ଟିକାକେନ୍ଦ୍ରରେ ରାଜନୀତିରୁ ଅସନ୍ତୋଷ, ଏଣିକି ଧାଡ଼ିରୁ ପଞ୍ଜୀକରଣ କରିବେ ସ୍ବାସ୍ଥ୍ୟକର୍ମୀ

ବାଲିପାଟଣା: ଟିକାକେନ୍ଦ୍ରରେ ଚାଲିଥିବା ରାଜନୀତିକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜନୈତିକ ଚାପରେ ଗଳାବାଟ ଦେଇ ଲୋକଙ୍କୁ ଟିକା ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଧାଡ଼ିରେ ଅପେକ୍ଷା କରିଥିବା ଲୋକଙ୍କୁ ଟିକା ମିଳୁନଥିବା ବେଳେ ପଛ ଦରଜାରେ ପଶି କିଛି ଲୋକେ ଟିକା ନେଉଥିବା ଅଭିଯୋଗ ହୋଇ ଆସୁଛି। ଫଳରେ କିଛି ଟିକା କେନ୍ଦ୍ରରେ ଗଣ୍ଡଗୋଳ ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି। ତେଣୁ ଏଣିକି ସ୍ବାସ୍ଥ୍ୟକର୍ମୀମାନେ କେବଳ ଧାଡ଼ିରେ ଅପେକ୍ଷା କରିଥିବା ଲୋକଙ୍କ ପଞ୍ଜୀକରଣ କରି ଟିକା ଦେବେ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବନମାଳୀପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।

ଧାଡ଼ିରେ ଘଣ୍ଟାଘଣ୍ଟା ଠିଆ ହୋଇଥିବା ଲୋକେ ଟିକା ନପାଇ ହତାଶ ହୋଇଥିଲେ। ଅଥଚ ଧାଡ଼ିରେ ନଥାଇ ବି କିଛି ଲୋକଙ୍କୁ ଟିକା ମିଳିଥିଲା। ଏହା ଦେଖି ଧାଡ଼ିରେ ଥିବା ଲୋକେ ହୋ-ହଲ୍ଲା କରିଥିଲେ। ସ୍ଥାନୀୟ ରାଜ‌ନୖତିକ ବ୍ୟକ୍ତିବିଶେଷ ଗଳାବାଟରେ ନାମ ପଞ୍ଜୀକରଣ କରାଇଥିବା ଅଭିଯୋଗ କରି ଲୋକେ ପାଟିତୁଣ୍ଡ କରିଥିଲେ। ଫଳରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଟିକାକରଣ ବନ୍ଦ ହୋଇଯାଇଥିଲା। ପରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଟିକାକରଣ ଚାଲିଥିଲା। ସେହିଭଳି ତୁରିନ୍ତିରା ପଞ୍ଚାୟତ ବିପିନ ବିହାରୀ ସ୍କୁଲ ଟିକା କେନ୍ଦ୍ରରେ ଶତାଧିକ ଲୋକ ଘଣ୍ଟାଘଣ୍ଟା ଅପେକ୍ଷା କରି ରହିଥିଲେ। କିନ୍ତୁ ପରେ ଜଣାପଡିଥିଲା ଯେ ଟିକା ଶେଷ ହୋଇଯାଇଛି। ଟିକାକରଣ ବନ୍ଦ ବୋଲି ଲୋକଙ୍କୁ ଆଗୁଆ ସୂଚନା ଦିଆଯାଇନଥିବାରୁ ଉପସ୍ଥିତ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ବିଡିଓ ଆଦିକନ୍ଦ ବେହେରାଙ୍କ କହିବା କଥା ଏଭଳି ଅଭିଯୋଗ ମିଳିବା ପରେ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମ‌ାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଏଣିକି ଟିକା କେନ୍ଦ୍ରରେ ସିଧାସଳଖ ଧାଡ଼ିରେ ଥିବା ଲୋକଙ୍କ ନାମ ପଞ୍ଜୀକରଣ କରି ଟିକା ଦେବେ।

ସମ୍ବନ୍ଧିତ ଖବର