ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ୯୭ ସେକେଣ୍ଡର ବାର୍ତ୍ତାଳାପକୁ ନେଇ ଖୋଳତାଡ଼
ଭଉଣୀଙ୍କୁ ପଠାଇଥିଲେ ସବୁ ଆକାଉଣ୍ଟର ପାସ୍ୱାର୍ଡ
ଭୁବନେଶ୍ବର : ଡିଜିଟାଲ ଜକି(ଡିଜେ) ଆଜେକ୍ସ ଓରଫ୍ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟାକୁ ନେଇ ପୁଲିସର ଟେକ୍ନିକାଲ୍ ଟିମ୍ ଛାନ୍ଭିନ୍ ଜାରି ରଖିଛି। ଉଭୟ ଆଜେକ୍ସ ଓ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କ ମୋବାଇଲ୍ ଓ ଲାପଟପ୍କୁ ଯାଞ୍ଚ କରାଯାଉଛି। ଆଜେକ୍ସଙ୍କ ଶେଷ ମେଲ୍, ଅଡିଓ କ୍ଲିପ୍ ଓ ବିଭିନ୍ନ ଫଟୋ ମିଳିସାରିଛି। ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ଜେରା ସରିଛି ଏବଂ ସେ ମଧ୍ୟ ପ୍ରେମ ସମ୍ପର୍କ କଥାକୁ ସ୍ବୀକାର କରିଥିଲେ। ତେବେ ଆଜେକ୍ସଙ୍କ ସହ ଅନ୍ୟ ଯୁବତୀଙ୍କ ସମ୍ପର୍କ ଥିବାରୁ ସେ କିଛି ଦିନ ହେଲା ଦୂରେଇ ଯାଇଥିଲେ ବୋଲି ପୁଲିସକୁ କହିଛନ୍ତି। ମାତ୍ର ଆଜେକ୍ସ ତାଙ୍କୁ ପିଛା କରି ହଇରାଣ କରୁଥିଲେ ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ତେଣୁ ଏସବୁରୁ ଆପାତତଃ ସ୍ପଷ୍ଟ ହୋଇଛି ଯେ ପ୍ରେମ ଓ ପ୍ରତାରଣାର ଶିକାର ହୋଇ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି। ଆଜି ପୁଲିସକୁ ଆଉ ଏକ ତଥ୍ୟ ମିଳିଛି।
ଆଜେକ୍ସ ଆତ୍ମହତ୍ୟା କରିବାର ଠିକ୍ ପୂର୍ବରୁ ଡାକ୍ତରୀ ଛାତ୍ରୀ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ ପାଇଁ କଥା ହୋଇଥିଲେ। ସେଦିନ ସନ୍ଧ୍ୟା ପାଖାପାଖି ୬ଟା ୫୭ ମିନିଟ୍ରେ ଆଜେକ୍ସ ନିଜ ଆଡ଼ୁ କଲ୍ କରି କଥା ହୋଇଥିଲେ। ତେବେ ସେ ଫୋନ୍ କାଟିବା ପରେ ପ୍ରେମିକା ତାଙ୍କୁ କଲ୍ କରିଥିଲେ। କିନ୍ତୁ ବାରମ୍ବାର କଲ୍ କରିବାରୁ ଆଜେକ୍ସ ଫୋନ୍ ନ ଉଠାଇବାରୁ ପ୍ରେମିକା ଭିଡିଓ କଲ୍ କରିଥିଲେ। ଏହାପରେ ହ୍ବାଟସ୍ଆପ୍ରେ ଭିଡିଓ କଲ୍ କଲେ। କିନ୍ତୁ ଆଜେକ୍ସ କୌଣସି ଉତ୍ତର ଦେଇନଥିଲେ। ତେଣୁ ସେହି ୯୭ ସେକେଣ୍ଡର କଥାବାର୍ତ୍ତାରେ କ’ଣ ଥିଲା? ଏହାକୁ ନେଇ ପୁଲିସର ଟେକ୍ନିକାଲ୍ ଟିମ୍ ଖୋଳତାଡ୍ ଚଳାଇଛି। ଆଜେକ୍ସ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ କି ନାହିଁ, ଯଦି ଏଭଳି ଧମକ ଦେଲେ, ତେବେ ପ୍ରେମିକା ତାଙ୍କୁ କି ଉତ୍ତର ଦେଇଥିଲେ। ଏସବୁ ଏବେ ପୁଲିସ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି। କାରଣ ଏହା ଜଣଙ୍କ ମୃତ୍ୟୁ ସହିତ ଜଡ଼ିତ। ହୁଏତ ଠିକଣା ସମୟରେ କିଛି ପଦକ୍ଷେପ ନିଆଯାଇଥିଲେ, ଆଜି ଆଜେକ୍ସ ବଞ୍ଚିଥାଆନ୍ତେ!
ଅନ୍ୟପକ୍ଷରେ ମାର୍ଚ୍ଚ ୧୫ରେ ଆଜେକ୍ସ ତାଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଏଟିଏମ୍ର ପାସ୍ୱାର୍ଡ ନିଜ ଭଉଣୀଙ୍କୁ ପଠାଇଥିବା ଜଣାପଡ଼ିଛି। ଏମିତିକି ତାଙ୍କ ଫୋନ୍ ପେ’, ଗୁଗୁଲ୍ ପେ’ ଭଳି ଅନ୍ଲାଇନ୍ ଆକାଉଣ୍ଟର ପାସ୍ୱାର୍ଡ ବି ଭଉଣୀଙ୍କ ପାଖକୁ ପଠାଇଥିଲେ। ଇଲେକ୍ଟ୍ରିକ୍ ବିଲ୍ ଓ ଋଣ ବାବଦକୁ ଭଉଣୀ କିଛି ଟଙ୍କା ମାଗିଥିବା ବେଳେ ୫ ଦିନ ପରେ ଆଜେକ୍ସ ଟଙ୍କା ନ ପଠାଇ ଏସବୁ ପାସ୍ୱାର୍ଡ ପଠାଇଥିଲେ। ଶନିବାର ରାତି ୧୨ଟା ୩ରେ ଆଜେକ୍ସ ତାଙ୍କ ଭଉଣୀଙ୍କୁ ଏସବୁ ମେସେଜ୍ କରିଥିଲେ। କର୍ଣ୍ଣାଟକ ବ୍ୟାଙ୍କ, ଅକ୍ସିସ୍ ବ୍ୟାଙ୍କ, ଫୋନ୍ ପେ’ ଓ ଏଟିଏମ୍ ପାସ୍ୱାର୍ଡ ପଠାଇଥିଲେ, କିନ୍ତୁ ଭଉଣୀ ଏସବୁ ପଛରେ ଆଜେକ୍ସଙ୍କ ଲକ୍ଷ୍ୟ ବୁଝିପାରିନଥିଲେ। ତେଣୁ ସେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇସାରିଥିଲେ ବୋଲି ଚର୍ଚ୍ଚା ହେଉଛି।
ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଅକ୍ଷୟ ମା’ଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନିଆଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟେକ୍ନିକାଲ୍ ଟିମ୍ କାମ କରୁଛି। ସବୁ ଅଭିଯୋଗ ପଛରେ କେତେ ସତ୍ୟତା ଅଛି, ତାହାକୁ ବିଚାର କରାଯାଉଛି। ଇ-ମେଲ୍, ଭଏସ୍ ରେକର୍ଡିଂ ଏବଂ ଅନ୍ୟାନ୍ୟ ଡିଜିଟାଲ ତଥ୍ୟକୁ ନେଇ ଟେକ୍ନିକାଲ୍ ଟିମ୍ ତଦନ୍ତ କରୁଛନ୍ତି ବୋଲି ସେ କହିଛନ୍ତି।