ମାଟ୍ରିକ ଫଳକୁ ନେଇ ଅସନ୍ତୋଷ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ବାହାରିଛି। କିନ୍ତୁ ଫଳକୁ ନେଇ ପୁରୁଣା ଭୁବନେଶ୍ବର ସ୍ଥିତ ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ ମାନେ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଟଙ୍କପାଣି ରୋଡ ସ୍ଥିତ ବ୍ରହ୍ମେଶ୍ବର ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ଘଟଣାସ୍ଥଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରି ରାସ୍ତାରୁ ଉଠାଇ ଥିଲେ ମଧ୍ୟ ବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଉତ୍ତୋଜନା ଲାଗି ରହିଥିଲା।
ଜଣେ ଅଭିଭାବକ କହିଛନ୍ତି, ରେଜଲ୍ଟ ବାହାରିବା ଦିନରୁ ତାଙ୍କ ଝିଅର ମାନସିକ ଅବସ୍ଥା ଠିକ ନାହିଁ। ସେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ୪୦୦ରୁ ଅଧିକ ମାର୍କ ଆଶା କରିଥିବା ବେଳେ ତାଙ୍କର ମାତ୍ର ୨୧୫ ମାର୍କ ଆସିଛି। ଯାହା ୯ମ ବାର୍ଷିକ ପରୀକ୍ଷା ଫଳ ଠାରୁ ମଧ୍ୟ କମ୍।

ସେହିଭଳି ଛାତ୍ର ଚିତ୍ତରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ସେ ୭୦-୭୫ ପ୍ରତିଶତ ମାର୍କ ରଖିବା ନେଇ ଆଶା କରିଥିଲେ କିନ୍ତୁ ତାଙ୍କର ମାତ୍ର ୩୩ ପ୍ରତିଶତ ମାର୍କ ରହିଛି। ଅଭିଭାବକ ରାଜେନ୍ଦ୍ର କହିଛନ୍ତି, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ କିଛି ପିଲାଙ୍କ ପ୍ରତି ପ୍ରିୟାପ୍ରୀତି ତୋଷଣ କରିଛନ୍ତି। ତେଣୁ ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ମିଳିଥିବା ବେଳେ ଅନେକ ପିଲାଙ୍କୁ କମ୍‌ ମାର୍କ ଦିଆଯାଇଛି।

ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ବରଞ୍ଜନ ଦାଶ କୁହନ୍ତି, ବିଦ୍ୟାଳୟର ସମସ୍ତ ୧୧୮ ଜଣ ପିଲା ପାସ୍‌ କରିଛନ୍ତି। କିଛି ପିଲାଙ୍କର ମାର୍କ କମ୍‌ ଆସିଛି। ବିଦ୍ୟାଳୟ ପରିସରରେ କରୋନା ସେଣ୍ଟର ହେବା ସହ ବହୁ ସରକାରୀ କାର୍ଯ୍ୟକ୍ରମ କରାଯାଉଥିଲା। କିଛି ଖାତା ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ପରୀକ୍ଷାର ଖାତା ପିଲାମାନଙ୍କ ଠାରୁ ଆଦାୟ ହୋଇପାରି ନାହିଁ। ବିଶେଷ କରି ପ୍ରାକ୍ଟିସ ଟେଷ୍ଟ ଖାତା ମିଳିନାହିଁ। ଯିଏ ଦେଇଛି ତା’ର ମାର୍କ ଆସିଛି। ଏବାବଦରେ ଉପରିସ୍ଥ ଅଧିକାରୀଙ୍କ ସହ ମୁଁ କଥା ହୋଇଥିଲି। ଯେଉଁ ପିଲା ନିଜ ରେଜଲ୍ଟରେ ସନ୍ତୁଷ୍ଟ ନୁହନ୍ତି ସେମାନେ ଜୁଲାଇ ମାସରେ ପୁଣି ଫର୍ମ ପୂରଣ କରି ପରୀକ୍ଷା ଦେଇ ପାରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଦା‌ଶ କହିଛନ୍ତି।

ସମ୍ବନ୍ଧିତ ଖବର