବିଦ୍ୟାଳୟର ଚାରିପାଖରେ ଜମି ଜବରଦଖଲ ଆରମ୍ଭ ହୋଇଯାଇଛି। ଯଦି ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ ନକରେ, ତାହେଲେ ଜବରଦଖଲ ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଉଛି।
ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ କର କହିଛନ୍ତି, ବର୍ଷ ପରେ ବର୍ଷ ଗଡ଼ି ଚାଲିଛି, କିନ୍ତୁ ମୁଖ୍ୟ ସମସ୍ୟା ମହାବିଦ୍ୟାଳୟ ନାଁରେ ଜମି ରେକର୍ଡଭୁକ୍ତ ହୋଇପାରିଲା ନାହିଁ। ପ୍ରତିଶ୍ରୁତି ଅନୁସାରେ କାମ ହୋଇପାରୁନି। କିଛି ଅସାମାଜିକ ବ୍ୟକ୍ତି ଖାଲି ପଡ଼ିଥିବା ଜାଗାକୁ ଜବରଦଖଲ କରି କ୍ୟାବିନ୍ ଓ ଆଜବେଷ୍ଟ୍ସ ଘର ତିଆରି କରିଦେଲେଣି। ମହାବିଦ୍ୟାଳୟ ଜମି ଜବରଦଖଲ ଦ୍ବାରା ଆଗକୁ ବହୁତ ଅଶାନ୍ତ ବାତାବରଣ ସୃଷ୍ଟିହେବ। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ସୃଷ୍ଟି ଦେବା ଉଚିତ।