ଅସନ୍ତୁଷ୍ଟ ବିଜେଡି କର୍ମୀ କଲେ ପଦଯାତ୍ରା, ଆସିଲେନି ବିଧାୟକ

ସମର୍ଥକ-ବିରୋଧୀ ମୁହାଁମୁହିଁ

ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡିରେ ବିଧାୟକ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ବଢ଼ିବାରେ ଲାଗିଛି। ଆଜି ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତରେ ବିଜେଡି ପଦଯାତ୍ରାକୁ ବିଧାୟକ ଅରବିନ୍ଦ ଢାଲି ନଆସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧ ପାଇଁ ଶହ ଶହ ସଂଖ୍ୟାରେ ବିଜେଡିର ଅସନ୍ତୁଷ୍ଟ କର୍ମୀ ଓ ନେତା ଏକାଠି ହେବା ଖବର ପାଇ ବିଧାୟକ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ କରିଥିବା ଆଲୋଚନା ହେଉଛି। ପଦଯାତ୍ରା ପାଇଁ ବାଜା, ବାଣ, ଘୋଡ଼ାନାଚ ଆରମ୍ଭ ହୋଇ ଯାଇଥିଲା। ସଭା ସ୍ଥଳରେ କର୍ମୀମାନେ ବିଧାୟକଙ୍କୁ ଅପେକ୍ଷା କରିଥିଲେ। ହେଲେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବି ବିଧାୟକ ଆସିନଥିଲେ। ବିଧାୟକଙ୍କ କାର୍ଯ୍ୟକ୍ରମ ବାତିଲ ହେବା ପରେ ଦଳ ତରଫରୁ ହାତଗଣତି ଅତିଥିଙ୍କୁ ନେଇ ସଭା କରାଯାଇଥିଲା।

ବିଧାୟକଙ୍କ ବାଲିପାଟଣା ବ୍ଲକ ପ୍ରତିନିଧି କୈଳାସ ସେଠୀ ସଭା ପରିଚାଳନା କରିଥିଲେ। ସ୍ଥାନୀୟ ସମିତି ସଭ୍ୟ ସନାତନ ସେଠୀ, ବରିଷ୍ଠ ନାଗରିକ ମଞ୍ଚ ସଂପାଦକ ଟହଲି ଭୋଇ ପ୍ରମୁଖଙ୍କୁ ନେଇ ସଭା ହୋଇଥିଲା। ଅପରପକ୍ଷରେ ଅସନ୍ତୁଷ୍ଟ କର୍ମୀମାନେ ପଦଯାତ୍ରା ଆୟୋଜନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପୁଲିସ ସଭାସ୍ଥଳ ବିପରୀତ ଦିଗରେ ପଦଯାତ୍ରା କରିବା ପାଇଁ ପରମର୍ଶ ଦେଇଥିଲା। ତେଣୁ ଶତାଧିକ କର୍ମୀ ପଦଯାତ୍ରାରେ ହରିହର ପୀଠ ପର୍ଯ୍ୟନ୍ତ ଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲିପାଟଣା ବ୍ଲକ ବିଜେଡି ସଭାପତି କିଶୋର ଜେନା, ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ପବିତ୍ର ମୋହନ ପଟେଲ, ସୁକନ୍ୟା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

ଅପରପକ୍ଷରେ ସଭାସ୍ଥଳରେ ବିଧାୟକଙ୍କ ସମର୍ଥକ ଓ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ ପରିସ୍ଥିତି ଉପୁଜିଥିଲା। ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହୋଇଥିଲା। ଭୁବନେଶ୍ୱର ଜୋନ ୪ ଏସିପି ସତ୍ୟନାରାୟଣ ମୁଦୁଲି, ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଓ ଟିମ୍‌ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ। ସୂଚନା ଅନୁସାରେ, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବିଜେଡି ତରଫରୁ ପଦଯାତ୍ରା କରାଯାଉଛି। ଆଜି ବାଲିପାଟଣା ବ୍ଲକ ତୁରନ୍ତିରା ପଞ୍ଚାୟତରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୂର୍ବାହ୍ନ ୧୧ଟାରେ ବିଧାୟକ ଅରବିନ୍ଦ ଢାଲିଙ୍କ ପଦଯାତ୍ରା ପାଇଁ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର