କ୍ୟାନ୍ସର୍‌ କରିଛି ଅନ୍ଧାର, ଦୁଃଖୀ ଘରକୁ ଫେରିବ କି ଦୀପାବଳି!

ଭୁବନେଶ୍ୱର : କେଇ ଘଣ୍ଟାର ବ୍ୟବଧାନ ପରେ ଦୀପ ଆଲୋକରେ ଝଲସିବ ଗାଁରୁ ନଗର। ଉତ୍ସବ ମୁଖର ହୋଇଉଠିବ ସାରା ସହର। ବାଣ ସିନା ଫୁଟିବ ନାହିଁ, କିନ୍ତୁ ଘରେ ଘରେ ଖୁସିର ଫରୁଆ ଖୋଲିଯିବ। ଖେଳିଯିବ ଖୁସିର ମାହୋଲ। ରଙ୍ଗୋଲି ସାଜସଜାଠୁ ନେଇ ପିଠାପଣା ମହକରେ ଘର ବାସିବ। ହେଲେ ଏହା ସମସ୍ତଙ୍କ ଭାଗ୍ୟରେ ନାହିଁ। ଉତ୍ସବର ଏହି ପରିବେଶ ଭିତରେ ବି ଗୁମୁରି ଗୁମୁରି କାନ୍ଦୁଛି ଅନେକ ପରିବାର। ଭଗବାନ ସେମାନଙ୍କୁ ଦରିଦ୍ର କରିବା ଯେତିକି ଦୁଃଖ ଦେଇ ନାହିଁ, ସେମାନଙ୍କ ଛୋଟ ପୁଅ ଝିଅଙ୍କୁ କ୍ୟାନ୍ସର ଭଳି ବ୍ୟାଧି ଦେଇ ଦୁନିଆର ସବୁଠୁ କଷ୍ଟକର ଅସହ୍ୟ ଯନ୍ତ୍ରଣା ଦେଇଛନ୍ତି। ସବୁ ସୁଖ ଛଡ଼େଇ ନେଇଛନ୍ତି। କିଏ ଔଷଧ ପାଇଁ ହାତ ପାତୁଛି ତ କିଏ ଉନ୍ନତ ଚିକିତ୍ସା ପାଇଁ ନିଜ ଜମିବାଡ଼ି ବିକି ସର୍ବସ୍ବାନ୍ତ ହୋଇଗଲାଣି। କ୍ୟାନ୍‌ସର ପୀଡ଼ିତ କୋମଳମତି ଶିଶୁମାନେ ଦୁନିଆ କ’ଣ ଜାଣିବା ପୂର୍ବରୁ ମରଣ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଜୀବନରେ ବହୁ ଦୀପାବଳି ଯାଇଛି, ବାଣ ତ ଅନେକ ଫୁଟାଇଛେ। ତେଣୁ ବାଣ ଖର୍ଚ୍ଚ କାଟ୍‌ କରି ଏହି ଆଲୋକର ପର୍ବରେ ସେମାନଙ୍କ ଅନ୍ଧାର ଘରେ ଆଶାର ଦୀପାଳିଟିଏ ଜାଳି ଦେଇପାରିଲେ, ତାହା ପ୍ରକୃତ ଦୀପାବଳି ହୁଅନ୍ତା ବୋଲି ଅନେକ ସମାଜସେବୀ ମତ ରଖିଛନ୍ତି।

ମୋ ଶୁଭମକୁ ସାହା ହୁଅ
ଭଗବାନ ଏକାବେଳେ ଆମ ଦୁନିଆକୁ ଯାଁଳା ଭାବେ ପୁଅ ଝିଅଙ୍କୁ ଭେଟି ଦେଇଥିଲେ। ହସଖୁସିରେ ଚାଲିଥିଲା ସଂସାର। ହେଲେ ୨୦୧୮ ମସିହା ଅକ୍ଟୋବର ୨୬ ତାରିଖରେ ଆମ ଦୁନିଆ ବଦଳିଗଲା। ପୁଅକୁ ବ୍ଲଡ୍‌ କ୍ୟାନ୍ସର ହୋଇଛି ବୋଲି ଜାଣିବା ମାତ୍ରେ ସୁରତରୁ ଶାଢ଼ି କମ୍ପାନି ଚାକିରି ଛାଡ଼ି ପଳେଇ ଆସିଲି। ଝିଅ ୯ମରେ ପଢ଼ିଲାଣି, ପୁଅ କିନ୍ତୁ ଜୀବନମରଣ ସହ ସବୁଦିନ ଯୁଝୁଛି। ୧୪ ବର୍ଷୀୟ ପୁଅକୁ ବ୍ଲଡ୍‌ କ୍ୟାନ୍ସର ହେବା ପରଠୁ ଦୀପାବଳିରେ ତାଙ୍କ ଘରେ ଆଉ ଦୀପ ଜଳି ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ମନ୍ମଥ ନାୟକ। ଅର୍ଥାଭାବରୁ ପୁଅର ଉପଯୁକ୍ତ ଚିକିତ୍ସା କରାଇ ପାରୁନାହାନ୍ତି। ବଦାନ୍ୟ ବ୍ୟକ୍ତିମାନେ ତାଙ୍କୁ ମୋବାଇଲ୍‌ ନମ୍ବର ୭୭୩୫୧୭୫୧୦୭ରେ ଯୋଗାଯୋଗ କରିପାରିବେ।

ଏମିତି କଷଣ କାହିଁକି?
ପୁଅ ସତ୍ୟନାରାୟଣକୁ ୩ବର୍ଷ ବୟସ ହୋଇଥିବା ବେଳେ କ୍ୟାନ୍ସରରେ ପୀଡ଼ିତ ବୋଲି ଜଣାପଡ଼ିଲା। ଗୋଟେ ପୁଅ ଓ ଝିଅକୁ ନେଇ ମୋ ସଂସାର ହସଖୁସିରେ ଚାଲିଥିବା ବେ‌ଳେ ଭଗବାନ କାହିଁକି ଏମିତି କଷଣ ଦେଲେ କେଜାଣି ବୁଝିପାରୁନି। ବର୍ଷେ ୪ ମାସ ହେଲାଣି ପୁଅ ପାଇଁ ଆମ ପରିବାରରେ ଅନ୍ଧାର ଘୋଟି ଯାଇଛି। ମୁଁ ସାଧାରଣ କ୍ଷୁଦ୍ର ଚାଷୀଟିଏ। ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରୁକରୁ କାମ ଧନ୍ଦା ବନ୍ଦ ହୋଇଯାଉଛି। କ୍ୟାନ୍ସର ସାଙ୍ଗକୁ ଅନ୍ୟ ରୋଗ ବାବଦ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନାହିଁ ବୋଲି ସତ୍ୟନାରାୟଣଙ୍କ ବାପା ଉଚ୍ଛବ ସ୍ବାଇଁ କହିଛନ୍ତି। ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବା ପାଇଁ ମୋବାଇଲ୍‌ ନମ୍ବର ୭୦୭୭୧୩୬୩୬୫ରେ ଯୋଗାଯୋଗ କରିପାରିବେ।

ବମ୍ବେ ନନେଲେ ପୁଅର..
ପୁଅ ଜୟସ୍‌କୁ ମାତ୍ର ୨ବର୍ଷ। ବର୍ଷକର ହୋଇଥିବା ବେଳେ ସେ ବ୍ଲଡ୍‌ କ୍ୟାନ୍ସରରେ ପୀଡ଼ିତ ବୋଲି ଜଣାପଡ଼ିଲା। ବର୍ଷେ ହେଲା ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ଚିକିତ୍ସିତ ହେଉଛି। ମାତ୍ର କେମୋ କାମ କରୁନାହିଁ। ଡାକ୍ତର କହୁଛନ୍ତି ବମ୍ବେ ଟାଟା ମେମୋରିଆଲ ହସ୍ପିଟାଲ ନେବାକୁ। ବିଳମ୍ବ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଡାକ୍ତର ସତର୍କ କରାଇ ଦେଲେଣି। ହେଲେ ପୁଅକୁ ବମ୍ବେ ପର୍ଯ୍ୟନ୍ତ ନେବାକୁ ‌ବି ମୋ ପାଖେ ସମ୍ବଳ ନାହିଁ। ବର୍ଷେ ହେଲା କଲ୍‌ ସେଣ୍ଟର ଚାକିରି ଛାଡ଼ି ପୁଅ ଯୋଗୁଁ ଘରେ ବସିଛି। କ’ଣ କରିବି କିଛି ବୁଦ୍ଧି ବାଟ ଦିଶୁନାହିଁ। ଏମିତି ଅବସ୍ଥାରେ ପୁଅର ଚିକିତ୍ସା ପାଇଁ ସୁନ୍ଦରଗଡ଼ କୋଇଡ଼ାର ରାଜେଶ ଜୟସ୍ବାଲ୍‌ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଛନ୍ତି। ତାଙ୍କୁ ସହଯୋଗ କରିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷ ମୋବାଇଲ୍‌ ନମ୍ବର ୯୮୬୧୨୮୯୬୬୭ରେ ତାଙ୍କୁ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ବିଦୁ ମାଉସୀଙ୍କ ମୁହଁରେ ହସ ଫୁଟାଇଲେ ସବ୍ୟସାଚୀ
କଥା ରଖିଲେ ସବ୍ୟସାଚୀ। ବରାଦ ମୁତାବକ, ବିଦୁଲତାଙ୍କଠାରୁ ୬ ହଜାର ଦୀପ କିଣି ତାଙ୍କ ପରିବାର ମୁହଁରେ ସେ ହସ ଭରିଛନ୍ତି। ବିଦୁଲତାଙ୍କ ସ୍ବାମୀ ମାଲୁ ମୁଦୁଲି କେନାଲରେ ବୁଡ଼ି ପ୍ରାଣ ହରାଇବା ପରେ ବେସାହାରା ହୋଇଯାଇଥିଲା ତାଙ୍କ ପରିବାର। ପାଗଳି ପ୍ରାୟ ହୋଇଯାଇଥିବା ବିଦୁ ମାଉସୀଙ୍କ ଅବସ୍ଥା କଥା ଶୁଣିବା ପରେ ଅଭିନେତା ସବ୍ୟସାଚୀ ମିଶ୍ର ଆରମ୍ଭ କରିଦେଇଥିଲେ ଅଭିଯାନ। କିଛି ଅର୍ଥ ଦାନ ଦେଇ ବଦାନ୍ୟତା ଦେଖାଇବା ଅପେକ୍ଷା, ତାଙ୍କ ପାରିବାରିକ ବେଉସାକୁ ଆଗକୁ ବଢ଼ାଇବାକୁ ବାଟ ଦେଖାଇଥିଲେ ସବ୍ୟସାଚୀ। ପ୍ରତିଶ୍ରୁତି ଦେଇ କହିଥିଲେ, ‘ଏବେଠୁ ଦୀପ ଗଢ଼ିବା ଆରମ୍ଭ କର। ଦୀପାବଳି ପୂର୍ବରୁ ସବୁ ଦୀପ ମୁଁ କିଣିନେବି।’ ସେୟା ହୋଇଥିଲା, ବିଦୁ ମାଉସୀ ତିଆରି କରିଥିବା ୬ ହଜାର ଦୀପକୁ ସବ୍ୟସାଚୀ କିଣି ନେଇଛନ୍ତି। ଆଗକୁ ମଧ୍ୟ ବିଦୁ ମାଉସୀଙ୍କ ହାତ ଗଢ଼ା ମାଟି ପାତ୍ର ଓ ଅନ୍ୟାନ୍ୟ ସାମଗ୍ରୀର ମାର୍କେଟିଂ କରାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର