କମଳା ନେହରୁ ମହାବିଦ୍ୟାଳୟରେ ଅବ୍ୟବସ୍ଥା, ମେୟରଙ୍କୁ ଦାବିପତ୍ର ଦେଲେ ଛାତ୍ରୀ

ଭୁବନେଶ୍ବର: ୟୁନଟ୍‌-୧ ସ୍ଥିତ କମଳା ନେହରୁ ମହିଳା ମହାବିଦ୍ୟାଳୟ ଦେଇ ମୋ ବସ୍‌ ଚଳାଚଳ, ମହାବିଦ୍ୟାଳୟ ପରିସରରେ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା, ମହାବିଦ୍ୟାଳୟରେ ଡ୍ରେନେଜ୍‌ ଓ ସ୍ବେରେଜ, ହଷ୍ଟେଲ୍‌ କ୍ୟାମ୍ପସ ପରିସରରେ ଆଲୋକୀକରଣ ସମେତ ବିଭିନ୍ନ ଦାବିରେ କମଳା ନେହରୁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଧ୍ୟକ୍ଷାଙ୍କ ଜରିଆରେ ବିଏମ୍‌ସି ମେୟରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବହୁ ଦୂରରୁ ଆସି ଛାତ୍ରୀମାନେ ଏଠାରେ ପଢ଼ୁଛନ୍ତି। ଅଧିକାଂଶ ଛାତ୍ରୀ ବସ୍‌ ଯୋଗେ ଯା’ଆସ କରୁଥିବା ବେଳେ ଏହି କଲେଜ୍‌ ଦେଇ କୌଣସି ମୋ ବସ୍‌ ଯିବା ଆସିବା କରୁନାହିଁ। ଫଳରେ ଛାତ୍ରୀମାନେ କଲେଜ ଠାରୁ ୨କିଲୋମିଟର ଆସିବା ପରେ ମୋ ବସ୍‌ ରହଣୀସ୍ଥଳକୁ ଆସିଥାନ୍ତି। ତେଣୁ କମଳା ନେହରୁ କଲେଜ୍‌ ଦେଇ ମୋ ବସ୍‌ ଚଳାଚଳ କରିବା ପାଇଁ ଛାତ୍ରୀମାନେ ଅନୁରୋଧ କରିଛନ୍ତି। ସେହିପରି ମହାବିଦ୍ୟାଳୟରେ ୨ହଜାରରୁ ଅଧିକ ପିଲା ପାଠ ପଢୁଥିବା ବେଳେ ଆବଶ୍ୟକ ପରିମାଣର ପିଇବାପାଣିର ସୁବିଧା ନାହିଁ।

ଏପରିକି କଲେଜ ପରିସରରେ ଗୋଟିଏ ଆକ୍ବାଗାର୍ଡ ଉପରେ ସମସ୍ତେ ନିର୍ଭରଶୀଳ ହୋଉଥିବା ବେଳେ ଅଧିକାଂଶ ସମୟରେ ଯାନ୍ତ୍ରିକ ସମସ୍ୟା ଦେଖିବାକୁ ମିଳେ। ତେଣୁ ଛାତ୍ରୀମାନେ ଟ୍ୟାପ୍‌ ପାଣି ପିଉଛନ୍ତି। ସେହିପରି କଲେଜ ପରିସରରେ ବର୍ଷା ସମୟରେ ପାଣି ଜମି ରହୁଛି। ଛାତ୍ରୀମାନେ ଶ୍ରେଣୀ ଗୃହକୁ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି। ତେଣୁ ଡ୍ରେନେଜ ବ୍ୟବସ୍ଥା କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି। କଲେଜ୍‌ କ୍ୟାମ୍ପସ ପରିସରରେ ଥିବା ହଷ୍ଟେଲର ୧୦୦ରୁ ଅଧିକ ପିଲା ରହୁଥିବା ବେଳେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ନାହିଁ। ଫଳରେ ଅଧିକାଂଶ ଅଞ୍ଚଳ ଅନ୍ଧାର ରହୁଛି। ତେଣୁ ମହାବିଦ୍ୟାଳୟରେ ଥିବା ଏସବୁ ସମସ୍ୟାର ସମାଧାନ କରିବାକୁ ଛାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର