ବୟକଟ୍ ଟ୍ରେଣ୍ଡ୍‌ ଭଳି ହୀନମନ୍ୟତାରୁ ଦର୍ଶକ ଦୂରେଇ ରୁହନ୍ତୁ: ସୁକାନ୍ତ

ଭୁବନେଶ୍ବର: ଏକାଧିକ ଧାରାବାହିକ ଓ ଚଳଚ୍ଚିତ୍ର‌ରେ ଅଭିନୟ ସହ ୨୦୦ରୁ ଊର୍ଦ୍ଧ୍ବ ସୋ’‌ ଉପସ୍ଥାପନା କରି ଓଡ଼ିଶାର ଘରେଘରେ ପରିଚିତ ହୋଇପାରିଥିବା ଚେହେରା ହେଲେ ସୁକାନ୍ତ ରଥ। ୨୪ବର୍ଷ ହେଲା ସେ ଓଡ଼ିଆ ମନୋରଞ୍ଜନ ଜଗତର ସକ୍ରିୟ ଚେହେରା। ୧୯୯୦ରେ ଦୂରଦର୍ଶନର ସମ୍ବାଦ ଉପସ୍ଥାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ସୁକାନ୍ତ ପରେ ମୁଁ ଭଲ ପାଏ, ସାରା ଆକାଶ ଆଦି ଧାରାବାହିକ ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ପରେ ତାସ୍‌ର ଘର, ସଂସ୍କାର, ଗାୟତ୍ରୀ, ଜୀବନ ଯମୁନାରେ ଜୁଆରେ ଉଠେରେ, ବଧୁ, ମାନିନୀ, ସାବିତ୍ରୀ ଓ ମଙ୍ଗଳାଚରଣ ଆଦି ଧାରାବାହିକ କରି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛନ୍ତି। ଏଥରର ସାକ୍ଷାତକାରରେ ତାଙ୍କ ସହ ସ୍ବଳ୍ପ ଆଳାପ…

ଓଡ଼ିଆ ମନୋରଞ୍ଜନ ଜଗତର ପ୍ରତିଟି କ୍ଷେତ୍ରରେ ଆପଣ କାମ କରିଛନ୍ତି। ଯାତ୍ରା କେମିତି ଥିଲା?
ମୁଁ କଲେଜରେ ପଢ଼ିବା ସମୟରେ ନାଟକରେ ଭାଗ ନେଉଥିଲି। ପରେ ଏମ୍‌ବିଏ କରି ଗୋଟିଏ କମ୍ପାନିରେ ଚାକିରି କଲି। କିନ୍ତୁ ଅଭିନୟ ପ୍ରତି ମୋର ଅହେତୁକ ଦୁର୍ବଳତା ମୋତେ ସେଠି ରଖେଇ ଦେଲାନି। ଚଳଚ୍ଚିତ୍ରରେ ହିରୋ ହେବାକୁ ବହୁ ଉଦ୍ୟମ କରିଛି। କିନ୍ତୁ ସେତେବେଳେ ନିର୍ମାତାମାନେ ନୂଆ ଚେହେରାକୁ ସୁଯୋଗ ଦେଉନଥିଲେ। ସୌଭାଗ୍ୟକୁ ଦୂରଦର୍ଶନର ଧାରାବାହିକ ‘ମୁଁ ଭଲ ପାଏ’ରେ ମୁଖ୍ୟ ଭୂମିକାରେ ମୋତେ ସୁଯୋଗ ମିଳିଲା। ଏଥିରୁ ମୁଁ ପରଦାକୁ ଆସିଲି ସତ, କିନ୍ତୁ ଲୋକପ୍ରିୟତା ମିଳିଲାନି।
ପରେ ଧାରାବହିକ ‘ସାରା ଆକାଶ’ ମୋ ଭାଗ୍ୟ ବଦଳାଇ ଦେଇଥିଲା। ସୋ’ ହିଟ୍‌ ହେବା ସହ ମୁଁ ଲୋକପ୍ରିୟତା ହାସଲ କରିପାରିଥିଲି। ତା’ ପରଠାରୁ ଧାରାବାହିକରେ ମୋତେ ସଫଳତା ମିଳି ଚାଲିଛି। ଆଗକୁ ମୋର ଆଇନା, ଫାଲ୍‌ଗୁନ ଚୈତ୍ର ଓ ଅଭିନେତ୍ରୀ ଆଦି ଚଳଚ୍ଚିତ୍ର ମଧ୍ୟ ଆସୁଛି।

ଓଡ଼ିଆ ଚଳଚ୍ଚିତ୍ର ଜଗତ ମାଟି କାମୁଡ଼ି ପଡ଼ିଛି। କାରଣ କ’ଣ ଭାବୁଛନ୍ତି?
ପୂର୍ବରୁ ଆମେ ଆମ କାହାଣୀ, ଆମ ସଂସ୍କୃତି କଥା କହୁଥିଲୁ। ଚଳଚ୍ଚିତ୍ରରେ ପ୍ରତିଟି ଭୂମିକା ଉପରେ ଗୁରୁତ୍ବ ଦେଉଥିଲୁ। ତେଣୁ ଭଲ ହେଉଥିଲା। କିନ୍ତୁ ନିର୍ମାତାମାନେ ନକଲ ଆରମ୍ଭ କରିବା ପରଠାରୁ ସବୁ ବିଗିଡ଼ିଗଲା। ସିନ୍‌ଠାରୁ ଆରମ୍ଭ କରି ପୋଷାକ ଯାଏ; ଏବେ ସବୁ ଏ-ଟୁ-ଜେଡ୍‌ କପି ହେଉଛି। ବଲିଉଡ୍‌ ଓ ଟଲିଉଡ୍‌ର ପିଛା କରି ଆମେ ବି ଅଭିନେତାକୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମାଣରେ ବ୍ୟସ୍ତ ହୋଇଯାଇଛେ। ଓଡ଼ିଆ ଲୋକଙ୍କୁ ଏହା ପସନ୍ଦ ଆସୁନି ଓ ଲୋକେ ଦୂରେଇ ଯାଇଛନ୍ତି। ଆଉ ଗୋଟିଏ କାରଣ ହେଲା, ୧୯୯୯ ବାତ୍ୟାରେ ରାଜ୍ୟର ଅଧିକାଂଶ ସିନେମା ହଲ୍‌ ଭାଙ୍ଗିଗଲା। ତାହାର ପୁନରୁଦ୍ଧାର ପାଇଁ ସରକାର କିମ୍ବା ଚଳଚ୍ଚିତ୍ର ଜଗତ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ। ତେଣୁ ଆଜି ଓଡ଼ିଆ ଚଳଚ୍ଚିତ୍ରର ଏ ଦଶା।

ଲାଲ୍‌ସିଂହ ଚଢ଼ା ଓ ବ୍ରହ୍ମାସ୍ତ୍ରକୁ ବୟକଟ୍‌ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଏକ ଟ୍ରେଣ୍ଡ ଚାଲିଛି। ୟା‌’ ଉପରେ କ’ଣ କହିବେ?
ବ୍ୟକ୍ତିଗତ ମନ୍ତବ୍ୟ ଦେବା ଠିକ୍‌। କିନ୍ତୁ ଅରୁଚିକର ମନ୍ତବ୍ୟ ଦେଇ ସମାଜରେ ଘୃଣା, ଦ୍ବେଷ ଓ ବିଦ୍ରୋହ ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ। ଜଣଙ୍କୁ ଚଳଚ୍ଚିତ୍ର ଭଲ ଲାଗିଲା ନାହିଁ; ସେ ଦେଖି ନପାରେ। କିନ୍ତୁ ସାମାଜିକ ଗଣମାଧ୍ୟମରେ ବୟକଟ୍‌ ଟ୍ରେଣ୍ଡ୍‌ କରି ଚଳଚ୍ଚିତ୍ରରେ କାମ କରିଥିବା ଶହଶହ କଳାକାର ଓ ଟେକ୍ନିସିଆନ୍‌ଙ୍କ ପ୍ରତି ଅନ୍ୟାୟ କରିବାର କାହାର ଅଧିକାର ନାହିଁ। ଆଉ ସେଇ ଜଣେ କିମ୍ବା କିଛି ଲୋକଙ୍କ କଥାକୁ ଅନ୍ଧ ଭାବେ ଅନୁସରଣ କରି ଅନ୍ୟମାନେ ମେଣ୍ଢା ଭଳି ପାଣିକୁ ଡେଇଁବା ବି ଉଚିତ ନୁହେଁ। ଏଭଳି ହୀନମନ୍ୟତାରୁ ସମସ୍ତେ ଦୂରେଇ ରହିବା ଉଚିତ।

ଭଲ ଚଳଚ୍ଚିତ୍ର ମାଡ଼ ଖାଉଛି କିନ୍ତୁ ବିଷୟବସ୍ତୁ ହୀନ ଚଳଚ୍ଚିତ୍ର ଦେଖିବାକୁ ଲୋକେ ପାଗଳ। ୟା’ ଉପରେ କ’ଣ କହିବେ?
କେଉଁ ଚଳଚ୍ଚିତ୍ର, କାହାଣୀ ବା ସିନେମାଟୋଗ୍ରାଫି କାହାକୁ କେତେ ଭଲ ଲାଗିବ, ତାହା କେହି କହିପାରିବେ ନାହିଁ। ଦର୍ଶକଙ୍କ ସିନେମାଟିକ୍‌ ଅନୁଭୂତି ଉପରେ ଏହା ନିର୍ଭର କରେ ଯେ କେଉଁ ଚଳଚ୍ଚିତ୍ର ଚାଲିବ ବା କେଉଁଟି ଫ୍ଲପ୍‌ ହେବ। ଏଣୁ ପରୀକ୍ଷଣ ସବୁବେଳେ ଗ୍ରହଣୀୟ।

ଆପଣଙ୍କ ଫିଟ୍‌ନେସ୍‌ର ରହସ୍ୟ କ’ଣ?
ଲକ୍ଷ ଲକ୍ଷ ଲୋକ ଆମକୁ ପରଦାରେ ଦେଖୁଛନ୍ତି। ଏଣୁ ଆମ କର୍ତ୍ତବ୍ୟ, ଆମେ ନିଜକୁ ଫିଟ୍‌ ଓ ସୁନ୍ଦର ରଖିବା। କଳାକାରର ପ୍ରଥମ ଲକ୍ଷଣ ହେଉଛି ଶୃଙ୍ଖଳିତ ହେବା। ଖାଦ୍ୟ ଗ୍ରହଣରେ, ଦିନଚର୍ଯ୍ୟା ଓ ବ୍ୟାୟାମରେ ଆମକୁ ନିୟନ୍ତ୍ରଣ ରଖିବାକୁ ହେବ। ମୁଁ ଦୀର୍ଘ ୨୫ବର୍ଷ ହେବ ଏମିତି କିଛି ଖାଇନାହିଁ, ଯାହାଦ୍ବାରା ମୋ ତ୍ବଚା ବା ଶରୀରର ଗଠନ ପାଇଁ ହାନିକାରକ ହେବ। ନିୟମିତ ବ୍ୟାୟାମ କରିବା ମୋ ଅଭ୍ୟାସ। ସବୁଠାରୁ ବଡ଼ କଥା ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ଆମକୁ ନିଜ ଭିତରେ ସକାରାତ୍ମକ ଉର୍ଜା ବୃଦ୍ଧି କରିବାକୁ ପଡ଼ିବ।

ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ବହି ପଢ଼ିବାକୁ ଭଲ ଲାଗେ। ବିଭିନ୍ନ ‌ଲେଖକ ଓ ଭିନ୍ନଭିନ୍ନ ବର୍ଗର ଲେଖା ଓ ପୁସ୍ତକ ମୋତେ ଆକର୍ଷିତ କରେ। ସେଥିରୁ ବହୁତ କିଛି ଶିଖିବାକୁ ମିଳେ।

ସମ୍ବନ୍ଧିତ ଖବର