ଫାଇଲେରିଆ ନିରାକରଣ ପାଇଁ ଜିଲ୍ଲା ସମନ୍ବୟ କମିଟି ବୈଠକ

୨୨ଲକ୍ଷ ୭୭ହଜାର ଲୋକଙ୍କୁ ଦିଆଯିବ ବଟିକା, ଫେବ୍ରୁଆରି ୧୦ରୁ ୧୨ ମଧ୍ୟରେ ହେବ ବଟିକା ବଣ୍ଟନ

ଖୋର୍ଦ୍ଧା: ଜିଲ୍ଲାରେ ଫାଇଲେରିଆ ନିରାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ଜିଲ୍ଲା ସମନ୍ବୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ବରଂଜନ ପତି ଜିଲ୍ଲାରେ ଫାଇଲେରିଆ ନିରାକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆସନ୍ତା ଫେବ୍ରୁଆରି ୧୦ ତାରିଖରେ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଘରଘର ବୁଲି ଆଶା ଓ ସ୍ବାସ୍ଥ୍ୟକର୍ମୀ ଡିଇସି ବଟିକା ମାଗଣାରେ ପ୍ରଦାନ କରିବେ। ଯେଉଁମାନେ ଫେବ୍ରୁଆରି ୧୦ରେ ଏହି ବଟିକା ଖାଇ ନଥିବେ, ସେମାନେ ଫେବ୍ରୁଆରି ୧୧ ଓ ୧୨ ତାରିଖରେ ବଟିକା ଖାଇପାରିବେ।

୨ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଅସୁସ୍ଥଙ୍କ ବ୍ୟତୀତ ଅନ୍ୟମାନେ ଏହି ବଟିକା ସେବନ କରିପାରିବେ। ସ୍ବାସ୍ଥ୍ୟାଧିକାରୀ ଡା. ଜୀବନ୍ତ ଆଚାର୍ଯ୍ୟ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ୧୭ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଚାଲୁଛି। ଫେବ୍ରୁଆରି ୧୦ରୁ ୧୨ତାରିଖ ମଧ୍ୟରେ ଜିଲ୍ଲାର ୨୨ ଲକ୍ଷ ୭୭ ହଜାର ଲୋକଙ୍କୁ ଡିଇସି ଓ ଆଲ୍‌ବେଣ୍ତାଜଲ୍ ବଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ଏହି ବଟିକା ଶତକଡ଼ା ୮୫ଭାଗ ଲୋକ ଖାଇଥିଲେ। ଚଳିତ ବର୍ଷ ଏହା ଶତପ୍ରତିଶତ କରାଯିବା ଲକ୍ଷ୍ୟ ରଖାଯାଇଛି। ଏହି ବୈଠକରେ ପିଡି ଡିଆର୍‌ଡିଏ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦ୍ବାରିକାନାଥ ଶତପଥୀ, ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ, ଡିପିଏମ୍–ଏନ୍ଏଚ୍ଏମ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ, ସହକାରୀ ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର