ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଚପାଇବାକୁ ଷଡ୍‌ଯନ୍ତ୍ର: ମା’

ହ୍ବାଟସ୍‌ଆପ୍‌ ଗ୍ରୁପ୍‌କୁ ନେଇ ହଟଚମଟ

ଭୁବନେଶ୍ବର: ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିବାକୁ ବସିଲାଣି। ୩୦୬ ଦଫାରେ ମାମଲା ରୁଜୁ କରିଥିବା ପୁଲିସ ତଦନ୍ତ ଚାଲିଥିବା ବାହାନାରେ ଦିନ ଗଡ଼ାଇଚାଲିଛି ସିନା କାହାକୁ ଏଥିପାଇଁ ଦାୟୀ କରିପାରିନାହିଁ। ମୋବାଇଲ୍‌ ଫୋନ୍‌, ଲାପଟପ୍‌କୁ ପୁଲିସ ଟେକ୍ନିକାଲ୍‌ ଟିମ୍‌ ଜରିଆରେ ଖୋଳତାଡ଼୍‌ କରୁଥିବା କହିଚାଲିଛି। ଆଜେକ୍ସଙ୍କ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ଥରୁଟିଏ ଜେରା କରି ପୁଲିସ ଚୁପ୍‌ ବସିଛି। ବରଂ ତଦନ୍ତ ନାଁରେ ପରୋକ୍ଷ ଭାବେ ଆଜେକ୍ସର ଚରିତ୍ରକୁ ସନ୍ଦେହ କରାଯାଉଛି। ଏନେଇ ଆଜି ଆଜେକ୍ସଙ୍କ ମା’ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ମାମଲାକୁ ଚପାଇ ଦେବାକୁ ଏକ ଭୟଙ୍କର ଷଡ଼୍‌ଯନ୍ତ୍ର ଚାଲିଛି ବୋଲି ଆଜେକ୍ସଙ୍କ ମା’ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କୁ ନ୍ୟାୟ ନମିଳିଲେ, ଯଦି କିଛି ଅଘଟଣ ଘଟେ ସେଥିପାଇଁ ପୁଲିସ ଦାୟୀ ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତିନି ଯୁବତୀଙ୍କ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ନେଇ ହଟଚମଟ ସୃଷ୍ଟି ହୋଇଛି। କେବଳ ରିୟା ନୁହନ୍ତି, ଆଜେକ୍ସ ଏକାଧିକ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ। ଏହାକୁ ନେଇ ଉକ୍ତ ଯୁବତୀମାନେ କ୍ଷୁବ୍ଧ ହୋଇଥିଲେ। ସେମାନେ ଆଜେକ୍ସଙ୍କ ଏଭଳି ଚରିତ୍ରକୁ ଲୋକଲୋଚନକୁ ଆଣିବା ପାଇଁ ଯୋଜନା କରିଥିଲେ। ପାଖାପାଖି ମାସକ ତଳେ ଉକ୍ତ ତିନି ଯୁବତୀ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ କରିଥିଲେ। ସେମାନେ ଆଜେକ୍ସଙ୍କ ସହ ଯାହା ଯାହା କଥା ହେଉଥିଲେ, ସେସବୁକୁ ଉକ୍ତ ଗ୍ରୁପ୍‌ରେ ସେୟାର କରୁଥିଲେ। କିଛିଦିନ ପରେ ସେହି ଗ୍ରୁପ୍‌ରେ ସେମାନେ ଆଜେକ୍ସଙ୍କୁ ମଧ୍ୟ ଯୋଡ଼ିଥିଲେ। ତେଣୁ ଆଜେକ୍ସ ବିଚଳିତ ହୋଇପଡ଼ିଥିଲେ। ତେବେ ଏହି ତିନି ଯୁବତୀ କିଏ, ସେବିଷୟରେ ପୁଲିସ ମୁହଁ ଖୋଲିନାହିଁ। ଅଧିକ ତଦନ୍ତ ବାହାନା କରି ପୁଲିସ ଉକ୍ତ ଗ୍ରୁପ୍‌ ବାବଦରେ କିଛି ସ୍ପଷ୍ଟ କରୁନାହିଁ। ଉକ୍ତ ଗ୍ରୁପ୍‌ରେ ରିୟା ଓ ପ୍ରେମିକା ଡାକ୍ତରୀ ଛାତ୍ରୀ ଥିଲେ ‌ବୋଲି ସନ୍ଦେହ କରାଯାଉଛି। ଏଣେ ପୁଲିସ ଉକ୍ତ ୩ ଯୁବତୀଙ୍କୁ ଜେରା କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଆଜେକ୍ସଙ୍କ ମେଲ୍‌, ଅଡିଓ କ୍ଲିପ୍‌ରୁ ଜଣାପଡ଼ିଥିଲା ଯେ ମୃତ୍ୟୁ ପୂର୍ବରୁ ସେ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ। ଡାକ୍ତରୀ ଛାତ୍ରୀଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାରୁ ସେ ବେଶ୍ ଚିନ୍ତିତ ଓ ବ୍ୟଥିତ ଥିଲେ। ଡାକ୍ତରୀ ଛାତ୍ରୀ ପ୍ରେମିକାଙ୍କୁ ଫେରିପାଇବାକୁ ସେ ବ୍ୟାକୁଳ ଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ।

ସମ୍ବନ୍ଧିତ ଖବର