କୁମ୍ଭକାର ମନରେ ଖୁସି ଆଣିଛି ଦୀପାବଳି

ବାଲିଅନ୍ତା:ଆଉ ଦିନ କେଇଟା ପରେ ପଡ଼ିବ ଆଲୋକର ପର୍ବ ଦୀପାବଳି। ତେଣୁ ଦୀପ ଗଢ଼ୁଥିବା କୁମ୍ଭକାରଙ୍କ ମନରେ ବେପାରର ଆଶା ଜେତିବାରେ ଲାଗିଛି। କରୋନା କଟକଣାରୁ ରୋଜଗାର ହରାଇଥିବା କୁମ୍ଭକାରମାନେ ଦୀପ ବେଉସାରୁ ଦି’ ପଇସା ପାଇବାର ଆଶା ବାନ୍ଧିଛନ୍ତି। ଚଳିତ ବର୍ଷ କରୋନା କଟକଣା ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଲୋକେ ବହୁ ସଂଖ୍ୟାରେ କେବଳ ଦୀପ ଜାଳିବେ ବୋଲି ସୂଚନା ମିଳିଛି। ତେଣୁ କୁମ୍ଭକାରମାନେ ଉତ୍ସାହର ସହ ଦୀପ ଗଢ଼ିବାରେ ଲାଗି ପଡ଼ିଛନ୍ତି।

ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବ‌ର୍ଷ ନିରାଡ଼ମ୍ବର ଭାବେ ଦୀପାବଳି ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ତେଣୁ ବାଣ ବ୍ୟବସାୟ ଉପରେ କଟକଣା ଜାରି କରାଯାଇଛି। ତେଣୁ ଲୋକେ ମାଟି ଦୀପ ଜାଳି ଦୀପାବଳି ପାଳନ କରିବାକୁ ସ୍ଥିର କରିଛନ୍ତି। ଏବେଠାରୁ ବେପାରୀମାନେ ମଧ୍ୟ କୁମ୍ଭକାରମାନଙ୍କ ଦୁଆରେ ଭିଡ଼ ଜମାଇଲେଣି। ବାଲିଅନ୍ତା, ବାଳକାଟି ମୁଦୁଲି ସାହି, ବ୍ରାହ୍ମଣସୁଆଁଲୋ, ଦଣ୍ଡିଲୋ, ମହୁଖଣ୍ଡା, କାକରୁଦ୍ରପୁର ଓ ଆଣ୍ଠୁଆରି, ଭିଙ୍ଗାରପୁର, ବାଲିକାନ୍ଥିଆ, ଜଗନ୍ନାଥପୁର, ସତ୍ୟଭାମାପୁର ଓ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ଅଞ୍ଚଳରେ ଥିବା କୁମ୍ଭକାର ସାହିରେ ବେପାରୀ ଓ ଲୋକଙ୍କ ଭିଡ଼ ଲାଗିଲାଣି। ମଠ, ମନ୍ଦିର ଓ ପୂଜା ସାମଗ୍ରୀ ଦୋକାନୀମାନେ ଦୀପ କିଣି ନେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କୁମ୍ଭକାର ମନୋଜ କୁମାର ମୁଦୁଲି, ସସ୍ମିତା ମୁଦୁଲି, ଅପସରା ମୁଦୁଲି, କୈଳାସ ମୁଦୁଲି ଓ ପ୍ରକାଶ ମୁଦୁଲିଙ୍କ କହିବାନୁଯାୟୀ ଜଣେ ଜଣେ କାରିଗର ୪୦ରୁ ୫୦ ହଜାର ପର୍ଯ୍ୟନ୍ତ ଦୀପ ଗଢ଼ି ସାରିଲେଣି। ଦୀପର ଆକାର ଓ ସୌନ୍ଦର୍ଯ୍ୟକୁ ନେଇ ଦର ସ୍ଥିର ହୋଇଛି। ହାତଗଢ଼ା ଛୋଟ ଦୀପ ଗୋଟାକ ୧ ଟଙ୍କାରୁ ୫ ଟଙ୍କା ଓ ୧୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଚକ ତିଆରି ବଡ଼ ଦୀପ ଗୋଟା ୩୦ରୁ ୪୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଦୀର୍ଘ ୯ମାସ ଧରି କରୋନା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ସେମାନେ ରୋଜଗାର ହରାଇଥିଲେ। ଗଣେଶ ପୂଜା, ଭାଲକୁଣୀ ପୂଜା ଓ ଦୁର୍ଗା ପୂଜା ବେଳେ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହୋଇଥିଲା। ମାତ୍ର ଦୀପାବଳି ସେମାନଙ୍କୁ କିଛି ରୋଜଗାର କରିବାର ସୁଯୋଗ ଆଣି ଦେଇଛି। କୁମ୍ଭକାର ପରିବାରଗୁଡ଼ିକରେ ପିଲା ଛୁଆମାନେ ଦିନରାତି ଏକ କରି ମାଟି ଦୀପ ଗଢ଼ିବାରେ ଲାଗି ପଡ଼ିଛନ୍ତି। ବର୍ଷା ନ ହେଉ ବୋଲି ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର