ପୁଲିସ ସେବା ଭବନ ଆଗରେ ଜିଲ୍ଲା ବିଜେପିର ବିକ୍ଷୋଭ

ରାଜନୀତିକ ହିଂସା ଚରମ ସୀମା ଅତିକ୍ରମ କରିସାରିଛି: ବିଜେପି

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି। ରାଜନୀତିର ହିଂସାକରଣ ଚରମ ସୀମା ଅତିକ୍ରମ କରିସାରିଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପ୍ରଥମଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ବର୍ତ୍ତମାନ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ହତ୍ୟା କରୁଛି, ତାହାଲେ ରାଜ୍ୟରେ ସାଧାରଣ ଲୋକଙ୍କ ଅବସ୍ଥା କିଭଳି ଥିବ, ଏଥିରୁ ଅନୁମାନ କରାଯାଇପାରେ। ମାନ୍ୟବର ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରୁଛି। ହେଲେ ଲୋକଙ୍କୁ ସୁରକ୍ଷା ମୂଳ ଦାୟିତ୍ୱରୁ ଓହରି କେବଳ ଶାସାକ ବିଜେଡି ନେତା, ମନ୍ତ୍ରୀ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ସ୍ୱାର୍ଥ ପାଇଁ ନିୟୋଜିତ ହୋଇଛନ୍ତି। ଆଜି ଜିଲ୍ଲା ବିଜେପି ପକ୍ଷରୁ ପୁଲିସ ସେବା ଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ପୁଲିସ ଓ ଶାସକ ଦଳ ଉପରେ ବର୍ଷିଛି ବିଜେପି।

ବିଜେଡି ପାଇଁ ପୁଲିସ ବିଶ୍ୱସନୀୟତା ହରାଉଛି: ବାବୁ ସିଂ

 ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ଦିଆ‌ଯାଉ

ଆହୁରି ମଧ୍ୟ କୁହାଯାଇଛି ଯେ, ଦୀର୍ଘ ୨୩ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ସତ୍ତ୍ବେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିବା ପଛରେ ଶାସକ ବିଜେଡି ଏବଂ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ। ଏହାର ସଦ୍ୟ ଉଦାହରଣ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଅପରାଧୀଙ୍କୁ ବଞ୍ଚାଇବା ଏବଂ ହତ୍ୟା ପଛର ସତ୍ୟକୁ ଲୁଚାଇବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ମିଛ ଗପ ଶୁଣାଇବା। ଅତୀତର କିଛି ସମ୍ବେଦଶୀଳ ଘଟଣାର ତଦନ୍ତ ଏବଂ ବର୍ତ୍ତମାନ ନବ ଦାସ ହତ୍ୟାକାଣ୍ଡ ତଦନ୍ତ କାର୍ଯ୍ୟକଳାପକୁ ଦେଖିଲେ ପୁଲିସ୍ ବିଭାଗ ନିଜ ବିଶ୍ୱସନୀୟତା ହରାଇଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି। ରାଜ୍ୟ ସରକାର ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ତଦନ୍ତଭାର ତୁରନ୍ତ ସିବିଆଇକୁ ଦିଅନ୍ତୁ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି। ଯଦି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଦାୟିତ୍ୱ ସିବିଆଇକୁ ନ୍ୟସ୍ତ କରା ନଯାଏ କିମ୍ବା ତଦନ୍ତ ସଠିକ୍ ଭାବେ କରାନଯାଏ, ତାହାଲେ ଆଗାମୀ ଦିନରେ ବିକ୍ଷୋଭ ତୀବ୍ର ହେବେ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜିର ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ସମେତ ବହୁ ନେତା, କର୍ପୋରେଟର୍‌, ସଦସ୍ୟ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର