ପହିଲାରୁ ବିଏମ୍‌ସି ଅଞ୍ଚଳରେ ରାସନ୍‌ ସାମଗ୍ରୀ ବଣ୍ଟନ, ପିଡିଏସ୍‌ ସାମଗ୍ରୀ ବଣ୍ଟନ ପାଇଁ ୧୦୮ଟି ସ୍କୁଲ୍‌ ଓ କଲେଜ୍‌ ଚିହ୍ନଟ

ସକାଳ ୮ଟାରୁ ୧୨ଟା, ୩ଟାରୁ ୬ଟା ଖୋଲାରହିବ ସୁଲଭ ଦୋକାନ

ଭୁବନେଶ୍ବର: ଜୁଲାଇ ପହିଲାରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ଏନ୍‌ଏଫ୍‌ଏସ୍‌ଏ ଏବଂ ଏସ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ୨ ମାସର ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯିବ। ୧ ଲକ୍ଷ ୧ ହଜାର ୩୮୫ ପରିବାରଙ୍କୁ ୧୦୫ଟି ସୁଲଭ ଦୋକାନ ଜରିଆରେ ରାସନ୍‌ ସାମଗ୍ରୀ ବଣ୍ଟନ କରିବା ପାଇଁ ୧୦୮ଟି ସ୍କୁଲ୍‌ ଓ କଲେଜ୍‌ ଚିହ୍ନଟ କରାଯାଇଛି। କୋଭିଡ୍‌ ନିୟମକୁ ଅନୁପାଳନ କରିବା ପୂର୍ବକ ସୁରୁଖୁରୁରେ ହିତାଧିକାରୀଙ୍କୁ କିପରି ରାସନ୍‌ ସାମଗ୍ରୀ ବଣ୍ଟନ କରାଯିବ, ସେଥିପାଇଁ ରିଟେଲରମାନେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, ପ୍ରତ୍ୟେକ ସୁଲଭ ଦୋକାନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଉପରବେଳା ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ସମସ୍ତ ପିଡିଏସ୍‌ ରିଟେଲର ଇ-ପସ୍‌ ମେସିନ୍‌ ଦ୍ବାରା ବାୟୋମେଟ୍ରିକ୍‌ ପଦ୍ଧତିରେ ହିତାଧିକାରୀଙ୍କ ଆଧାରକାର୍ଡ ଓ ହାତ ଆଙ୍ଗୁଠି ଚିହ୍ନ ଯାଞ୍ଚ କରି ରାସନ୍‌ ସାମଗ୍ରୀ ପ୍ରଦାନ କରିବେ। ଏହାସହିତ ପୋର୍ଟାବିଲିଟି ଜରିଆରେ କୌଣସି ହିତାଧିକାରୀ ରାସନ୍‌ ସାମଗ୍ରୀ ନେବାକୁ ଚାହିଁଲେ ବି ତାଙ୍କୁ ରାସନ୍‌ ଯୋଗାଇ ଦିଆଯିବ। ପ୍ରତ୍ୟେକ ରିଟେଲର ସାମଗ୍ରୀର ମୂଲ୍ୟ ଲେଖାଥିବା ବୋର୍ଡ ବଣ୍ଟନ କେନ୍ଦ୍ର ଆଗରେ ସମସ୍ତଙ୍କୁ ଦେଖଗଲା ଭଳି ଟଙ୍ଗିବେ। ରୋଗୀ ଓ ବୟସ୍କ ବ୍ୟକ୍ତିମାନଙ୍କୁ ସେମାନଙ୍କ ଘରେ ରାସନ୍‌ ସାମଗ୍ରୀ ପହଞ୍ଚାଇବାକୁ ରିଟେଲର୍‌ ବ୍ୟବସ୍ଥା କରିବେ। ରାସନ୍‌ ନେବାକୁ ଆସୁଥିବା ହିତାଧିକାରୀଙ୍କ ଭିତରେ ଯେପରି ଅନ୍ୟୁନ ୨ ମିଟର ଦୂରତା ରହିବ ସେଥିପାଇଁ ରିଟେଲର୍‌ ପ୍ରଚାର ପତ୍ର ଲଗାଇବେ। ଏହାସହିତ ହାତ ଧୋଇବା ପାଇଁ ପାଣି, ସାବୁନ୍ ଓ ସାନିଟାଇଜର ଉପଲବ୍ଧ କରାଯିବ। ନିୟମିତ ବ୍ୟବଧାନରେ ରିଟେଲର ଓ ତାଙ୍କ କର୍ମଚାରୀ ନିଜ ନିଜର ହାତ ସଫା କରିବେ। ଜଣେ ହିତାଧିକାରୀ ରାସନ୍‌ ନେଇ ସାରିବା ପରେ ସମସ୍ତ ବାୟୋ ମେଟ୍ରିକ୍‌ ଯନ୍ତ୍ରକୁ ସାନିଟାଇଜରରେ ବିଶୋଧନ କରାଯିବ। ବଣ୍ଟନ କେନ୍ଦ୍ରରେ ଭିଡ଼ କମାଇବାକୁ ସମ୍ପୃକ୍ତ ରିଟେଲର୍‌ ହିତାଧିକାରୀଙ୍କୁ ଭାଗ ବାଣ୍ଟି ସକାଳେ ଓ ସନ୍ଧ୍ୟାରେ ଆସିବାକୁ କହିପାରିବେ। ସୁଲଭ ଦୋକାନମାନଙ୍କରେ ରାସନ୍‌ ସାମଗ୍ରୀ ବଣ୍ଟନ ଶୃଙ୍ଖଳିତ ଭାବେ ହେଉଛି କି ନାହିଁ ସେ ନେଇ ଯୋଗାଣ ବିଭାଗ ଏମ୍‌ଆଇ ନିୟମିତ ତଦାରଖ କରି ଦୈନିକ ଏଡିଏମ୍‌ଙ୍କୁ ରିପୋର୍ଟ କରିବେ।

ସମ୍ବନ୍ଧିତ ଖବର