ଭୁବନେଶ୍ୱର : ଆଲୁଅରେ ଝଟକିଲାଣି ଘରଠୁ କାର୍ଯ୍ୟାଳୟ। ଘରେ ଘରେ ସାଇତା ହେଲାଣି ଭଳି ଭଳିକା ଦୀପ ଓ ମହମବତି। ଅନେକ କର୍ମକ୍ଷେତ୍ରରୁ ଜନ୍ମମାଟି ଅଭିମୁଖେ ବାହୁଡ଼ି ଯାଇ ପରିବାର ଗହଣରେ ଦୀପାବଳି ପାଳିବାକୁ ସଜବାଜ ହେଲେଣି। ପାଗ ଭଲ ଥିବାରୁ ଦିନରେ ବୁଲାବୁଲି କରିବା ସହ ସନ୍ଧ୍ୟାରେ ଘରେ ଦୀପ ଜାଳି ଦୀପାବଳିକୁ ଉପଭୋଗ କରିବାକୁ ଯୋଜନା ପ୍ରସ୍ତୁତି କଲେଣି। ତେବେ ବାଣ ବିନା ପିଲାଙ୍କ ମୁହଁ ଶୁଖି ଯାଇଛି। ବିନା ବାଣରେ କି ଦୀପାବଳି! କେହି କେହି ଗତବର୍ଷରୁ ସାଇତି ରଖିଥିବା ବାଣ ଆଣି ଖରାରେ ଶୁଖେଇଲେଣି। ତଥାପି ମନ ବୁଝୁନାହିଁ। ବାଣ ଫୁଟାଇବାରେ ରୁଚି ରଖୁଥିବା ପିଲାଏ ଲୁଚି ଛପି ଖୋଜାଖୋଜି କରି ଚୋରାରେ ବାଣ କିଣୁଥିବା ପରିଲକ୍ଷିତ ହେଉଛି। କିଛି କିଛି ସ୍ଥାନରେ ଝୁର୍ଝୁରି, ଘଡ଼ି ବାଣ, ଚକ୍ରିବାଣ, ରସୁଣ ବାଣ ଆଦି ବିକ୍ରି ହେଉଛି। ଏଭଳି ବାଣ ଉପରେ ସେତେଟା କଡ଼ା କଟକଣା ନାହିଁ। ତେଣୁ ଲୋକେ କିଣି ନେଉଥିବା ଦେଖିବାକୁ ମିଳୁଛି।
ବାଣ ପ୍ରଦୂଷଣରେ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚିବାର ଆଶଙ୍କା ଯୋଗୁଁ ବାଣ ଫୁଟାଇବାରେ ରୋକ୍ ଲାଗିଛି। ତେବେ ଢୋ ଢା ଶବ୍ଦ କରୁନଥିବା ବାଣକୁ ରୋକ୍ ଲାଗିଥିବା ବାଣ ହିସାବରେ ଗଣିବାକୁ ପ୍ରସ୍ତୁତ ନୁହନ୍ତି କିଛି ବ୍ୟକ୍ତି। ଏପରିକି ଶବ୍ଦ କରୁନଥିବା ବାଣଗୁଡ଼ିକରେ ହିଁ ବେଶି ପ୍ରଦୂଷଣର ଆଶଙ୍କା ରହିଛି ବୋଲି ବୁଝାଇବା ପରେ ବି ସେମାନେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଯଦିଓ କଟକଣା ଲଗା ଯାଇଛି, ଆସନ୍ତାକାଲି ଯେ ବାଣ ଫୁଟିବ ନାହିଁ, ତା’ ଉପରେ ଗ୍ୟାରେଣ୍ଟି ଦେଇ ହେବ ନାହିଁ। ବାଣ ଚୋରାରେ ଓ କିଛି ଜାଗାରେ ଖୁଲାମ୍ଖୁଲା ବିକ୍ରି ହେଉଥିବାରୁ ଦୀପାବଳିରେ ରାଜଧାନୀର ଅନେକ ସ୍ଥାନରେ ବାଣ ଫୁଟିବାର ସମ୍ଭାବନା ରହିଛି। ଆତସବାଜି ନ ଜମିଲେ ବି ଆଲୁଅମାଳାରେ ରଙ୍ଗିନ ହେବ ପରିବେଶ। ଚଳିତ ବର୍ଷ ଦୀପ ଓ ଲାଇଟ୍ର ବିକ୍ରିବଟା ବେଶ୍ ଭଲ ହୋଇଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି। ଏଥର ବାଣ ଉପରେ କଟକଣା ଥିବାରୁ ସେହି ବଜେଟ୍ରେ ଲୋକେ ଭଳିକି ଭଳି ଲାଇଟ୍ କିଣିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି।
ଲିଚୁ ଓ ଲାଇଟ୍ ମାଳା ବିକ୍ରି କରୁଥିବା ବ୍ୟବସାୟୀ ଶରତ ପ୍ରଧାନ କହିଛନ୍ତି, କୋଲକାତାରୁ ସେ ଏଥର ୧୩ଟି ଡିଜାଇନ୍ର ଲିଚୁ ମାଳ ଓ ଲାଇଟ୍ ଆଣିଥିଲେ। ଦୁଇ ଦିନରେ ଭଲ ବିକ୍ରି ହୋଇଛି। ୬୦ ଟଙ୍କାରୁ ନେଇ ୫୦୦ ଟଙ୍କା ମଧ୍ୟରେ ଲାଇଟ୍ ଓ ଲିଚୁମାଳାର ଦାମ୍ ରହିଥିବା ବେଳେ ନୂଆ ଡିଜାଇନ୍ର ଲିଚୁ ମାଳା ବହୁ ପରିମାଣରେ ବିକ୍ରି ହୋଇଛି। ସେହିଭଳି ଦୀପର ବିକ୍ରିବଟା ମଧ୍ୟ ପୂର୍ବାପେକ୍ଷା ଅଧିକ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।