ଛେଳି, ମେଣ୍ଢା ମଡ଼କ ଘଟଣାର ତଦନ୍ତ କଲେ ଜିଲ୍ଲା ଅଧିକାରୀ: ରକ୍ତ ଓ ଲାଳ ନମୁନା ସଂଗ୍ରହ

ବସନ୍ତ ରୋଗର ପ୍ରତିଷେଧକ ଦିଆଗଲା

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ଗଣ୍ଡିଲୋ ଏବଂ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ ଆଜି ଜିଲ୍ଲା ପ୍ରାଣୀରୋଗ ନିରୂପଣ କେନ୍ଦ୍ରର ଡା. ବୀ‌ରେନ୍ଦ୍ର ପୃଷ୍ଟି, ଫୁଲନଖରା ପ୍ରାଣୀ ରୋଗ ନିରୂପଣ କେନ୍ଦ୍ରର ଡା. ଜ୍ୟୋତିରଞ୍ଜନ ମିଶ୍ର, ବ୍ଲକ ପ୍ରାଣୀ ସଂପଦ ବିକାଶ ବିଭାଗ ଅଧିକାରୀଙ୍କ ସମେତ ୬ଜଣିଆ ଟିମ୍‌ ଗ୍ରାମରେ ପହଞ୍ଚି ଛେଳି, ମେଣ୍ଢାମଡ଼କ ଘଟଣାର ତଦନ୍ତ କରିଥିଲେ। ଏଥିସହ ଚିକିତ୍ସା କାର୍ଯ୍ୟ ତଦାରଖ କରିଥିଲେ। ଦୁଇଦିନ ମଧ୍ୟରେ ୩୦୦ପ୍ରାଣୀଙ୍କୁ ବସନ୍ତ ରୋଗର ଟିକା ଦିଆଯାଇଥିବା ବାଳକାଟିସ୍ଥିତ ପ୍ରାଣୀ ସଂପଦ ବିକାଶ ବିଭାଗର ବିଭିଓ ସୁଧୀର କୁମାର ସେନାପତି ସୂଚନା ଦେଇଛନ୍ତି। ଅବଶିଷ୍ଟ ଛେଳି ଓ ମେଣ୍ଢାଙ୍କ ଟିକାକରଣ ଜାରି ରହିଛି।

ଶ୍ରୀ ସେନାପତିଙ୍କ ସୂଚନା ଅନୁସାରେ, ପୂର୍ବ ଦୁଇମାସରେ ଛେଳିଙ୍କୁ ପିପିଆର ଟିକା ଦିଆଯାଇଥିଲ। ଏବେ ପକ୍ସ ଟିକା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ ଚାଷୀଙ୍କୁ ଅନ୍ୟ କେତେକ ସଂକ୍ରାମକ ରୋଗ ନିରାକରଣ ନେଇ ପରାମର୍ଶ ଦେଇଥିଲେ। ୨୦ ଛେଳି ଓ ମେଣ୍ଢାଙ୍କର ରକ୍ତ ଏବଂ ଲାଳ ନମୁନା ସଂଗ୍ରହ କରି ଉପରୋକ୍ତ କେନ୍ଦ୍ର ଲାବରେଟୋରିକୁ ପଠାଇଥିଲେ। ରକ୍ତ ନମୁନା ରିପୋର୍ଟ ଆସିବା ପରେ ରୋଗ ସ୍ପଷ୍ଟ ଜଣାପଡ଼ିବ ଏବଂ ପରୀକ୍ଷା ରିପୋର୍ଟକୁ ଭିତ୍ତି କରି ପ୍ରତିଷେଧକ ଏବଂ ଚିକିତ୍ସା କରିବା ସହଜ ହେବ ବୋଲି କୁହାଯାଇଛି। ଅନୁରୂପ ଭାବେ ଜିଲ୍ଲା ବରିଷ୍ଠ ଅଧିକାରୀମାନେ ମୃତ ମେଣ୍ଢା ଓ ଛେଳିଙ୍କ ସଂପର୍କରେ ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକଙ୍କୁ ତୁରନ୍ତ ଜଣାଇବା ସହ ବ୍ୟବଚ୍ଛେଦ ନେଇ ରୋଗ ନିରୂପଣ କେନ୍ଦ୍ରକୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବେଣୁପୁର ପ୍ରାଣୀ ସଂପଦ ବିକାଶ ବିଭାଗ କାର୍ଯ୍ୟାଳୟର ବିଭିଓ ଏସ୍‌. ପାର୍ଥସାରଥୀ ଏବଂ ବାଳକାଟି କେନ୍ଦ୍ରର ଅତିରିକ୍ତ ଚିକିତ୍ସା ଅଧିକାରୀ ଜ୍ୟୋତିରଞ୍ଜନ ବିଶ୍ବାଳଙ୍କ ସମେତ ପ୍ରାଣୀ ଚିକିତ୍ସକ ନାରାୟଣ ସାହୁ ପ୍ରମୁଖ ଚିକିତ୍ସା କାର୍ଯ୍ୟ ତୁଲାଇଥିଲେ।

ସମ୍ବନ୍ଧିତ ଖବର