ଜିଲ୍ଲା ବିଜେଡିର ୧୫୫ ଜଣିଆ ଟିମ୍‌

୨୭ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା କରାଗଲା, ସବୁ ବର୍ଗକୁ ଖୁସି କରାଇବାକୁ ସୁଶାନ୍ତଙ୍କ ପ୍ରୟାସ

ଭୁବନେଶ୍ୱର : ତିନି ଦିନ ତଳେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭୁବନେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଜି ଜିଲ୍ଲା ବିଜେଡି ସଂଗଠନର ଏକ ବିଶାଳ ଟିମ୍‌ ଗଠନ କରାଯାଇଛି। ଶ୍ରୀ ରାଉତଙ୍କ ପ୍ରସ୍ତାବକ୍ରମେ ଦଳର ସଭାପତି ନବୀନ ପଟ୍ଟନାୟକ ୧୫୪ ଜଣଙ୍କୁ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଇଛନ୍ତି। ବିଜେଡି ପକ୍ଷରୁ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।
ସୁଶାନ୍ତଙ୍କ ନୂଆ ଟିମ୍‌ରେ ମୋଟ୍‌ ୧୫୫ ଜଣଙ୍କୁ ସ୍ଥାନ ମିଳିଛି। ୨୭ ଜଣ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା ଭାବେ ରଖାଯାଇଛି। ଏହା ବାଦ୍ ୨୪ ଜଣ ଉପସଭାପତି, ୨୩ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୭୯ ଜଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। ପୂର୍ବରୁ ଜଣେ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ହୋଇଥିଲେ। ପ୍ରତି ପଦବିରେ ତିନିଟି ଯାକ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ବ ରହିଥିବାର ଦେଖିବାକୁ ମିଳିଛି।

ଏକାଥରେ ୧୫୫ ଜଣ ଜିଲ୍ଲା ସଂଗଠନରେ ସ୍ଥାନ ପାଇବା ରାଜଧାନୀ ରାଜନୀତିରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଭୁବନେଶ୍ବରରେ ତିନିଟି ଯାକ ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ଥିଲେ ବି ବିଜେଡି ସଂଗଠନ ବହୁ ଗୋଷ୍ଠୀରେ ଭାଗ ଭାଗ ହୋଇ ରହିଛି। ଉପରକୁ ଗୋଷ୍ଠୀ ବିବାଦ ଏତେଟା ନ ଥିଲେ ବି ପରସ୍ପର ଛକାପଞ୍ଝା ଭିତରେ ରହୁଥିବା କାହାକୁ ଅଛପା ନାହିଁ। ବିଭିନ୍ନ ସମୟରେ ଗୋଷ୍ଠୀ ବିବାଦ ମଧ୍ୟ ପଦାକୁ ଆସିଛି। ତେଣୁ ସବୁ ଗୋଷ୍ଠୀକୁ ସଂଗଠନରେ ସ୍ଥାନ ଦେବାକୁ ନୂଆ ସଭାପତି ଶ୍ରୀ ରାଉତ ଯଥେଷ୍ଟ କସରତ୍‌ କରିଥିବାର ଆଭାସ ମିଳୁଛି। ଅନ୍ୟ ଦୁଇ ବିଧାୟକଙ୍କର ଖାସ୍‌ ସମର୍ଥକମାନେ ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ପ୍ରାୟ ସମସ୍ତ ପୂର୍ବତନ କ‌େର୍ପାରେଟର୍‌ଙ୍କୁ ସଂଗଠନରେ ସ୍ଥାନ ମିଳିଛି। ସବୁ ଗୋଷ୍ଠୀଙ୍କୁ ଖୁସି କରାଇବାକୁ ହୋଇଥିବା ଏହି ଉଦ୍ୟମ ଆଗାମୀ ଦିନରେ କେତେଦୂର ଫଳପ୍ରଦ ହେଉଛି, ତାହା ଉପ‌େର ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର