ଦୀପାବଳି ପାଇଁ ଜମିଲାଣି ମିଠା ବେପାର

ଭୁବନେଶ୍ୱର : ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଜାଳିବା ଓ ବାଣ ଫୁଟାଇବା ସହ ଏହି ପର୍ବରେ ମିଠା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ। କିଏ ବନ୍ଧୁ ପରିଜନଙ୍କୁ ଉପହାର ଦିଏ ତ’ କିଏ ମା’ କାଳୀଙ୍କୁ ଭୋଗ ଚଢ଼ାଏ। ପୁଣି ବଡ଼ବଡ଼ୁଆ ଟେକିବା ସମୟରେ ମଧ୍ୟ ପିଠାପଣା ମଧ୍ୟରେ ମିଠାର ଉପସ୍ଥିତି ଜରୁରୀ ହୋଇପଡ଼େ। ଏଥିପାଇଁ ରାଜଧାନୀ ବି ନିଜକୁ ଏଥିପାଇଁ ପ୍ରସ୍ତୁତ କରିଦେଲାଣି। ବଡ଼ଠାରୁ ଛୋଟ ମିଠା ଦୋକାନୀମାନେ ଭଲ ବେପାର ଆଶାରେ ଅଣ୍ଟା ଭିଡ଼ିଲେଣି।

ଲୋକମାନଙ୍କୁ ଭିନ୍ନ ସ୍ୱାଦର ମଜା ଚଖାଇବା ଉଦ୍ଦେଶ୍ୟରେ ମିଠା ଦୋକାନରେ ନୂଆ ନୂଆ ମିଠା ଓ ଡ୍ରାଏ ଫ୍ରୁଟ୍‌ ସବୁ ପସରା ମେଲିଲାଣି। ମିଠା ଭିତରେ ପାରମ୍ପରିକ ମିଠା ସହ କାଜୁ ବଟର ସ୍କ୍ରଚ୍‌, କାଜୁ ପାନ୍‌ ପସନ୍ଦ, କାଜୁ ନଟି, ଖୋଆ ପୋଡିଂ, ଡ୍ରାଏ ଫ୍ରୁଟ୍‌ ଲଡ୍ଡୁ, ପିନି, ବାଲୁସାଇ, କାଜୁ ହନି, କାଜୁ ଲିଚି, ରୋଜା କଲାକଞ୍ଜ ଓ ଅଞ୍ଜି ଗୋଲ୍‌ ଆଦି ବିଭିନ୍ନ ଭେରାଇଟିର ମିଠା ସହ ଡ୍ରାଏ ଫ୍ରୁଟ୍‌ରେ ରହିଛି ଡ୍ରାଏ ପାଇନାପଲ୍‌, ରୋଷ୍ଟେଡ୍‌ ମସାଲା କାଜୁ, କାଶ୍ମିରୀ ହାଡ୍‌ ସିଲ୍‌ଡ୍‌ ଆଲ୍‌ମଣ୍ଡ୍‌ ଓ ଖୁର୍ମାନୀ ଆଦି। ଧୀରେ ଧୀରେ ରାଜଧାନୀବାସୀ ଏସବୁ ପସନ୍ଦ କରୁଥିବାରୁ ଗ୍ରାହକଙ୍କୁ ଟାଣିବା ପାଇଁ ପ୍ରତିବର୍ଷ ଦୀପାବଳି ସମୟରେ ବ୍ୟବସାୟୀମାନେ ବଜାରକୁ କିଛି ନୂଆ ଆଣିବାକୁ ଚେଷ୍ଟା କରୁଛନ୍ତି। ମିଠା ସବୁ ୨୪୦ରୁ ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ରାମ ମନ୍ଦିରସ୍ଥିତ ନରୁଲା ମିଠା ଦୋକାନର ମାଲିକ ସିଦ୍ଧାର୍ଥ ନରୁଲା କୁହନ୍ତି, ରାକ୍ଷୀରୁ ଦୀପାବଳି ପର୍ଯ୍ୟନ୍ତ ଏହି ବେପାର ବେଶ୍‌ ଜମିବା ସହ ବଜାରକୁ ନୂଆ ନୂଆ ମିଠା ଆସେ। ପୁରୁଣା ମିଠା ସହ ଗ୍ରାହକମାନେ ନୂଆ କିଛି ମିଠା ଅଛି କି ବୋଲି ସବୁ ବେଳେ ପଚାରନ୍ତି। ଏଣୁ ଦେଶର ବିଭିନ୍ନ ରାଜ୍ୟର କାରିଗରଙ୍କୁ ଆଣି ଆମେ ୨/୩ ମାସ ପୂର୍ବରୁ ନୂଆ ମିଠା ତିଆରି ପ୍ରକ୍ରିୟା ଆରମ୍ଭ କରିଦେଉ। ଆଉ ଯେତେ ଭେରାଇଟିର ମିଠା ଆସିଲେ ବି ଗ୍ରାହକ ଖୁସିରେ ଗ୍ରହଣ କରନ୍ତି ବୋଲି ସେ କହିଛନ୍ତି।

ଆକର୍ଷଣରେ ମିଠା ପ୍ୟାକେଜିଂ  
କାହାକୁ ଉପହାର ଦେଲା ବେଳକୁ ହେଉ କିମ୍ବା କାହା ଘରକୁ ମିଠା ନେଇ ଗଲାବେଳକୁ ପଲିଥିନ୍‌ ବା କାଗଜ ଡବାରେ ଆଉ ମିଠା ନେଇ ଯିବାକୁ ଭଲ ଲାଗୁନି। ପୁଣି ଦୀପାବଳି ଭଳି ଦିନରେ କିଛି ନିଆରା ପ୍ୟାକିଂ ଗ୍ରାହକଙ୍କ ପସନ୍ଦ ପାଲଟିଛି। ଏଥିପାଇଁ ବହୁ ନିଆରା ମିଠା ଡବା ଓ ବାସ୍କେଟ୍‌ ଏବେ ମିଠା ଦୋକାନର ଶୋଭା ମଣ୍ଡନ କରୁଛି। କାଠ ଓ ଲେଦର ତିିଆରି ବାକ୍ସ/ଡବାରେ ବିଭିନ୍ନ ରାଜକୀୟ ଶୈଳୀର ଚିତ୍ରକଳା ହେଉ ବା କଳସ, ହାତୀ, ଘୋଡ଼ା ଭଳି ପାରମ୍ପରିକ ଖୋଦେଇ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରୁଛି। ପୁଣି ରହିଛି ମୋଟା ସୂତା ତିଆରି ବାସ୍କେଟ୍‌, ହାତ ତିଆରି ବକ୍ସ ଓ ହ୍ୟାମ୍ପର୍‌ସ୍‌ ଇତ୍ୟାଦି। ମିଠା ସହ ସୁନ୍ଦର ସୁନ୍ଦର ମିଠା ବକ୍ସ ପ୍ରାୟ ୨୮୦ ଟଙ୍କାରୁ ୩୫,୦୦ ଟଙ୍କା ମଧ୍ୟରେ ଆସିଯାଉଛି ବୋଲି ଶ୍ରୀ ନରୁଲା କହିଛନ୍ତି।

ସମ୍ବନ୍ଧିତ ଖବର