ଖଣ୍ଡଗିରି ଫ୍ଲାଏଓଭର ଖୋଲିବା ପରେ ଏମ୍‌ସ ଅଣ୍ଡରପାସ୍‌କୁ ନେଇ ଦାନା ବାନ୍ଧୁଛି ଅସନ୍ତୋଷ

ଶନି ମନ୍ଦିର ପାଖରେ ତିଆରି ହେବ ଅଣ୍ଡରପାସ୍: ଏନ୍‌ଏଚ୍‌ଏଆଇ

ଭୁବନେଶ୍ବର : ଅଣ୍ଡରପାସ୍ ତ ନୁହେଁ, ଛୋଟମୋଟ ଗାଡ଼ି ପାଇଁ ଏକ ଅଣଓସାରିଆ ଗଳାବାଟ। ମୋ ବସ୍ ବା ୧୦୮ ଆମ୍ବୁଲାନ୍ସ କିମ୍ବା ବିଏମ୍‌ସିର ଅଳିଆ ଗାଡ଼ିକୁ ୧୫ ମିନିଟ୍ ଲାଗିବ ଅଣ୍ଡରପାସ୍ ଦେଇ ଆରପଟ ରାସ୍ତାକୁ ଯିବାକୁ। ଦୀର୍ଘ ବର୍ଷ ହେବ ଏମ୍‌ସ ଅଣ୍ଡରପାସ୍‌‌ରେ ଏମିତି ସମସ୍ୟା ଲାଗି ରହିଛି। ଏନେଇ ସ୍ଥାନୀୟ ବାସିନ୍ଦା ଅନେକଥର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି।

ଅପରପକ୍ଷରେ ଖଣ୍ଡଗିରି ଫ୍ଲାଏଓଭର୍‌ରେ ଗାଡ଼ି ଗଡ଼ିବା ପରେ କସ୍‌ମୋପଲିସ୍ ଛକରେ ଥିବା ଟ୍ରାଫିକ୍ ପୋଷ୍ଟକୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ଯଦୁପୁର, ବେଗୁନିଆ, ଡୁମୁଡୁମା ଗାଁ, ସରକନ୍ତରା, ବାହଦଲପୁର, ରଘୁନାଥନଗର, ଡୁମୁଡୁମାର ଫେଜ୍ ୧,୨,୩,୪,୫,୬ ଓ ୭, କସ୍‌ମୋପଲିସ୍ ପ୍ରମୁଖ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାକୁ ଯାଉଛି। ଯଦି ଏସବୁ ଅଞ୍ଚଳର ଜନସଂଖ୍ୟାକୁ ହିସାବକୁ ନିଆଯାଏ, ତେବେ ସଂଖ୍ୟା ଲକ୍ଷେ ପାର୍ ହେବ। ତେଣୁ ବର୍ତ୍ତମାନ ଏହି ଅଞ୍ଚଳର ବାସିନ୍ଦା ଯାତାୟାତ ପାଇଁ ଶନି ମନ୍ଦିର କଟ୍ ନଚେତ୍ ଏମ୍‌ସ ଅଣ୍ଡରପାସ୍‌ ଉପରେ ନିର୍ଭର କରିବେ। ତେଣୁ ଆଗକୁ ସମସ୍ୟା ଆହୁରି ବଢ଼ିବ।

କେବଳ ସେତିକି ନୁହେଁ, ଅଣ୍ଡରପାସ୍‌ର ଦୁଇପାର୍ଶ୍ବରେ ଥିବା ଚଳପ୍ରଚଳ ରାସ୍ତା ପ୍ରଶସ୍ତ ଆବଶ୍ୟକ କରୁଛି। କାରଣ ଗୋଟେ ପଟେ ଆଳୁଗଦି ଭଳି ରାଜଧାନୀର ଏକ ବୃହତ୍ ବ୍ୟାବସାୟିକ ପ୍ରତିଷ୍ଠାନ ଥିବା ବେଳେ ଅନ୍ୟ ପଟେ ଜାତୀୟସ୍ତରର ଚିକିତ୍ସାଳୟ ଏମ୍ସ, କିଡ୍ସ ହସ୍ପିଟାଲ, ଆଇଟିସି ହୋଟେଲ, ଆଇଏଚ୍‌ଏମ୍ ଶିକ୍ଷାନୁଷ୍ଠାନ, କୃଷିର ଦୁଇଟି ବଡ଼ ପ୍ରତିଷ୍ଠାନ ରହିଛି। ଏପରି ସ୍ଥଳେ ରାସ୍ତାର ଓସାର ଖୁବ୍ କମ୍ ହୋଇଥିବାରୁ ଉଭୟ ପଟୁ ଗାଡ଼ି ଯାତାୟାତ ସମୟରେ ଅସମ୍ଭାଳ ଭିଡ଼ ହେଉଛି। ଅଣ୍ଡରପାସ୍ ବହୁତ ଛୋଟ ହୋଇଥିବାରୁ ଖଣ୍ଡଗିରି ପଟୁ ଆସୁଥିବା ପରିବା, ଆଳୁ ଓ ଅନ୍ୟାନ୍ୟ ମାଲ୍ ଗାଡ଼ି ଶନି ମନ୍ଦିର କଟ୍‌ ଦେଇ ଡାହାଣ ପାର୍ଶ୍ବରେ ଥିବା ସର୍ଭିସ୍ ରାସ୍ତାରେ ଯାଉଛନ୍ତି। ଶନି ମନ୍ଦିରସ୍ଥିତ କଟ୍‌ର ଓସାର୍ ଖୁବ୍ କମ୍ ଥିବାରୁ ଗାଡ଼ି ବୁଲାଇବା ପାଇଁ ସମସ୍ୟା ହେଉଛି। ରାସ୍ତା ଜାମ୍ ହେବା ସହ ଦୁର୍ଘଟଣା ଘଟୁଛି।

ତେବେ ଏନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି, ଖୋର୍ଦ୍ଧା ପଟୁ ଫ୍ଲାଏଓଭର୍ କାମ ଶେଷ ହୋଇଗଲେ, ଏନ୍‌ଏଚ୍ ଉପରେ ଥିବା ସବୁ ମେଡିଆନ୍ କଟ୍ ବନ୍ଦ ହୋଇଯିବ। ଏଥିପାଇଁ ବିଭିନ୍ନ ଛକରେ ଅଣ୍ଡରପାସ୍ କାମ ଆରମ୍ଭ ହୋଇଯାଇଛି। ସେହିଭଳି ଏମ୍‌ସ ନିକଟରେ ଅଣ୍ଡରପାସ୍ ବହୁତ ଛୋଟ ଥିବାରୁ ଖୋର୍ଦ୍ଧା ଆଡ଼କୁ ୩ଶହ ମିଟର ଦୂର ଶନି ମନ୍ଦିର ପାଖରେ ଆଉ ଏକ ଅଣ୍ଡରପାସ୍ ତିଆରି ହେଉଛି। ଯାହାର ଉଚ୍ଚତା ୪.୫ମିଟର ଥିବା ବେଳେ ଓସାର ୧୨ମିଟର ରହିଛି। ଏବେ ସେଠାରେ ଜବରଦଖଲ କରି ଗଢ଼ି ଉଠିଥିବା ମାର୍କେଟ୍‌କୁ ଉଚ୍ଛେଦ କରାଯାଇଛି। ଆଗାମୀ ୧୫ଦିନ ମଧ୍ୟରେ ସେଠାରେ କାମ ଆରମ୍ଭ ହୋଇଯିବ। କାମ ସରିବାକୁ ଆଉ ୮ ମାସ ଲାଗିବ। ଏହି ୮ମାସ ଶନି ମନ୍ଦିର କଟ୍‌ ଦେଇ ଗାଡ଼ି ଯାତାୟାତ କରିବ।

ଅଣ୍ଡରପାସ୍‌ର ପ୍ରଶସ୍ତୀକରଣ ହେଉ ନଚେତ୍ ଆଉ ଗୋଟିଏ କରାଯାଉ
ଗତ ମାର୍ଚ୍ଚ ୨୮ରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ସଂସଦୀୟ କମିଟିର ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଡ଼କ ସୁରକ୍ଷା ଜନିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ଏମ୍‌ସ ଅଣ୍ଡରପାସ୍‌ର ପ୍ରଶସ୍ତୀକରଣ ପାଇଁ ଦାବି କରାଯାଇଥିଲା। ପ୍ରଶସ୍ତୀକରଣ କରିବା ଯଦି ସମ୍ଭବ ନୁହେଁ, ତେବେ ଗାଡ଼ି ଦୁଇ ପଟେ ଯିବା ଆସିବା ପାଇଁ ଆଉ ଏକ ଅଣ୍ଡରପାସ୍ କରିବା ପାଇଁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ମଧ୍ୟ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଫ୍ଲାଏଓଭର୍‌ କାମ ଶେଷ ହେବା ପରେ ମଧ୍ୟ ଅଣ୍ଡରପାସ୍‌ ସମସ୍ୟାର ସମାଧାନ ନ କରିବା ଦୁର୍ଭାଗ୍ୟଜନକ।
ସୟଦ୍ ମକବୁଲ୍ ଅଲ୍ଲୀ, ପ୍ରିଭେନ୍‌ସନ୍ ଅଫ୍ ଆକ୍ସିଡେଣ୍ଟ
ସୋସାଇଟି(ପାସୋ)ର କାର୍ଯ୍ୟକାରୀ ସଭାପତି

ଶନି ମନ୍ଦିର କଟ୍‌କୁ ଅଧିକ ପ୍ରଶସ୍ତ କରାଯାଉ
ରାଜଧାନୀର ସବୁଠାରୁ ବଡ଼ ହୋଲ୍‌ସେଲ୍ ବ୍ୟବସାୟୀ ପ୍ରତିଷ୍ଠାନ ଆଳୁଗଦି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାଶୀଳ ନୁହନ୍ତି। ଯେତେବେଳେ ଏମ୍‌ସ ଛକରେ ଅଣ୍ଡରପାସ୍ ହେଲା, ସେତେବେଳେ ଆଳୁଗଦିକୁ ୬ ଚକିଆ ଟ୍ରକ୍‌ରେ ୧୦ ଟନ୍‌ର ଆଳୁ, ପରିବା, ଟମାଟୋ ଆଦି ମାଲ୍ ଆସୁଥିଲା। ଏବେ ୧୪ ଚକିଆ ଟ୍ରକ୍‌ରେ ୩୦ଟନ୍ ପର୍ଯ୍ୟନ୍ତ ପରିବା, ଆଳୁ ଆଦି ମାଲ୍ ଆସୁଛି। ତେଣୁ କଟ୍‌ରେ ଗାଡ଼ି ବୁଲାଇବାକୁ ସମସ୍ୟା ହେଉଛି। ଗାଡ଼ିଗୁଡ଼ିକ ଅନୁପାତରେ ଶନି ମନ୍ଦିର ପାଖରେ ହୋଇଥିବା କଟ୍ ପୂରା ଛୋଟ। ତେଣୁ ଏକା ଥରେ ଗାଡ଼ି ବୁଲାଇବା ସମ୍ଭବ ନୁହେଁ। ଅପରପକ୍ଷରେ ସର୍ଭିସ୍ ରାସ୍ତା ବି ଅଣଓସାରିଆ ଯୋଗୁଁ ଏପଟୁ ଟ୍ରକ୍ ପଶିଲେ ଆରପଟୁ ଗାଡ଼ି ଆସି ପାରୁନାହିଁ। ଯେଉଁଥିପାଇଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ହେଉଛି। ତେଣୁ ଶନିମନ୍ଦିର ପାର୍ଶ୍ବସ୍ଥ କଟ୍‌କୁ ଅଧିକ ଲମ୍ବା କରିବା ସହ ସର୍ଭିସ୍ ରାସ୍ତାକୁ ପ୍ରଶସ୍ତ କରାଯାଉ।
ଶକ୍ତିଶଙ୍କର ମିଶ୍ର, କୁବେରପୁରୀ ବ୍ୟବସାୟୀ ସଂଘର ସଂପାଦକ ଓ ଆଇନଜୀବୀ

ଜନସଂଖ୍ୟା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ସଦୃଶ
ଫ୍ଲାଏଓଭର୍‌ରେ ମେଡିଆନ୍ କଟ୍ ବା ଟ୍ରାଫିକ୍ ପୋଷ୍ଟ ରହିବନି। ଏନ୍‌ଏଚ୍‌ଏଆଇର ଏହି ନିୟମକୁ ଆମେ ସ୍ବାଗତ କରୁଛୁ। ମାତ୍ର ଡୁମୁଡୁମା, ଯଦୁପୁର, ବେଗୁନିଆ ତଥା ଏହାର ଆଖାପାଖ ଅଞ୍ଚଳରେ ଏବେ ଲକ୍ଷେରୁ ଅଧିକ ଲୋକ ରହୁଛନ୍ତି। ସେମାନେ ଯାତାୟାତ ପାଇଁ ପ୍ରାୟତଃ ଏମ୍‌ସ ଅଣ୍ଡରପାସ୍‌କୁ ବ୍ୟବହାର କରିବେ। ଯେଉଁଥି ପାଇଁ ସେଠାରେ ଅସମ୍ଭାଳ ଭିଡ଼ ହେବ। ଜନସଂଖ୍ୟା ଦୃଷ୍ଟିରୁ ଅଣ୍ଡରପାସ୍ ହେଉଛି ସମୁଦ୍ରକୁ ଶଙ୍ଖେ ଭଳି। ଏଠାରେ ବି ଗୋଟେ ଟ୍ରାଫିକ୍ ପୋଷ୍ଟ ନାହିଁ। ଅପରପକ୍ଷରେ ଅଣ୍ଡରପାସ୍‌ ଛୋଟ ହୋଇଥିବାରୁ ବାରମ୍ବାର ଆମ୍ବୁଲାନ୍ସ ବର୍ତ୍ତମାନ ସମୟରେ ଫସୁଛି। ଲକ୍‌ଡାଉନରେ ଯଦି ଏଭଳି ସ୍ଥିତି ପରିସ୍ଥିତି, ସ୍ବାଭାବିକ ହେଲେ ଅବସ୍ଥା କ’ଣ ହେବ, ଚିନ୍ତା କରନ୍ତୁ। ଏହି ସବୁକୁ ଦୃଷ୍ଟିରେ ରଖି ଆଳୁଗଦିରୁ ପାତ୍ରପଡ଼ା ମଝିରେ ଆଉ ଏକ ଅଣ୍ଡରପାସ୍ ହେଉ ନଚେତ୍ ଏମ୍‌ସ ଛକ ପୂର୍ବରୁ ଏକ ଅଣ୍ଡରପାସ୍ କରାଯାଉ।
ମୁଜାହିଦ୍ ହୁସେନ୍, ପୂର୍ବତନ କର୍ପୋରେଟର୍

ଏନ୍‌ଏଚ୍‌ଏଆଇ ଏଥିପ୍ରତି ଦୃଷ୍ଟି ଦେଉ

ଏମ୍‌ସ ଅଣ୍ଡରପାସ୍‌ରେ ଟ୍ରାଫିକ୍ ବ୍ୟବସ୍ଥା ନଥିବାରୁ ଉଭୟ ପାର୍ଶ୍ବରୁ ଗାଡ଼ି ଏହି ରାସ୍ତାରେ ଯାଉଛି। ଅନେକ ସମୟରେ ବଡ଼ ଗାଡ଼ି ମଧ୍ୟ ଏହି ଅଣ୍ଡରପାସ୍‌ରେ ଯାଉଥିବାରୁ ଗାଡ଼ିଗୁଡ଼ିକ ଫସି ଯାଉଛି। ଯେଉଁଥିପାଇଁ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ସେଥିପାଇଁ ତଳେ ଅର୍ଥାତ୍ ଅଣ୍ଡରପାସ୍‌ରେ କେବଳ ବାଇକ୍, କାର୍ ଓ ଅନ୍ୟାନ୍ୟ ଛୋଟ ଗାଡ଼ି ଯାତାୟାତ କରୁ ଏବଂ ଟ୍ରକ୍, ବସ୍ ଭଳି ବଡ଼ ଗାଡ଼ି ଶନି ମନ୍ଦିର କଟ୍‌ରେ ଯାତାୟାତ କରନ୍ତୁ। ନଚେତ୍ ଆଗାମୀ ଦିନରେ ଏମ୍‌ସ ଅଣ୍ଡରପାସ୍ଏ କ ବ୍ଲାକସ୍ପଟ୍ ଭାବେ ପରିଗଣିତ ହେବ।
ଦେବାଶିଷ ପଣ୍ଡା, ସ୍ଥାନୀୟ ବାସିନ୍ଦା

ସମ୍ବନ୍ଧିତ ଖବର