ଭୁବନେଶ୍ବର : ଦୀପାବଳି ଆସିଲେ ହାତ ତିଆରି ଦୀପର ଆଦର ବଢ଼ିଯାଏ। କାର୍ତିକ ଆରମ୍ଭର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ସେମାନଙ୍କର ପ୍ରସ୍ତୁତି। ରାଜଧାନୀର ଚାକଚକ୍ୟ ଭିତରେ ଦୀପାବଳିରେ ଦୀପ ଜାଳିବା ପରମ୍ପରା ଧୀରେ ଧୀରେ ଲିଭିଯିବାକୁ ବସିଛି। କାନ୍ଥବାଡ଼ରେ ଶୋଭାଯାଉଛି ଚାଇନା ତିଆରି ଲିଚୁ। ତଥାପି ଏମିତି କିଛି ମଣିଷ ଅଛନ୍ତି ଯିଏ ନିଜର ସାରା ଜୀବନକୁ ଦୀପ ତିଆରି ପାଇଁ ସମର୍ପିତ କରିଦେଇଛନ୍ତି। ଧୀରେ ଧୀରେ ହାତ ତିଆରି ଦୀପର କାରିଗରୀ କାମ ବନ୍ଦ ହୋଇଯାଉଥିବା ବେଳେ ଏବେ ବି ପୁରୁଣା ଭୁବନେଶ୍ବର ଅଞ୍ଚଳର ସତ୍ୟଭାମା ମୁଦୁଲି ନିଜର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି। ଆଜି ବି ପ୍ରସ୍ତୁତ କରୁଛନ୍ତି ହାତ ତିଆରି ଦୀପ।
ପୁରୁଣା ଭୁବନେଶ୍ବରର କୁମ୍ଭାର ସାହିରେ ନିଜର ଛୋଟ ସଂସାର ନେଇ ଜୀବିକା ନିର୍ବାହ କରୁଛନ୍ତି ସତ୍ୟଭାମା। ବର୍ଷତମାମ ମାଟିରେ କଳସ, ସରା, ମାଠିଆ ଓ ଦୀପ ଗଢ଼ିଥାନ୍ତି। ଦୀପାବଳି ପାଇଁ ତାଙ୍କର କାମ ଦୁଇ ଗୁଣ ବଢ଼ିଯାଇଥାଏ। ତାଙ୍କ କହିବାନୁଯାୟୀ, ପର୍ବ ପର୍ବାଣୀ ଆସିଲେ ଯାଇ ଦୁଇ ପଇସା ରୋଜଗାର ହୁଏ। ତଥାପି ବର୍ଷ ସାରା ପେଟ ପାଟଣା ପାଇଁ ମାଟିର ସାମଗ୍ରୀ ତିଆରି କରିଥାଉ। ପୁରୁଣା ପରମ୍ପରାକୁ ଏବେ ସାଇତି ରଖିବା ସହିତ ପରିବାର ଖୁସି ଓ ପିଲାର ପାଠ ପଢ଼ା ପାଇଁ ଏହି କାମକୁ ବଞ୍ଚେଇ ରଖିବାକୁ ପଛେଇ ନାହାନ୍ତି।
ଆଧୁନିକ ଯୁଗରେ ଦରଦାମ୍ର ବୃଦ୍ଧି ହୋଇଥିବା ବେଳେ ମାଟିର ଦାମ୍ ମଧ୍ୟ ଅକାଶ ଛୁଆଁ ହେଲାଣି। ଏମିତିକି ମାଟି ପାଇଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି। ଗୋଟିଏ ଟ୍ରିପ୍ ମାଟିର ଦାମ୍ ୮୦୦୦ ଟଙ୍କା ଟପିଲାଣି। ଧଉଳିସ୍ଥିତ ବସନ୍ତପୁରଠାରୁ ମାଟି ଆଣିବାକୁ ପଡ଼ୁଛି। ଏହାକୁ ଆଣି ଭଲରେ ଚକିଟି ସେଥିରେ ବାଲି ମିଶାଇ ପାଉଁଶ ସାହାଯ୍ୟରେ ଦୀପ ନିର୍ମାଣ କରିବା ପରେ କୋଇଲା ବା ଝାଟିରେ ଏହାକୁ ପୋଡ଼ିବା ପରେ ବିକ୍ରି ପାଇଁ ଦୀପ ପ୍ରସ୍ତୁତ ହୋଇଥାଏ। ଦିନକୁ ୨୦୦ରୁ ୩୦୦ ଦୀପ ତିଆରି କରିବାରେ ଯେଉଁ ପରିଶ୍ରମ ଓ ପଇସା ଖର୍ଚ ହୁଏ ସେତିକି କିନ୍ତୁ ଲାଭ ମିଳେ ନାହିଁ ବୋଲି ସତ୍ୟଭାମା କହିଛନ୍ତି। ଦୀପାବଳି ସମୟରେ ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ପାଇଁ ବନ୍ତଳ ସିଂହ, ମଙ୍ଗଳପୁର, ପିପିଲି, ନୂଆ ଶାସନ ଓ ଉତ୍ତର ଶାସନରୁ ଦୀପ ଆଣି ବିକ୍ରି କରୁ। ହାତ ତିଆରି ଦୀପର ଚାହିଦା ଥିବା ବେଳେ ପ୍ରାୟ ମାସେ ଆଗରୁ ବରାଦ ଦେଇଥାନ୍ତି। ନଖି ଦୀପ, ଦେବାଲି ଦୀପ, ଲୁକା, ମଡ଼ା ଓ ରଙ୍ଗ ଦୀପର ଚାହିଦା ଥିବା କହିଛନ୍ତି ସତ୍ୟଭାମା। ଦୀପ ୧୦୦ଟାକୁ ୪୦ରୁ ୫୦ ଟଙ୍କା ରଖିଥିବା ବେଳେ ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୨୦ ଟଙ୍କାରୁ ୩୦ ଟଙ୍କାରେ ବିକ୍ରି କରିବାକୁ ପଡ଼େ। ଏହି ସମୟରେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଥାଏ।