ରହସ୍ୟରେ ଡିଜେ ଅକ୍ଷୟଙ୍କ ମୃତ୍ୟୁ: ସନ୍ଦେହରେ ବାନ୍ଧବୀ ଓ ତାଙ୍କ ପ୍ରେମିକ

ମୋବାଇଲ୍‌ ଜବତ, ଘରେ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ଭୁବନେଶ୍ବର: ଡିଜେ ‘ଆଜେକ୍ସ’ ଓରଫ୍‌ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାରଲୋକ ଭିନ୍ନ ଅଭିଯୋଗ ଆଣିଛନ୍ତି। ମୃତ୍ୟୁ ପଛରେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଇଛି। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍‌ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ଖାରବେଳନଗର ପୁଲିସ୍‌ ଦଫା ୩୦୬ ଓ ୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଅପରପକ୍ଷେ ବ୍ୟବଚ୍ଛେଦ ପରେ ଆଜି ପୁଲିସ ତାଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଆଜେକ୍ସଙ୍କ ମୋବାଇଲ୍‌ ଜବତ କରିବା ସହ ବିଭିନ୍ନ ଦିଗ ଉପରେ ତନାଘନା ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ ସେ ମୋବାଇଲ୍‌ରେ କାହା କାହା ସହ କଥା ହୋଇଥିଲେ, ଚାଟ୍‌ କରିଥିଲେ; ସେନେଇ ପୁଲିସ୍‌ ତଦନ୍ତ ଚଳାଇଛି। ସେହିପରି ଆଜି ସାଇଣ୍ଟିଫିକ୍‌ ଟିମ୍‌ ତାଙ୍କ ଘରେ ପହଞ୍ଚି ତଦନ୍ତ କରିଛି।

ତ୍ରିକୋଣୀୟ ପ୍ରେମକୁ ନେଇ ଚର୍ଚ୍ଚା

ଅକ୍ଷୟଙ୍କ ମୃତ୍ୟୁ ପଛରେ ତ୍ରିକୋଣୀୟ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜବତ ହୋଇଥିବା କିଛି ଭିଡିଓ ଓ ଫଟୋରୁ ଜଣାପଡ଼ିଛି ଯେ ଅକ୍ଷୟ ଜଣେ ଯୁବତୀଙ୍କ ସହ ମିଳାମିଶା କରୁଥିଲେ। ତାଙ୍କ ସହ ପାର୍କ, ହୋଟେଲ୍‌, ମଲ୍‌ ଆଦି ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିଲେ। ସଂପୃକ୍ତ ଯୁବତୀଙ୍କ ଜନ୍ମଦିନ ବି ସେ ପାଳନ କରୁଥିବାରୁ ଚିତ୍ର ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ, ଉଭୟ ଘଣ୍ଟାଘଣ୍ଟା ଧରି ଫୋନ୍‌ରେ କଥା‌ ହେବା ସହ ମେସେଜ୍‌ ମଧ୍ୟ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ଥିଲା ବୋଲି ଅକ୍ଷୟଙ୍କ ପରିବାରଲୋକ ସ୍ବୀକାର କରିଛନ୍ତି।

ତେବେ କିଛି ଦିନ ହେବ ଯୁବତୀଜଣଙ୍କ ଧୀରେଧୀରେ ଅକ୍ଷୟଙ୍କଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ଆଉ ଜଣେ ଯୁବକଙ୍କ ସହ ତାଙ୍କର ସଂପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି, ଯୁକ୍ତିତର୍କ ହେଉଥିଲା। ଅକ୍ଷୟ ବାରଣ କରିବାରୁ ଯୁବତୀ ଓ ସମ୍ପୃକ୍ତି ଯୁବକ ମିଶି ତାଙ୍କୁ ବ୍ଲାକମେଲ୍‌ କରୁଥିଲେ। କୌଣସି ଏକ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଉଥିଲେ। ଏହି କାରଣରୁ ଅକ୍ଷୟ ଭୀଷଣ ମାନସିକ ଚାପରେ ରହୁଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର