ପୁରୁଣା ଭୁବନେଶ୍ବର: ଧଉଳି ପାହାଡ଼କୁ ଲମ୍ବିଥିବା ରାସ୍ତାର ଦୁଇ ପାର୍ଶ୍ବରୁ ବହୁ ପୁରୁଣା ଗଛକୁ କାଟି ଦିଆଯାଇଛି। କିଛି ଗଛର ବଡ଼ବଡ଼ ଡାଳକୁ କାଟି ଦିଆଯାଇଥିବା ବେଳେ କିଛି ଗଛକୁ ମୂଳରୁ କାଟି ଦିଆଯାଇଛି। ସୌନ୍ଦର୍ଯ୍ୟୀକରଣ ନାଁରେ ଗଛକାଟି ଧଉଳିକୁ ଶ୍ରୀହୀନ କରି ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶାନ୍ତିସ୍ତୂପକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁଜୀକରଣ କରିବାକୁ ବ୍ୟାକପ ବୃକ୍ଷରୋପଣ କରିବା ପରିବର୍ତ୍ତେ ଗଛ କାଟିବା କେତେ ଦୂର ଯଥାର୍ଥ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ହୀନ ମାନସିକତା ବିରୋଧରେ ଖୁବ୍‌ ଶୀଘ୍ର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ଭୁବନେଶ୍ବର ମ‌ଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ ଏବଂ ବନ ନିଗମ ଅଧିକାରୀଙ୍କ ଉପସ୍ଥିତିରେ ଧଉଳି ଶାନ୍ତିସ୍ତୂପ ରାସ୍ତାରୁ ଗଛ କଟା ହୋଇଛି। କଟର୍‌ ସହାୟତାରେ ପୁରୁଣା ବର, ଜାମୁ ଓ ଅଶ୍ବତ୍‌ଥ ଆଦି ଗଛର ଡାଳ ସବୁକୁ କାଟି ଦିଆଯାଇଛି। ଗଛ କଟା ଚାଲିଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଗଛଗୁଡ଼ିକ ଧଉଳି ପାହାଡ଼ର ସୌନ୍ଦର୍ଯ୍ୟ ବଢ଼ାଉଛନ୍ତି ବୋଲି ଅଧିକାରୀମାନଙ୍କୁ ବୁଝାଇଥିଲେ। ଖରାଦିନେ ଗଛ ଛାଇରେ ପର୍ଯ୍ୟଟକମାନେ ବିଶ୍ରାମ ନେଉଛନ୍ତି ବୋଲି ଲୋକେ କହିଥିଲେ। ମାତ୍ର ସେମାନଙ୍କ କଥାକୁ ଆଦୌ ଗୁରୁତ୍ବ ଦିଆଯାଇନଥିଲା। ନବୀକରଣ ହୋଇଥିବା ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଓ ଦୂରରୁ ପର୍ଯ୍ୟଟକଙ୍କୁ ଦେଖା ଯାଉନଥିବାରୁ ଗଛର ଡାଳ କଟାଯାଉଛି ବୋଲି ଅଧିକାରୀମାନେ ଲୋକଙ୍କୁ ବୁଝାଇଥିଲେ। ମାତ୍ର ଲୋକମାନେ ଅଧିକାରୀମାନଙ୍କ ଏଭଳି ବିଚିତ୍ର ଯୁକ୍ତିକୁ ଗ୍ରହଣ ନ କରିବାରୁ କଥା କଟାକଟି ହୋଇଥିଲା। ଗଛ କଟା ହେବା ଦ୍ବାରା ଖରାଦିନେ ଶାନ୍ତିସ୍ତୂପରେ ରହିବା କଷ୍ଟକର ହୋଇପଡ଼ିବ କହି ସେମାନେ ତୀବ୍ର ବିରୋଧ କରିଥିଲେ। ଶେଷରେ ଅଧିକାରୀମାନେ ଧଉଳି ଥାନା ପୁଲିସକୁ ଖବର ଜଣାଇଥିଲେ। ପୁଲିସ ଚାପରେ ଲୋକଙ୍କୁ ଚୁପ୍‌ କରିବାକୁ ଉଦ୍ୟମ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ଲୋକେ ବାଧ୍ୟ ହୋଇ ନିରବ ହୋଇଯାଇଥିଲେ।

ଏବେ ଏହା ବିରୋଧରେ ବିଭିନ୍ନ ରାଜନେତାମାନେ ମୁହଁ ଖୋଲିଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ ୧୯୬୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ସମାଜର ପୂର୍ବତନ ସଂପାଦକ ରାଧାନାଥ ରଥ ବିଜେବି କଲେଜର ଛାତ୍ରମାନଙ୍କୁ ନେଇ ଏହି ରାସ୍ତାରେ ବୃକ୍ଷରୋପଣ କରିଥିଲେ। ଶହ ଶହ ଛାତ୍ରମାନଙ୍କ ଗହଣରେ ନିଜେ ମହତାବ ଓ ରଥ ବହୁତ ଚାରାରୋପଣ କରିଥିଲେ। ସେହିଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଏଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଗୋଟିଏ ବି ଗଛ ଲଗାଇନାହାନ୍ତି। କିନ୍ତୁ ସେଦିନର ଗଛଗୁଡ଼ିକୁ କାଟି ପକାଉଛନ୍ତି। ନିଜେ ଗଛଟିଏ ଲଗାଇନଥିବା ଲୋକର ଏ ଅଧିକାର କୋଉଠୁ ଆସିଲା ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି। ଏହାକୁ ନେଇ ବଡ଼ଧରଣର ଆନ୍ଦୋଳନ କରା‌ଯିବ ବୋଲି ସେ କହିଛନ୍ତି। ସେହିଭଳି ବିଜେପି ନେତା ବାବୁ ସିଂ ବିରୋଧ କରି କହିଛନ୍ତି ଯେ ଧଉଳିରେ ବରିଷ୍ଠ ଓ ଭିନ୍ନକ୍ଷମମାନଙ୍କ ପାଇଁ କୌଣସି ସୁବ୍ୟବସ୍ଥା କରାଯାଇପାରିଲା ନାହିଁ। ମାତ୍ର ମୁଖ୍ୟମନ୍ତ୍ରୀ ଲିଫ୍ଟରେ ଯି‌ବେ ବୋଲି ପୁରୁଣା ଗଛଗୁଡ଼ିକ କଟାଯାଇଛି।

ଗଛ ଲଗାଇବା ଓ ବଞ୍ଚାଇ ରଖିବାରେ ବିଫଳ ହୋଇଥିବା ସରକାର ଏବେ କେଉଁ ଅଧିକାର ବଳରେ ଗଛ କାଟି ଦେଇ ଧଉଳିକୁ ଶ୍ରୀହୀନ କରୁଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ପ୍ରକାଶ ଥାଉକି ଅକ୍ଟୋବର ୨୮ରେ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଦିନ ଧଉଳିରେ ପର୍ଯ୍ୟଟକଙ୍କ ପାଇଁ ଲିଫ୍ଟ ଉଦ୍‌ଘାଟନ କରାଯିବ।