ଭୁବନେଶ୍ୱର: ବିଶ୍ବାସକୁ ନେଇ ଗଢ଼ିଉଠିଥାଏ ପର୍ବ ଓ ପରମ୍ପରା। ବିଶ୍ବାସ ରହିଛି ପାର୍ବଣ ବେଳେ ଆମ ପୂର୍ବପୁରୁଷମାନେ ସ୍ବର୍ଗରୁ ମର୍ତ୍ତ୍ୟଲୋକକୁ ଆସିଥା’ନ୍ତି ଏବଂ ପବିତ୍ର କାର୍ତ୍ତିକ ଅମାବାସ୍ୟାରେ ବିଦାୟ ନିଅନ୍ତି। ଏହି ଅବସରରେ ସେମାନଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଏ ଏବଂ ସେମାନଙ୍କୁ ମେଲାଣି ଦେବାକୁ ପାଳନ କରାଯାଏ ଆଲୋକର ପର୍ବ ଦୀପାବଳି। ଅମାବାସ୍ୟା ଦିନ ଘରେଘରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ଏବଂ କାଉଁରିଆ କାଠି ଜାଳି ଆଲୋକ ଦେଖାଇ ମେଲାଣି ଦିଆଯାଏ। କାଉଁରିଆ କାଠି ଜାଳିବା ବିଧିକୁ କୁହାଯାଏ ‘ବଡ଼ବଡ଼ୁଆ ଡାକିବା’। ସଂଜ ବୁଡ଼ୁବୁଡ଼ୁ ଘର ଦୁଆର ମୁହଁରୁ ଶୁଭିଥାଏ, ବଡ଼ବଡ଼ୁଆ ହୋ... ବାଇଶି ପାହାଚେ’।
ଗାଁରେ ବଡ଼ବଡ଼ୁଆ ଡାକ ପ୍ରଥା କାହିଁ କେଉଁ କାଳରୁ ରହିଛି। ସହରରେ ଏଭଳି ପରମ୍ପରା ପ୍ରାୟତଃ ଦେଖାଯାଏ ନାହିଁ ବା କ୍ବଚିତ ଦେଖିବାକୁ ମିଳେ। କିନ୍ତୁ ଏଥିପାଇଁ ସହରରେ କିଣାବିକା ଭିଡ଼ ହୁଏ। ପିଠା, ପଣା, ଫଳ, ମୂଳ କିଣିବା ପାଇଁ ଭୁବନେଶ୍ବରରେ ଆଜିଠୁ ପ୍ରବଳ ଭିଡ଼ ହୋଇଛି। ରାଜଧାନୀର ବିଭିନ୍ନ ହାଟ, ବଜାରଠାରୁ ଆରମ୍ଭ କରି ରାସ୍ତା କଡ଼ରେ କାଉଁରିଆ କାଠି ପସରା ଦେଖିବାକୁ ମିଳିଛି। ରାଜମହଲ ଛକରୁ ଏଜି ଛକ ରାସ୍ତା କଡ଼ରେ ବ୍ୟବସାୟୀମାନେ କାଉଁରିଆ କାଠି ପସରା ମେଲାଇଛନ୍ତି। ଖୋର୍ଦ୍ଧା, ନୟାଗଡ଼, ପୁରୀ ଆଦି ଜିଲ୍ଲାରୁ ବ୍ୟବସାୟୀମାନେ କାଉଁରିଆ କାଠି ସମେତ ଆଖୁ, ଦୁବ, ବରକୋଳି ପତ୍ର, ପଦ୍ମ ଫୁଲ, ବାଳୁଙ୍ଗାଲଟି ପସରା ଧରି ଆସିଛନ୍ତି। ଦୁବ, ବରକୋଳିପତ୍ର, ବାଳୁଙ୍ଗାଲଟି ବିଡ଼ାକୁ ୨୦ଟଙ୍କା ରହିଛି। ବଜାରର ଚାହିଦା ଅନୁସାରେ ୪ଟି କାଠି ବିଶିଷ୍ଟ ଗୋଟିଏ କାଉଁରିଆ ବିଡ଼ାକୁ ୩୦ରୁ ୪୦ ଟଙ୍କା ଦରରେ ବିକ୍ରି କରାଯାଉଛି। ବଡ଼ବଡ଼ୁଆ ଡକାରେ ଆଖୁ ଦରକାର। ଆଖୁ ଖଣ୍ଡକୁ ୧୦ଟଙ୍କାରେ ବିକ୍ରି କରାଯାଉଛି। ଦର ଯେତେ ହେଉ ଏସବୁ କିଣିବାକୁ ପ୍ରବଳ ଭିଡ଼। ବିଧି ରଖିବାକୁ ହେବ। ବର୍ଷକୁ ଥରେ। ତେଣୁ କିଣିବାକୁ ପଡ଼ିବ ବୋଲି ଗ୍ରାହକଙ୍କ ମତ।
ଅନ୍ୟ ପଟେ ଦୀପାବଳି ପାଳିବାକୁ ଦୀପ, ବାଣ, ଲାଇଟ୍ ବଜାରରେ ବି ଅହେତୁକ ଭିଡ଼। ସହରର ସବୁ ଗଳିକନ୍ଦିରେ ଭଳିକି ଭଳି ରଙ୍ଗବେରଙ୍ଗର ଏଲ୍ଇଡି ଲାଇଚ, ଲିଚୁ ମାଳ, ପ୍ଲାଷ୍ଟିକ୍ ଓ କାଗଜଫୁଲ ବିକ୍ରି ହେଉଛି। ବାଣବଜାର ଭିଡ଼ ତ କାହିଁରେ କ’ଣ। କଡ଼ ଏଡ଼ାଇବା କାଠିକର ପାଠ। ସେହିପରି ଆଜି ଧନତେରାସ୍ ଥିବାରୁ ଲୋକେ ବହୁ ପରିମାଣର ଝାଡ଼ୁ କିଣିବା ଦେଖିବାକୁ ମିଳିଥିଲା। ଆକାର ଅନୁସାରେ ଫୁଲ ଝାଡ଼ୁଗୁଡ଼ିକ ୭୦ଟଙ୍କାରୁ ୧୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିଲା। ନଡ଼ିଆ ଖଡ଼ିକା ପହଁରାଗୁଡ଼ିକ ୩୦ରୁ ୪୦ଟଙ୍କାରେ ବିକ୍ରି ହୋଇଛି। ଖୁସିର ପର୍ବ ଦୀପାବଳି ପାଇଁ ମିଠା ବଜାରରେ ମଧ୍ୟ ଖୁସିର ମାହୋଲ। ରସଗୋଲା, ଗୋଲାପଜାମୁ ଠାରୁ ଆରମ୍ଭ କରି ପେଡ଼ା, ମିଠେଇଲଡ଼ୁ ଭଳି ଶୁଖିଲା ମିଠା ପର୍ଯ୍ୟନ୍ତ ପ୍ରବଳ ବିକ୍ରି ହୋଇଛି। ବଡ଼ବଡ଼ ମିଠା ଦୋକାନର ସଜେଇ ହୋଇ ରହିଥିବା ଆକର୍ଷଣୀୟ ମିଠା ପସରା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସେହିପରି ଗିଫ୍ଟ ପ୍ୟାକ୍ରେ ମିଠା ସାଙ୍ଗକୁ ଦୀପ, ଚକ୍ଲେଟ୍ ଓ ଡ୍ରାଏ ଫ୍ରୁଟ୍ସ ସଜେଇ ହୋଇଥିବା ଏକ ଦୀପାବଳି ବାସ୍କେଟ୍ ମଧ୍ୟ ବିକ୍ରି ହେଉଛି। ପରିମାଣ ଅନୁସାରେ ଏହି ଉପହାର ବାସ୍କେଟ୍ର ମୂଲ୍ୟ ୨୦୦ଟଙ୍କାରୁ ୨ ହଜାର ପର୍ଯ୍ୟନ୍ତ ରହିଛି। ସେହିପରି ବିଭିନ୍ନ ମଲ୍ ଓ ବଜାରରେ ଆକର୍ଷଣୀୟ ରିହାତିରେ ଇଲେକ୍ଟ୍ରାନିକ୍ସ ସାମଗ୍ରୀ ଓ ପୋଷାକ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି।
ଆସନ୍ତାକାଲି କାଳୀପୂଜା ପାଇଁ ରାଜଧାନୀର ବହୁ ପ୍ରମୁଖ କାଳୀ ମନ୍ଦିରରେ ଭିଡ଼ ହେବ। ବରମୁଣ୍ଡା, ସତ୍ୟନଗର, ବାପୁଜୀନଗର, ଜିଜିପି କଲୋନି ଆଦିରେ ଧୁମ୍ଧାମରେ ଏହି ପୂଜା ପାଳନ ହେବ। ବରମୁଣ୍ଡା କାଳୀମନ୍ଦିରରେ ଶ୍ୟମାକାଳୀଙ୍କ ପୂଜା ସହିତ କୁଷ୍ମାଣ୍ଡ ବଳି ଦିଆଯିବ। ଏଥିସହିତ ୧୦୮ ଦୀପଦାନ ଓ ପ୍ରସାଦସେବନର ମଧ୍ୟ ବ୍ୟବସ୍ଥା ହୋଇଛି। ସେହିପରି ସତ୍ୟନଗର ଓ ବାପୁଜୀନଗରରେ ମା’ଙ୍କର ଉପଚାର ପୂଜା ସହିତ ଚଣ୍ଡୀପାଠ ହେବ। ଗାଡ଼ିପୂଜା ପାଇଁ ମଧ୍ୟ ମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଛି।