ରାତି ପାହିଲେ ଦୀପାବଳି: ବାଣ ପାଇଁ ବାଟ ଫିଟିଲାନି, ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ

ଡିସିପିଙ୍କୁ ଭେଟିଲା ବାଣ ବ୍ୟବସାୟୀ ସଂଘ, ବଢ଼ିଲା ଚୋରା ବେପାର ଆଶଙ୍କା

ଭୁବନେଶ୍ବର: ରାତି ପାହିଲେ ଦୀପାବଳି। ଏତେବେଳକୁ ରାଜଧାନୀ ଠୋ ଠା ଢ଼ୋ ଢ଼ା.. ଶବ୍ଦରେ ଗର୍ଜୁ ଥାଆନ୍ତା। କିନ୍ତୁ ଏବର୍ଷ ରାଜଧାନୀରେ ବାଣ ଦୋକାନ ଖୋଲିବ କି ନାହିଁ, ତାହା ଏଯାବତ୍‌ ସ୍ଥିର ହୋଇପାରିନାହିଁ। ହାଇକୋର୍ଟ କେବଳ ସବୁଜ ବାଣକୁ ଅନୁମତି ଦେଇଥିବା ବେଳେ ରାଜଧାନୀ ବଜାରରେ ଏ ପ୍ରକାରର ଗୋଟିଏ ହେଲେ ବାଣ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ନାହିଁ। ଅପରପକ୍ଷେ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୋକାନୀଙ୍କୁ ବାଣ ବିକ୍ରି ପାଇଁ ଅନୁମତି ଦେଇନାହିଁ। ତେଣୁ ଏବ‌ର୍ଷ ବାଣ ଫୁଟିବ କି ନାହିଁ, ସେ ନେଇ ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ଦୀପାବଳି ପୂର୍ବରୁ ବାଣ ବେପାର ପାଇଁ କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରେ। କେଉଁ ବାଣ ଫୁଟିବ? କେଉଁଠି ବାଣ ବଜାର ବସିବ? କେଉଁ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବ? ଏସବୁ ଦୀପାବଳିର ଢେର୍‌ କିଛି ଦିନ ପୂର୍ବରୁ ନିଷ୍ପତ୍ତି ସରିଥାଏ। ବିଶେଷକରି ରସୁଲଗଡ଼, ଡମଣା, ବରମୁଣ୍ଡା, ବଡ଼ଗଡ଼, ନୂଆପଲ୍ଲୀ ଭଳି ବଡ଼ ଖୋଲା ପଡ଼ିଆରେ ବାଣ ବଜାର ଲାଗେ। କିନ୍ତୁ ଏଥର ବାଣ ବଜାର ତ ଦୂରର କଥା, କମିସନରେଟ୍‌ ପୁଲିସର ନିଷ୍ପତ୍ତି ବ୍ୟବସାୟୀଙ୍କୁ ଅଡ଼ୁଆରେ ପକାଇଛି।

ନିୟମ ଅନୁଯାୟୀ କେବଳ ସବୁଜ ବାଣ (ଗ୍ରିନ କ୍ରାକର୍ସ)କୁ ଅନୁମତି ଦିଆଯାଇଛି। ତେବେ ଏହି ଗ୍ରିନ୍‌ କ୍ରାକର୍ସ କେବଳ ରାଜଧାନୀ ନୁହେଁ, ଓଡ଼ିଶାରେ କେଉଁଠି ବି ଉପଲବ୍ଧ ନାହିଁ। ଓଡ଼ିଶାର ବ୍ୟବସାୟୀ ସବୁଜ ବାଣ ପାଇଁ ତାମିଲ୍‌ନାଡ଼ୁର ଶିବକାଶୀ ଉପରେ ନିର୍ଭର କରୁଥିବା ବେଳେ ଏତେ କମ୍‌ ସମୟରେ କେମିତି ଆଣିବେ? ତେଣୁ ଏଥରକ ରାଜଧାନୀରେ ବାଣ ବିକ୍ରି ପାଇଁ ଅନୁମତି ନ ଦେବାକୁ କମିସନରେଟ୍‌ ପୁଲିସ ପରୋକ୍ଷରେ ସୂଚାଇ ଦେଇଛି।

ଆଜି ବାଣ ବ୍ୟବସାୟୀ ସଂଘ ଡିସିପିଙ୍କୁ ଭେଟି ବାଣ ଦୋକାନକୁ ଅନୁମତି ପାଇଁ ଦାବି କରିଥିଲେ। ଯେହେତୁ ସେମାନଙ୍କ ପାଖରେ ସବୁଜ ବାଣ ନାହିଁ, ତେଣୁ ଓଡ଼ିଶାରେ ତିଆରି ବାଣ ବିକ୍ରି ପାଇଁ ଅନୁମତି ମାଗିଥିଲେ। ହେଲେ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ କେବଳ ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌ (ପେସୋ) ଦ୍ବାରା ଅନୁମତିପ୍ରାପ୍ତ ବ୍ୟବସାୟୀମାନେ ବାଣ ବିକ୍ରି କରିପାରିବେ। ତେବେ ଏସବୁ ପ୍ରକ୍ରିୟା ପାଇଁ ଅତି କମ୍‌ରେ ୩ ଦିନ ସମୟ ଲାଗିଯିବ ବୋଲି ଜଣେ ବାଣ ବ୍ୟବସାୟୀ କହିଛନ୍ତି। ବାଣ ଦୋକାନ ପାଇଁ ପେ‌ସୋ ଅନୁମତି, ଟ୍ରେଜେରି ଚାଲାଣ ଏବଂ ଜିଏ ଅନୁମତି ନେବା ବେଳକୁ ଦୀପାବଳି ସରିଯାଇଥିବ ବୋଲି ସେ କଟାକ୍ଷ କରି କହିଛନ୍ତି।

ଓଡ଼ିଶା ବଜାରରେ ସବୁଜ ବାଣ ନଥିବା ବେଳେ ବ୍ୟବସାୟକୁ ଅନୁମତି ଦିଆନଯିବା, ଚୋରା ବାଣ ବ୍ୟବସାୟକୁ ପ୍ରୋତ୍ସାହିତ କରିବାର ଆଶଙ୍କା ବଢ଼ା‌ଇ ଦେଇଛି। କାରଣ ଏହି ସିଜିନ୍‌ ବ୍ୟବସାୟରେ ବ୍ୟବସାୟୀମାନେ ରାଜଧାନୀରେ ପାଖାପାଖି ୫-୧୦କୋଟି ଟଙ୍କାର ବାଣ ବ୍ୟବସାୟ କରିଥାଆନ୍ତି।‌ ବାଣଫୁଟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ରାଜଧାନୀରେ ଥିବା ୩ଶହରୁ ଊର୍ଧ୍ବ ବ୍ୟବସାୟୀ ଚଳିତ ସିଜିନ୍‌ ପାଇଁ ବାଣ ବି ଆଣି ସାରିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଅନୁମତି ନ ମିଳିବାରୁ ଏତେ ଟଙ୍କାର ବାଣ କ’ଣ କରିବେ? ସେଇ ଚିନ୍ତା ସେମାନଙ୍କୁ ଘାରିଛି। ତେଣୁ ଏବର୍ଷ ଚୋରାରେ ବାଣ ବିକ୍ରି ହେବ ବୋଲି ଆଶଙ୍କା ଦେଖାଦେଲାଣି। ଏହା ଉପରେ ଅଙ୍କୁଶ ଲଗାଇବା ପୁଲିସ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର