ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛି ବିଏମ୍ସି। ଏହି କ୍ରମରେ ବିଭିନ୍ନ ୱାର୍ଡରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା) କାର୍ଯ୍ୟକ୍ରମ ଅଧୀନରେ ବିଏମ୍ସି ଏଥର ୩୦୬୨ଟି ବର୍ଷା ଜଳ ଅମଳ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ବିଭିନ୍ନ ୱାର୍ଡରେ ସଂପୃକ୍ତ ବିଧାୟକ, ମେୟର ଓ କର୍ପୋରେଟର୍ଙ୍କ ଉପସ୍ଥିତିରେ କାର୍ଯ୍ୟାଦେଶ ବଣ୍ଟନ ହେଉଛି। ଆଜି ସୁଦ୍ଧା ୨୬୫ଟି କାର୍ଯ୍ୟାଦେଶ ବଣ୍ଟା ସରିଥିବା ସୂଚନା ମିଳିଛି।
ବିଏମ୍ସି ଅଧୀନରେ ୫୦୩୨ ଗୋଟି ଏସ୍ଏଚ୍ଜି ଗ୍ରୁପ୍ ପଞ୍ଜୀକୃତ ଅଛନ୍ତି। ବର୍ଷାଜଳ ଅମଳ ପ୍ରକଳ୍ପରେ ୫ଶହରୁ ଊର୍ଦ୍ଧ୍ୱ ଏସ୍ଏଚ୍ଜି କାର୍ଯ୍ୟାଦେଶ ପାଇଛନ୍ତି।
ମୁକ୍ତା କାର୍ଯ୍ୟକ୍ରମର ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତାପାର୍ଶ୍ବ ମୁକ୍ତାକାଶ ବ୍ୟାୟାମଶାଳା, ପାର୍କିଂ, ଫୁଟ୍ପାଥ ବିକାଶ, ଖେଳ ପଡ଼ିଆ, ଜଳାଶୟ, ଆଦର୍ଶ ଭେଣ୍ଡିଂ ଜୋନ୍ରେ ମହିଳା ଏସ୍ଏଚ୍ଜିମାନଙ୍କ ସଂପୃକ୍ତି ରହିଛି। ଏହି ସବୁ ବିକାଶମୂଳକ କାର୍ଯ୍ୟକ୍ରମରେ ମହିଳାମାନେ ନିଜ ପରିବାରର ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରିଛନ୍ତି ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।
ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ଓ ମ୍ୟାଟେରିଆଲ୍ ରିକଭରି ଫାସିଲିଟି (ଏମ୍ଆର୍ଏଫ୍) ପରିଚାଳନା ପାଇଁ ୧୧୭ଏସ୍ଏଚ୍ଜି ଓ ୫ଗୋଟି ମହିଳା ମହାସଂଘ ନିୟୋଜିତ ହୋଇଛନ୍ତି। ଆହାର କେନ୍ଦ୍ର ପରିଚାଳନାରେ ମଧ୍ୟ ମହିଳାଙ୍କର ଭାଗୀଦାରି ରହିଛି। ୭୭ଟି କଲୋନି ପାର୍କ ମଧ୍ୟରୁ ୪୦ଟି ମହିଳା ଏସ୍ଏଚ୍ଜି ପରିଚାଳନା କରୁଛନ୍ତି। ସେହିଭଳି ରାଜସ୍ୱ ଆଦାୟ ଓ ଜଳସାଥୀ ଭାବେ ୬୭ଲେଖାଏଁ ଗ୍ରୁପ୍କୁ ଦାୟିତ୍ୱ ଦିଆଯାଇଛି। ତା’ ସହ ମଳ ପରିଚାଳନା ପ୍ଲାଣ୍ଟ ଓ ବିଦ୍ୟୁତ୍ ବିଲ୍ ସଂଗ୍ରହ କାମରେ ମଧ୍ୟ ମହିଳା ସାମିଲ୍ ହୋଇଛନ୍ତି।
ସରକାର ମିସନ୍ ଶକ୍ତି ଗୋଷ୍ଠୀଙ୍କ ରୋଜଗାର ବଢ଼ାଇବା ପାଇଁ ପ୍ରାଧାନ୍ୟ ଦେଇଥିବା ବେଳେ ବିଏମ୍ସି ୩୬୫୮ଟି ସଂଘକୁ ୧୦ହଜାର ଲେଖାଏଁ ‘ରିଭଲ୍ଭିଂ ଫଣ୍ଡ’ ଦେଇଛି। ବ୍ୟାଙ୍କ୍ ସଂଯୋଗୀକରଣ ମାଧ୍ୟମରେ ୩୬୮ଟି ଗ୍ରୁପ୍କୁ ବିଭିନ୍ନ ଧନ୍ଦାମୂଳକ ଋଣ ବ୍ୟବସ୍ଥା କରାଯାଇଛି। ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ସଂସ୍ଥା ମାଧ୍ୟମରେ ଅନେକ ମହିଳା ପରିଚାଳିକା ଓ (ସ୍ୱଚ୍ଛ କର୍ମୀ) ସହଯୋଗୀ ଭାବେ ୩୦୦ରୁ ଅଧିକ ମହିଳା କାମ କରୁଛନ୍ତି। କିନ୍ନରମାନଙ୍କୁ ମଧ୍ୟ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଏମ୍ସି କର୍ତୃପକ୍ଷ ସାମିଲ୍ କରି ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି ମେୟର୍ ଶ୍ରୀମତୀ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/23-16.jpg)