ଭୁବନେଶ୍ବର: ୩୧ ନମ୍ବର ୱାର୍ଡ‌ ଅନ୍ତର୍ଗତ ବମିଖାଲ ଦେବରାଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ଓ ଅଭିଭାବକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସ୍କୁଲର ଭିତ୍ତିଭୂମି ଓ ଶିକ୍ଷକ ନିଯୁକ୍ତି ନେଇ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆ ନଯିବାରୁ ଉତ୍ତ୍ୟକ୍ତ ଲୋକେ ସ୍କୁଲ୍‌ ଫାଟକରେ ତାଲା ପକାଇବା ସହ କଟକ-ପୁରୀ ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ବନ୍ଦ କରି‌ଦେଇଥିଲେ। ଫଳରେ ଏହି ବାଟ ଦେଇ ଯାତାୟାତ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଥିଲା। ବମିଖାଲ ନିକଟରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସ୍କୁଲ ଗେଟ୍‌ ଖୋଲିବା ସହ ପାଠପଢ଼ା ଆରମ୍ଭ ହୋଇଥିଲା।

Advertisment

ସୂଚନାନୁସାରେ, ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୩୯୦ ପିଲା ପାଠ ପଢ଼ୁଛନ୍ତି। ନିୟମ ଅନୁସାରେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ‌ରେ ପ୍ରତି ୩୫ଜଣ ପିଲାରେ ଜଣେ ଶିକ୍ଷକ ରହିବା କଥା। ସେହି ଦୃଷ୍ଟିରୁ ଏଠାରେ ପ୍ରାୟ ୯ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ମାତ୍ର ଅଛନ୍ତି ୫ ଶିକ୍ଷକ। ସେହିଭଳି ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ଗୋଟିଏ କକ୍ଷରେ ପ୍ରାୟ ୬୦ରୁ ୬୫ପିଲା ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। ପିଲାମାନଙ୍କ ପାଇଁ ବାହାରୁ ମଧ୍ୟାହ୍ନଭୋଜନ ଆସୁଥିବା ବେଳେ ହେଁ ଖାଇବା ପାଇଁ ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ଥାଳି ନାହିଁ। ୩୯୦ ପିଲାଙ୍କ ପାଇଁ ୨୮୭ଟି ଥାଳି ରହିଛି। ଏଥିପାଇଁ ବହୁ ପିଲା ଖାଇବାରୁ ବଞ୍ଚିତ ହେଉଛନ୍ତି।

ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ କେହି ନ ଶୁଣିବାରୁ ଆଜି ଅଭିଭାବକମାନେ ସକାଳ ପ୍ରାୟ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସେହି କ୍ୟାମ୍ପସ୍‌ ଭିତରେ ଥିବା ହାଇସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବି ବାଧାପ୍ରାପ୍ତ ହୋଇଥିଲା। ଏ ସଂପର୍କରେ ସ୍କୁଲ୍‌ର ପ୍ରଧାନ ଶିକ୍ଷୟତ୍ରୀ ସୁବାସିନୀ ରଥ କହିଛନ୍ତି, ଅସୁବିଧା ବିଷୟରେ ଆମେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଛୁ। ସେ ଗତକାଲି ଜଣେ ‌ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ଖୁବ୍‌ଶୀଘ୍ର ସମସ୍ତ ଶିକ୍ଷକ ପଦ ପୂରଣ ଏବଂ ଶ୍ରେଣୀ ଗୃହ ନିର୍ମାଣ ହେବ ବୋଲି ସେ କହିଛନ୍ତି। ‌ବ୍ଲକ ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା କହିଛନ୍ତି ଯେ କରୋନା ପରେ ଘରୋଇ ସ୍କୁଲ୍‌ରୁ ପ୍ରାୟ ୭ହଜାର ପିଲା ବିଏମ୍‌ସି ଅଞ୍ଚଳରେ ସରକାରୀ ସ୍କୁଲ୍‌ରେ ନାମ ଲେଖାଇଛନ୍ତି। ତେଣୁ ଭୁବନେଶ୍ବର ବ୍ଲକ୍‌ ଏବଂ ବିଏମ୍‌ସି ଅଞ୍ଚଳରେ ସମସ୍ତ ସ୍କୁଲ୍‌ଗୁଡ଼ିକରେ ଅଧିକ ଶିକ୍ଷକ ଆବଶ୍ୟକ ହେଉଛନ୍ତି। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ।