ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): ଦୀପ ଶିଖାରେ ଝଲସିବ ଅମାବାସ୍ୟାର ଗାଢ଼ ଅନ୍ଧକାର। ଘରେ ଘରେ ଫୁଟିବ ଆନନ୍ଦର ଫୁଆରା। ଆଲୋକର ଏହି ମହାପର୍ବକୁ ପାଳିବାକୁ ଏକାଠି ହେବେ ପରିବାରବର୍ଗ। କେଇଟି ମୁହୂର୍ତରେ କୋଟିକୋଟି ଟଙ୍କା ବାଣ ନାଁ’ରେ ପୋଡ଼ି ଦିଆଯିବ। ମାତ୍ର ଯେବେ ଆଲୋକର ପର୍ବକୁ ଆନନ୍ଦର ପର୍ବ ଭାବେ ପାଳି ଅନେକ ମଜ୍ଲିସ୍ରେ ମାତିଥିବେ ଠିକ୍ ସେତିକି ବେଳେ ଅନେକ ପରିବାରରେ ଦୀପଟିଏ ଜାଳିପାରିବନି। ଏବେ ବି କେଉଁଠି ନା କେଉଁଠି ଅନେକ ନୀରିହ ବାପା ମା’ ନିଜ କତରାଲଗା ପିଲାକୁ ଆରୋଗ୍ୟ କରିବା ପାଇଁ ଅନ୍ତର୍ବେଦନାର ଲୁହ ନିଗାଡ଼ୁଛନ୍ତି ତ ପୁଣି କେଉଁଠି ନିଜ କର୍କଟ ପୀଡ଼ିତ ସ୍ୱାମୀକୁ ବଞ୍ଚାଇ ଦେବାକୁ ବିଚାରା ସ୍ତ୍ରୀଟି ଗୁହାରି ବାଢ଼ୁଛି। ଆପଣଙ୍କର ଖୁସିରୁ ଯଦି ଚେନାଏ ଖୁସି ଏମାନଙ୍କ ପାଇଁ ବିନିଯୋଗ ହୁଅନ୍ତା ତେବେ ତାଙ୍କ ଘରେ ବି ଦୀପଟିଏ ଜଳିପାରନ୍ତା। ସୁନ୍ଦର ପରିବାରଟିଏ ପୁଣି ହସନ୍ତା। ତେଣୁ ଦୀପାବଳିର ଏହି ମହାପର୍ବରେ ଆପଣ ବାଣ ଫୁଟାଇବେ ନା ହସ ଫୁଟାଇବେ, ନିଷ୍ପତ୍ତି ଆପଣଙ୍କର।
ମୋ ପୁଅକୁ ସାହା ହୁଅ
୨୦୧୬ ଜୁନ୍ ୬ ତାରିଖ। ଖୋର୍ଧା ଗୋଳବାଇ ଶାସନର ୧୮ ବର୍ଷର ଭେଣ୍ଡିଆ ପୁଅ ରାକେଶ ନିଜ ପାଇଁ ସିକ୍ୟୁରିଟି ଚାକିରି ଯୋଗାଡ଼ କରି ଖୁସିରେ ଘରକୁ ଫେରୁଥିଲା। ମାତ୍ର ସେଦିନର ସେ କାଳ ରାତିଟା ତା’ଠୁ ତା’ର ସବୁ ଖୁସି ଛଡ଼େଇ ନେଲା। ବାପା ମା’ଙ୍କୁ ଦାଦନ ଖଟୁଥିବା ଦେଖି ତା’ର ଭେଣ୍ଡା ମନ ସମ୍ଭାଳି ନଥିଲା। ଭାବିଥିଲା ସେ ଏଥର ଚାକିରି କରି ଘର ଚଳେଇବ। ହେଲେ ସେଦିନ ପାରାଦୀପ-ପଲାସା ଟ୍ରେନ୍ରେଘରକୁ ଫେରିବା ବେଳେ ଦୁର୍ଭାଗ୍ୟବଶତଃ ତାପଙ୍ଗ ରେଳ ଷ୍ଟେସନ୍ ନିକଟରେ ସେ ଟ୍ରେନ୍ରୁ ଖସି ପଡ଼ିଲା। ମୁଣ୍ଡ ଖପୁରି ଫାଟି ପ୍ରବଳ ରକ୍ତସ୍ରାବ ହେଲା। ଦୀର୍ଘ ୫ ଘଣ୍ଟାର ଯନ୍ତ୍ରଣା ପରେ ତା’କୁ ପୁଲିସ୍ ଉଦ୍ଧାର କରି ଖୋର୍ଧାସ୍ଥିତ ହସ୍ପିଟାଲ୍କୁ ନେଲା। ହେଲେ ଅବସ୍ଥା ବିଗିଡ଼ିବାରୁ ରାକେଶର ଦିନ ମଜୁରିଆ ବାପା ତାକୁ କଟକ ଏସ୍ସିବି ମେଡିକାଲ୍କୁ ନେଇ ଯାଇଥିଲେ। ସେଠି ବି କିଛି ଲାଭ ହେଲାନି। ପୁଅ କୋମାକୁ ଚାଲିଗଲା। ଯେବେଠୁ ପୁଅର ଏ ଦଶା ହୋଇଛି ପ୍ରଦୀପ ପୁଅକୁ କାଖରେ ଧରି ଏ ମେଡିକାଲ୍ରୁ ସେ ମେଡିକାଲ୍ ଧାଉଁଛନ୍ତି। ପୁଅକୁ ଭଲ କରି ଦେବା ପାଇଁ ନେହୁରା ହେଉଛନ୍ତି। ହେଲେ ବାପା ପ୍ରଦୀପର ଅନ୍ତରର ବୁକୁଫଟା କାନ୍ଦ ଶୁଣିବାକୁ ଯେମିତି ଭଲ ହୃଦୟଟିଏ ଜୁଟି ପାରିନି।
ଯେବେଠୁ ପୁଅର ଏ ଦଶା ହୋଇଛି ରାକେଶର ବାପା ମା’ ତାମିଲନାଡ଼ୁରୁ ବାଲି ସିମେଣ୍ଟ୍ କାମ ଛାଡ଼ି ପୁଅ ପଛରେ ଲାଗିଛନ୍ତି। ଏଣେ ପେଟ ଚାଖଣ୍ଡଙ୍କ ପାଇଁ କାହା ହାତ ଟେକା ହିଁ ତାଙ୍କର ଭରସା। ନିଜ ନାତିର ଏ ଅବସ୍ଥା ପରେ ତା’ର ବୁଢ଼ା ଜେଜେ ଏବେ ବି ୭୦ ବର୍ଷ ବୟସରେ ଲୁଗା ଧରି ସାହିସାହି ବୁଲି ଫେରି କରୁଛନ୍ତି। ପ୍ରଦୀପ ଏବେ ସୁଦ୍ଧା ପୁଅ ପାଇଁ ୭ଲକ୍ଷ ୨୩ ହଜାର ଟଙ୍କା ଖର୍ଚ କରିସାରିଲେଣି। ତଥାପି ପୁଅ କତରାଲଗା ହୋଇ ଘରେ ପଡ଼ିରହିଛି। ଡାକ୍ତରଖାନାରେ ଟଙ୍କା ସାରିବାକୁ ବଳ ନଥିବାରୁ ପୁଅକୁ ଏବେ ଘରେ ରଖିଛନ୍ତି। କିନ୍ତୁ ଔଷଧ କିଣିବାକୁ ପାଖରେ ଟଙ୍କା ନାହିଁ। ଏଣେ ପ୍ରଦୀପଙ୍କ ସୂଚନା ଅନୁଯାୟୀ, ସମ୍ ହସ୍ପିଟାଲ୍ର ସନାତନ ରଥ କାଳେ ପୁଅର ସମସ୍ତ ରିପୋର୍ଟ ଦେଖିବା ପରେ ପୁଅ ଭଲ ହୋଇଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ମାତ୍ର ଏଥିପାଇଁ ଆବଶ୍ୟକୀୟ ଟଙ୍କା ଯୋଗାଡ଼ କରିବା ପାଇଁ ପ୍ରଦୀପଙ୍କ ପାଖରେ କିଛି ବି ସାଧନ ନାହିଁ। ଆନନ୍ଦର ପର୍ବରେ ତାଙ୍କ ଦୁଃଖର ଚକ୍ରବ୍ୟୂହରେ ପେସି ହେଉଥିବା ରାକେଶଙ୍କୁ ସାହାଯ୍ୟ କଲେ ରାକେଶ ତା ଜୀବନ ଫେରି ପାଇପାରନ୍ତ। ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ ପ୍ରଦୀପଙ୍କୁ ମୋବାଇଲ୍ ନଂ ୮୯୮୪୩୫୮୪୭୫ରେ ଯୋଗାଯୋଗ କରିପାରିବେ।
ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅ
ରୋଗ ମୋ ସଂସାର ଉଜାଡ଼ିଦେଲା। ରୋଗର ଏତେ ରାଗ ଯେ ତାହା ଗୋଡ଼ ଯାଏଁ ମାଡ଼ିଗଲାଣି। ଡାକ୍ତର କହିଲେଣି ଗୋଡ଼ ଅପରେସନ୍ ନିହାତି ଦରକାର। ଆଗରୁ ଲୋକଙ୍କ ସହଯୋଗରୁ କର୍କଟ ଭଳି ମହାବ୍ୟାଧି ସହ ଲଢ଼ିବାକୁ ଚେଷ୍ଟା କରି ନୂଆ ଜୀବନଟେ ପାଇବି ବୋଲି ଭାବିଥିଲି ଯେ, ସେତକ ବି ହେଲା ନାହିଁ। ଏବେ ଡାକ୍ତର ଗୋଡ଼ ଅପରେସନ୍ କଥା କହିବା ପରେ ବୁଦ୍ଧିବାଟ ଦିଶୁନାହିଁ ବୋଲି କହିଛନ୍ତି କର୍କଟ ପୀଡ଼ିତ ପୂର୍ଣ୍ଣଚନ୍ଦ୍ର ସାହୁ। ଏଣେ ୪ ଝିଅର ବାପା ହୋଇଥିଲେ ହେଁ କର୍କଟ ରୋଗରେ ପୀଡ଼ିତ ହେବା ପରଠୁ ସେମାନଙ୍କ ମୁହଁରେ ଆହାର ଦେବା ପାଇଁ ପାଖରେ କାଣି କଉଡ଼ିଟିଏ ନାହିଁ। ଦୁଇ ଝିଅଙ୍କୁ ଅନାଥାଶ୍ରମରେ ଛାଡ଼ି ଦେଇଥିବା ବେଳେ ଅନ୍ୟ ଦୁଇ ଝିଅଙ୍କ ବୋଝ ବି ତାଙ୍କ ଉପରେ। ପତ୍ନୀ ସୁମିତ୍ରା ବାହାରେ ଝାଡ଼ୁମାରି ଯାହା କମଉଛନ୍ତି ସେଥିରେ ୬ ପ୍ରାଣୀ ପରିବାରର ୨ ଓଳା ଖାଇବାକୁ ବି ନିଅଣ୍ଟ ପଡ଼ୁଛି। ପୂର୍ଣ୍ଣଚନ୍ଦ୍ରଙ୍କ କହିବା ମୁତାବକ ରୋଗ ଫୁସ୍ଫୁସ୍ କି ଲିଭରକୁ ଧରିଛି କି ନାହିଁ ପରୀକ୍ଷା କରିବାକୁ ପଡ଼ିବ। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ କାଳେ ସେସବୁ ପରୀକ୍ଷା ପାଇଁ ସୁବିଧା ନାହିଁ। ତେଣୁ ବାହାରେ ପରୀକ୍ଷା କରିବା ପାଇଁ ୨୨ ହଜାର ଟଙ୍କା ଦରକାର। ହେଲେ ଟଙ୍କା କେଉଁଠୁ ଆସିବ, ସେନେଇ ସୁମିତ୍ରା ଚିନ୍ତାରେ ପଡ଼ିଛନ୍ତି। ସହୃଦୟ ବ୍ୟକ୍ତିବିଶେଷ ତାଙ୍କ ମୋବାଇଲ୍ ନମ୍ବର ୯୬୫୮୮୪୪୬୪୩ ରେ ଯୋଗାଯୋଗ କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।
ମୋ ଝିଅକୁ ଖୋଜିଦିଅ
ଦେଢ଼ ମାସ ହେଲା ସ୍ୱାମୀକୁ ଖୋଜୁଛି। ହେଲେ ପାଉନି। ଭଲ ପାଇ ବାହା ହୋଇ ଏମିତି ମାରିବାକୁ ଛାଡ଼ି ଦେବ ବୋଲି ଜାଣି ନଥିଲି। ବସ୍ ହେଲ୍ପର ଭାବେ କାମ କରୁଥିବା ନିଜ ସ୍ୱାମୀକୁ ଖୋଜିଖୋଜି ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ପହଞ୍ଚିଥିବା କବିତା ମହାକୁଡ଼ଙ୍କ ମୁହଁରୁ ଏମିତି କ୍ଷୋଭଭରା ବାକ୍ୟ ଅତ୍ୟନ୍ତ ଅସହ୍ୟ ମନେ ହେଉଥିଲା। ପଚାରି ବୁଝିବାରୁ ଜଣା ପଡ଼ିଲା କବିତାର ସ୍ୱାମୀ ଶଙ୍କର ମାଝୀ କୁଆଡ଼େ ୭-୮ ମାସର କ୍ଷୀର ଛାଡ଼ି ନଥିବା ଝିଅକୁ ଧରି ଦେଢ଼ ମାସ ହେଲା ଚାଲିଯାଇଛି। ଏଣେ କବିତା ତା’ କୋଳରେ ୨ ବର୍ଷର ପୁଅ ଆୟୁଷକୁ ଧରି ସ୍ୱାମୀକୁ ଘୂରିଘୂରି ଖୋଜି ବୁଲୁଛି। କବିତାଙ୍କୁ ଡର ଯେ ଶଙ୍କର କାଳେ ତା’ର ଝିଅକୁ କୋଉଠି ବିକି ଦେଇଥିବ। ଏଇ କଥା କହିକହି କବିତା କେବଳ ଲୁହ ଢାଳୁଛି। ଏହି ଘଟଣା ଦେଖିବା ପରେ ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଥିବା ବିଏମ୍ସି ଆଶ୍ରୟସ୍ଥଳୀର ବିଜୟ କୁମାର ବେହେରା କବିତା ଓ ଆୟୁଷକୁ ଆଶ୍ରୟ ଦେଇଛନ୍ତି। ଏଣେ ଆଶ୍ରୟସ୍ଥଳୀର କେୟାର ଟେକର ନିର୍ଭୟ କୁମାର ଦାସଙ୍କ କହିବା ମୁତାବକ ଆୟୁଷ ବି ବାପାବାପା ବୋଲି ଖୋଜୁଛି। କବିତା କିନ୍ତୁ ଭାଙ୍ଗି ପଡ଼ି ନିରାଶ ହେବା ପରେ ଏବେ କୋଉ ବାବୁ ଘରେ କାମ ପାଇଟି କରି ପୁଅ ପେଟକୁ ଆହାର ଦେବା ପାଇଁ ଗୁହାରି କରୁଛି। ଏଣେ ଝିଅକୁ ଫେରି ପାଇବାକୁ ସେ ଆକୁଳ ନିବେଦନ କରିଛି।