ଭୁବନେଶ୍ୱର: ଦୀପାବଳି ପର୍ବ ସଂସ୍କୃତିପ୍ରେମୀଙ୍କୁ ଯେତିକି ଉତ୍ସାହିତ କରେ ପରିବେଶବିତ୍‌ଙ୍କୁ ସେତିକି ଚିନ୍ତିତ ବି କରେ। କାରଣ ଆଲୋକର ପର୍ବ ଏବେ ପ୍ରଦୂଷଣର ପର୍ବ ଭାବେ ବେଶ୍‌ଦୁର୍ନାମ ଅର୍ଜିଛି। ଦୀପାବଳି ଆସିଲେ, ପୁରରୁ ପଲ୍ଲୀ ଆଲୋକିତ ହୋଇଉଠେ। ଦୀପ ଓ ମହମବତୀର ଆଲୋକରେ ଅମାବାସ୍ୟାର କଳା ଅନ୍ଧାର ଦୂର ହୁଏ। ତେବେ ଏବେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏଲ୍‌ଇଡି ଲାଇଟ୍‌। ୩୦ ଟଙ୍କାରୁ ଆରମ୍ଭ କରି ୪୫୦୦ ଟଙ୍କାରେ ଏଲ୍‌ଇଡି ବତି ଏବେ ବଜାରରେ ବିକ୍ରି ହେଉଛି।

Advertisment

ବିନା ପ୍ରଦୂଷଣର ବାଣ
ପରିବେଶ ପ୍ରଦୂଷଣ ରୋକିବା ପାଇଁ ବଜାରକୁ ଆସିଛି ବିଦ୍ୟୁତ୍‌ଚାଳିତ ବିନା ପ୍ରଦୂଷଣର ବାଣର ମାଳ। ଏଥିରେ ବିଦ୍ୟୁତ ସଂଯୋଗ କଲେ ବାଣ ଫୁଟିବାର ଶବ୍ଦ ହେଉଛି। ଏହା ବାଣର ଏକ ମାଳ ସଦୃଶ ହୋଇଥିବାରୁ ଏହାକୁ ଘରସଜ୍ଜା ପାଇଁ ମଧ୍ୟ ଲଗାଇହେବ ବୋଲି ବ୍ୟବସାୟୀ କହିଛନ୍ତି। ଏହାକୁ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବ୍ୟବହାର କରିହେବ। ଏହାର ଦାମ୍‌୧୫୦୦ରୁ ଆରମ୍ଭ କରି ୧୮୦୦ ପର୍ଯ୍ୟନ୍ତ ରହିଛି।

ଚାହିଦାରେ ଟ୍ରି , ଝୁମର୍‌ ଓ ଵାଟର୍‌ ଫାଉଣ୍ଟେନ୍ ଲାଇଟ୍‌
ଦୀପାବଳିରେ ନିଜ ଘରକୁ ସମସ୍ତଙ୍କଠାରୁ ନିଆରା ସଜାଇବା ପାଇଁ ସମସ୍ତେ ଚାହାନ୍ତି। ସେଥିପାଇଁ ଭଳିକି ଭଳି ଲିଚୁ ଲାଇଟ୍‌, ରାଇସ୍ ମାଳ, ବିଭିନ୍ନ ଫୁଲପତ୍ର,  ଏଲ୍‌ଇଡି ମାଳ, ଲଣ୍ଠନ ମାଳ, ଝୁମୁକା ମାଳ, ଵାଟର ଫାଉଣ୍ଟେନ୍, ବିଭିନ୍ନ ପତ୍ର ଡିଜାଇନ୍‌ର ଭାଇନ ଲାଇଟ୍‌, ଷ୍ଟାର୍‌ଲାଇଟ୍‌, ଟ୍ରି ଲାଇଟ୍‌, ଝୁମର ବତି ଓ ବତି ଦୀପ ପରି ଅନେକ ପ୍ରକାର ସାଜସଜ୍ଜା ଆଲୋକ ମାଳ ବିକ୍ରି କରାଯାଉଛି। ଆକାର ଓ ଡିଜାଇନ୍ ଅନୁସାରେ ମାଳର ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବିଶେଷ କରି ଟ୍ରି ଲାଇଟ, ଵାଟର ଫାଉଣ୍ଟେନ୍ ଓ ଝୁମର ଲାଇଟ୍‌ କିଣିବାକୁ ଲୋକଙ୍କ ଚାହିଦା ଅଧିକ ରହିଛି। ଏହି ଲାଇଟ୍‌ର ଦାମ୍‌ ୭୦୦ରୁ ୧୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଲାଇଟ୍‌ କୋଲ୍‌କାତା ଓ ଦିଲ୍ଲୀରୁ ଆସୁଛି ବୋଲି ବାପୁଜୀନଗରର ବ୍ୟବସାୟୀ ଚିନ୍ମୟ ପରିଡ଼ା କହିଛନ୍ତି।
ବ୍ୟାଟେରିଚାଳିତ ମହମବତି ଓ ଦୀପର ଆଦର
ଦୀପାବଳିରେ ଦୀପରେ ତେଲ ସରିଗଲେ ବାରମ୍ୱାର ତେଲ ଢାଲିବାକୁ ପଡ଼ିବନି ଅଥବା ନୂଆ ମହମବତି ଲଗାଇବାକୁ ପଡ଼ିବନି। ସେଥିପାଇଁ ବଜାରକୁ ଆସିଛି ପଦ୍ମଫୁଲ, କୁନିଘର ଓ ସିଲିଣ୍ଡର ଆକୃତିର ଦୀପ ସଦୃଶ ଲାଇଟ୍‌। ଏସବୁର ଅନ୍ୟତମ ବିଶେଷତ୍ବ ହେଉଛି ଏଥିରେ ବ୍ୟାଟେରି ସହିତ ସେନ୍‌ସର ଲାଗିଛି। ଏସବୁରେ ପାଣି ଢାଳିଲେ ଆଲୋକ ଆପେ ଜଳୁଛି। ସେହିପରି ସିଲିଣ୍ଡର, କୋନ୍ ଓ ଅନ୍ୟାନ୍ୟ ଆକୃତିର ଧୂମ୍ରବିହୀନ ମହମବତି ଲାଇଟ୍‌ବେଶ୍‌ଆଦର ସାଉଁଟିଛି।