ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ପ୍ରତାରଣା ନେଲା ପରପାରିକୁ

ମିଳିଲା ଶେଷ ମେଲ୍‌, ଅଡିଓ କଲ୍‌

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ପ୍ରଥମରୁ ଏହା ଏକ ପ୍ରେମ, ପ୍ରତାରଣାଜନିତ ଆତ୍ମହତ୍ୟା ବୋଲି ଆପାତତଃ ସ୍ପଷ୍ଟ ହୋଇଥିଲେ ବି ଏବେ ପୁଲିସ ହାତରେ ଲାଗୁଥିବା ତଥ୍ୟ ଏହାକୁ ଆହୁରି ଅଧିକ ସ୍ପଷ୍ଟ କରୁଛି। ଗତକାଲି ପୁଲିସ ଆଜେକ୍ସଙ୍କ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ଜେରା କଲା ବେଳେ ସେ ସେମାନଙ୍କ ସମ୍ପର୍କ କଥା ସ୍ବୀକାର କରିଥିଲେ ଏବଂ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ପାଇଁ ଆଜେକ୍ସଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କହିଥିଲେ। ଆଜି ପୁଲିସକୁ ମିଳିଛି ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ଆଜେକ୍ସ ପଠାଇଥିବା ଶେଷ ମେଲ୍‌, ଅଡିଓ କ୍ଲିପ୍‌ ଓ କିଛି ଫଟୋ। ଆତ୍ମହତ୍ୟାର ଠିକ୍‌ କିଛି ସମୟ ପୂର୍ବରୁ ଆଜେକ୍ସ ଅନେକ କିଛି ମେଲ୍‌ କରିଥିବା ବେଳେ କିଛି ବ୍ୟଥାକୁ ଅଡିଓ କରିଛନ୍ତି।

ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ସେ କିଭଳି ପ୍ରାଣଠାରୁ ବେଶି ଭଲ ପାଉଥିଲେ, ତାହା ମେଲ୍ ଓ ଅଡିଓରେ ପୂରା ବର୍ଣ୍ଣନା କରିଛନ୍ତି ଆଜେକ୍ସ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯୁବତୀ ରିୟା ଓ ଡାକ୍ତରୀ ଛାତ୍ର ରଶ୍ମି, ଆଜେକ୍ସ ଓ ତାଙ୍କ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କ ପ୍ରେମରେ ଭଟ୍ଟା ପକାଇଛନ୍ତି ବୋଲି ଆଜି ମିଳିଥିବା ମେଲ୍‌ ଓ ଅଡିଓ କ୍ଲିପ୍‌ରୁ ଜଣାପଡ଼ିଛି। ଆଜେକ୍ସ ଓ ରିୟାଙ୍କ ସମ୍ପର୍କକୁ ନେଇ ପ୍ରେମିକା ଡାକ୍ତରୀ ଛାତ୍ରୀ ସନ୍ଦେହ କରୁଥିବା ବେଳେ ସହପାଠୀ ରଶ୍ମି ଓ ଡାକ୍ତରୀ ଛାତ୍ରୀଙ୍କ ମଧ୍ୟରେ ଗଢ଼ିଉଠିଥିବା ସମ୍ପର୍କକୁ ନେଇ ଜଳିଛନ୍ତି ଆଜେକ୍ସ। ତେବେ ଆଜେକ୍ସ ଶେଷ ପର୍ଯ୍ୟନ୍ତ ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ଫେରିପାଇବାରେ ବିଫଳ ହେବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପ୍ରକୃତ ଭଲ ପାଇବାର ପ୍ରମାଣ ଦେବାକୁ ଯାଇ ଆଜେକ୍ସ ମୃତ୍ୟୁ ଭଳି ଚରମ ପନ୍ଥାକୁ ବାଛିନେଇଥିବା ଜଣାପଡ଼ିଛି।

ଭଟ୍ଟା ପକାଇଥିଲେ ରିୟା, ରଶ୍ମି ଗଠନ ହେଲା ସ୍ବତନ୍ତ୍ର ଟେକ୍ନିକାଲ୍‌ ଟିମ୍‌

ଖାରବେଳନଗର ଥାନା ପୁଲିସ ଏହି ମାମଲାର ଛାନ୍‌ଭିନ୍‌ କରୁଥିବା ବେଳେ ଡାକ୍ତରୀ ଛାତ୍ରୀ ଓ ଆଜେକ୍ସଙ୍କ ମୋବାଇଲ୍‌ ଫୋନ୍‌, ଲାପଟପ୍‌କୁ ସାଇବର ଥାନା ପୁଲିସ ଯାଞ୍ଚ କରୁଛି। ଦୁହିଁଙ୍କ ମୋବାଇଲ୍‌ ଓ ଲାପଟପ୍‌ରୁ ସବିଶେଷ ସୂଚନା ପାଇବାକୁ ପୁଣି ଏକ ସ୍ବତନ୍ତ୍ର ଟେକ୍ନିକାଲ୍‌ ଟିମ୍‌ ଗଠିତ ହୋଇଛି। ପୁଲିସ ପ୍ରଥମରୁ ୩୦୬ ଦଫାରେ ମାମଲା ରୁଜୁ କରିଛି। ତେବେ ଏହା ଏକ ବେଶ୍ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ସବୁ ଦିଗକୁ ନେଇ ସତର୍କର ସହ ଖୋଳତାଡ୍‌ କରୁଛି। ଆଜି ମିଳିଥିବା ଆଜେକ୍ସଙ୍କ ମେଲ୍‌, ଅଡିଓ କ୍ଲିପ୍‌ ଓ ବିଭିନ୍ନ ଫଟୋକୁ ପୁଲିସ ଟିକିନିଖି କରି ଯାଞ୍ଚ କରୁଥିବା ବେଳେ ଡାକ୍ତରୀ ଛାତ୍ରୀଙ୍କ ମୋବାଇଲ୍‌ରୁ କି ତଥ୍ୟ ସବୁ ମିଳିଲାଣି, ସେନେଇ ପୁଲିସ ମୁହଁ ଖୋଲିନାହିଁ।

ତେବେ ଗତକାଲି ଜେରା ବେଳେ ଡାକ୍ତରୀ ଛାତ୍ରୀ ଦେଇଥିବା କିଛି ବୟାନ ସହ ଆଜେକ୍ସଙ୍କ ମେଲ୍‌ ବାର୍ତ୍ତା ମେଳଖାଉଥିବା ଜଣାପଡ଼ିଛି। ଡାକ୍ତରୀ ଛାତ୍ରୀ ଆଜେକ୍ସଙ୍କଠାରୁ ଦୂରେଇ ରହିବାକୁ ଉଦ୍ୟମ କରୁଥିବା ବେଳେ ସେ ପିଛା କରି ତାଙ୍କୁ ହଇରାଣ କରୁଥିଲେ ବୋଲି ଗତକାଲି ପୁଲିସକୁ ଡାକ୍ତରୀ ଛାତ୍ରୀ କହିଥିଲେ। ଆଜି ମିଳିଥିବା ଆଜେକ୍ସଙ୍କ ମେଲ୍‌ ଓ ଅଡିଓ କ୍ଲିପ୍‌ରୁ ମଧ୍ୟ ଅନୁରୂପ ସୂଚନା ମିଳିଛି। ପ୍ରେମିକା ଡାକ୍ତରୀ ଛାତ୍ରୀଙ୍କୁ ପୁଣି ଫେରିପାଇବାକୁ ଆଜେକ୍ସ ବେଶ୍ ବ୍ୟାକୁଳ ଥିବା ଓ ପିଛା କରୁଥିବା ନେଇ ସେ ତାଙ୍କ ମେଲ୍‌ ବାର୍ତ୍ତାରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏମିତିକି ଶେଷ ସନ୍ଧ୍ୟାରେ ସେ କିଭଳି ଡାକ୍ତରୀ ଛାତ୍ରୀଙ୍କୁ ପିଛା କରି ହତାଶ ହୋଇପଡ଼ିଥିଲେ, ସେନେଇ ବି ରେକର୍ଡିଂ କରି ଅଡିଓ କ୍ଲିପ୍ କରିଛନ୍ତି।

ମେଲ୍‌ରେ ଆଜେକ୍ସଙ୍କ ଅନ୍ତିମ ବାର୍ତ୍ତା

‘ସୂର୍ଯ୍ୟ ଉଦୟ ହେଉଥିବ ଓ ଅସ୍ତ ବି ହେଉଥିବ। କିନ୍ତୁ ତମକୁ ଆଉ ମିଳିବନି ଡିଜେ ଆଜେକ୍ସ, ଅକ୍ଷୟ ମହାରଣା, ତୁମ ପାଣ୍ଡା, ପାଣ୍ଡୁ, ବେବି, ଖଡ଼ୁସ୍‌ ଓ କଞ୍ଜୁସ। ଏ ଦୁନିଆରେ ମୁଁ ଏକା ଥିଲି। ଏକା ଚାଲିଯାଉଛି। କେବେ ବି ଫେରିବିନି। କହିଥିଲି ନା, ମୁଁ ତୁମ ବିନା କେବେ ବି ରହିପାରିବିନି ବୋଲି। ଦେଖ, ତୁମ ବିନା ରହିପାରିଲି ନାହିଁ। କହିଥିଲି ନା, ମୁଁ କେବଳ ତମକୁ ଭଲପାଏ। ରିୟା ସହ କେବଳ କଥା ହେଉଥିଲି। ତମକୁ ଯେତେ ବୁଝେଇଲେ ବି ବୁଝିଲନି। କହିଥିଲି ପ୍ରେମ ପାଇଁ ମୁଁ ଜୀବନ ଦେଇପାରେ। ଦେଖ, ଜୀବନ ବି ଦେଲି। ଏବେ ତ ବୁଝିପାରିବ ନା…, ଆଉ କେମିତି ପ୍ରମାଣ କରିଥାଆନ୍ତି କି ମୁଁ ତୁମକୁ କେତେ ଭଲପାଏ।’

ଆତ୍ମହତ୍ୟା ପୂର୍ବର ଅଡିଓ କ୍ଲିପ୍‌

‘ତୁମେ ତ ଏବେ ରଶ୍ମି ସହ ବୁଲୁଛ। ଲସି ପିଉଛ। ଷ୍ଟାଟସ୍‌ ଦେଉଛ। କିନ୍ତୁ ପୂର୍ବରୁ କେବେ ବି ଆମ ପ୍ରେମକୁ ନେଇ ଷ୍ଟାଟସ୍‌ ଦେଇନ କି ଆମର ଏଭଳି ଫଟୋ ପୋଷ୍ଟ କରିନ। ରଶ୍ମି ସହ ତୁମର ସବୁ ସମ୍ପର୍କ ଦେଖି ସହିବି କେମିତି? ତୁମ ପାଇଁ ଜିଉଁଥିଲି, ଏବେ ତୁମ ପାଇଁ ମରିଯାଉଛି। ଏବେ ମୁଁ ପୂରା ଏକୁଟିଆ ହୋଇଯାଇଛି। ତେଣୁ ଦୁନିଆକୁ ଛାଡ଼ିଯିବା ଛଡ଼ା ମୋ ପାଖରେ ଅନ୍ୟ କିଛି ବାଟ ନାହିଁ। ମୁଁ ତୁମକୁ ପାଗଳ ଭଳି ଭଲପାଏ। କିନ୍ତୁ ତୁମେ ଏବେ ରଶ୍ମିର ହୋଇଯାଇଛ। ମନେଅଛି ନା, ତୁମେ ମୋତେ ଭୂତ ହୋଇଯାଅ ବୋଲି କହୁଥିଲ। ଦେଖ, ମୁଁ ସତକୁ ସତ ଭୂତ ହୋଇଯାଉଛି। ସପ୍ତାହେ ହେଲା ମୁଁ ଶୋଇପାରୁ ନାହିଁ। କାନ୍ଦିକାନ୍ଦି ଦିନ କାଟୁଛି। ନିଦ ପାଇଁ ସ୍ଲିପିଂ ଟେବ୍‌ଲେଟ୍‌ ଖାଉଛି। ତଥାପି ମାନସିକ ଚାପରେ ନିଦ ହେଉନି। ମୋ ବାପା ମା’ଙ୍କୁ ଭୁଲ ବୁଝିଥିଲ। ଆଉ ତାଙ୍କୁ ଚାପ ଦେଇପାରିବିନି। ମୁଁ ଏବେ ସବୁଦିନ ପାଇଁ ଚାଲିଯାଉଛି। ତୁମେ ଖୁସିରେ ରୁହ। ମୁଁ ହାରିଗଲି, ମରିଯାଉଛି। ଆଉ ତମକୁ କେବେ ହଇରାଣ କରିବିନି। ବାରମ୍ବାର କଲ୍‌ କରିବିନି କି ପିଛା କରିକରି ବିରକ୍ତ କରିବିନି। ତଥାପି ମନ ବୁଝୁନି। ମୋତେ ତ ଆଉ କେବେ ଦେଖିପାରିବନି କି ମୋ ସ୍ବର ଶୁଣିପାରିବନି। ତେଣୁ ଶେଷଥର ପାଇଁ ମେଲ୍‌ରେ ଫଟୋ, ଭିଡିଓ ଓ ଅଡିଓ ପଠାଉଛି।’

‌‌ଶେଷ ସନ୍ଧ୍ୟାରେ ପିଛା କରିବାର କାହାଣୀ

‘ମୁଁ ଭାବିଥି‌ଲି ସନ୍ଧ୍ୟାରେ ତୁମେ ମୋତେ କଲ୍‌ କରିବ। କଲ୍‌ କଲନି। ତେବେ ରାତି ୯ଟା ପରେ କଲ୍‌ କଲ। ରଶ୍ମି ସହ ବୁଲିବାକୁ ଯିବାର ଥିଲା ବୋଲି ଚେକ୍‌ କରିବାକୁ ଯାଇ କଲ୍‌ କଲ। ମୁଁ କେଉଁଠି ଅଛି, ଘରେ ଅଛି କି ନାହିଁ ବୋଲି ପଚାରିଲ। ମୁଁ ତୁମ ରୁମ୍‌ ସାଇଡ୍‌ରେ ଛକି ରହି ସବୁ ଦେଖୁଥାଏ। ତୁମେ ୯.୪୦ ରେ ରଶ୍ମି ସହ ବୁଲିବାକୁ ଗଲ। ମୁଁ ପିଛା କଲି। ତୁମେ ଦୁଇ ଜଣ ସ୍ନାକ୍‌ସ ଖାଇଲ। ୨୦ମିନିଟ୍‌ ପରେ ଫେରିଲ। ସେ ତୁମ ପାଇଁ ଡିନର ଆଣିଲା। ରାତି ୧୧ଟା ୧୫ରେ ତୁମେ ବାଲ୍‌କୋନି କବାଟ ବନ୍ଦ କରି ଡିମ୍‌ ଲାଇଟ୍‌ ଜଳାଇ ଶୋଇବାକୁ ଗଲ। ମୁଁ ଭାବିଥିଲି ଅତିକମ୍‌ରେ ଥରେ ମତେ ମିସ୍‌ କରିବ। ମୋତେ କଲ୍‌ କରିବ। ହେଲେ କଲନି। ଠିକ୍‌ ଅଛି, ମୋତେ ଘୃଣାକରୁଛ ତ କର। ଯେତେ ଟଙ୍କା, ପଇସା ଖର୍ଚ୍ଚ କଲେ ବି ଜୀବନରେ ଆଜେକ୍ସକୁ ଆଉ କେବେ ପାଇବନି।’ ପ୍ରକାଶ ଥାଉ କି ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଖାରବେଳନଗରସ୍ଥିତ ତାଙ୍କ ଘରୁ ଜବତ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କମିସନରେଟ୍‌ ପୁଲିସ ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କ ପୁରୁଷବନ୍ଧୁଙ୍କ ବିରୋଧରେ ଦଫା ୩୦୬ ଲଗାଇ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର