ଫିଟୁନି ଡିଜେ ଆଜେକ୍ସ ଆତ୍ମହତ୍ୟା ରହସ୍ୟ: ଡାକ୍ତରୀ ଛାତ୍ରୀ, ପୁରୁଷବନ୍ଧୁଙ୍କୁ ପାଉନି ପୁଲିସ

ମା’ଙ୍କ ସହ ପ୍ରେମିକାକୁ ବୁଲାଇଥିଲେ ବାଲିଯାତ୍ରା

ଭୁବନେଶ୍ବର: ରାଜଧାନୀର ଜଣାଶୁଣା ଡିଜିଟାଲ୍‌ ଜକି ଅକ୍ଷୟ କୁମାର ଓରଫ୍ ଆଜେକ୍ସଙ୍କ ଆତ୍ମହତ୍ୟା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍ ହୋଇପାରିନାହିଁ। ଗତ ଶନିବାର ସନ୍ଧ୍ୟାରେ ସେ ତାଙ୍କ ଖାରବେଳନଗରସ୍ଥିତ ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିବା ପରଠାରୁ ଏହା ପଛରେ ଥିବା କାରଣକୁ ନେଇ ପରିବାର ଲୋକେ ଓ ତାଙ୍କ ଦୁଇ ସାଙ୍ଗ ପୁଲିସକୁ ବହୁ ତଥ୍ୟ ଦେଇସାରିଛନ୍ତି। ଆଜେକ୍ସଙ୍କ ଡାକ୍ତରୀ ଛାତ୍ରୀ ପ୍ରେମିକା ତାଙ୍କୁ ଧୋକ୍କା ଦେବା ସହ ବିଭିନ୍ନ ବାଟରେ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଆସୁଛି। ଏମିତିକି ଶୁକ୍ରବାର ରାତିରେ ଆଜେକ୍ସ ସାକ୍ଷାତ କରିବା ସମୟରେ ପ୍ରେମିକା ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିବା ଏବଂ ତାଙ୍କ ଗୁଣ୍ଡା ବାପା ଜରିଆରେ ଗୋଡ଼ ଭାଙ୍ଗିଦେବା ଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ପ୍ରତାରଣାର ଶିକାର ହେବା ସହ ଜୀବନ ପ୍ରତି ବିପଦ ଥିବାର ଧମକ ପାଇବା ପରେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଏଣେ ପୁଲିସ ୩୦୬ ଦଫାରେ ମାମଲା ରୁଜୁକରିଥିଲେ ମଧ୍ୟ ଆଜେକ୍ସଙ୍କ ପ୍ରେମିକା କୁହାଯାଉଥିବା ଡାକ୍ତରୀ ଛାତ୍ରୀ ଓ ତାଙ୍କ ନୂଆ ପୁରୁଷବନ୍ଧୁଙ୍କୁ ଜେରା କରିପାରିନାହିଁ। ସେମାନଙ୍କୁ ପୁଲିସ ପାଉନଥିବା ସୂଚନା ମିଳିଛି। ତେଣୁ ପ୍ରକୃତରେ ଏସବୁ ଅଭିଯୋଗର ସତ୍ୟତା ଅଛି କି ନା, ତାହା ସ୍ପଷ୍ଟ ହୋଇପାରିନାହିଁ।

ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣାଙ୍କ କହିବା କଥା ଡାକ୍ତରୀ ଛାତ୍ରୀ ଓ ତାଙ୍କ ପୁଅ ପରସ୍ପରକୁ ଭଲ ପାଉଥିଲେ। ସେମାନେ ବିବାହ କରି‌ବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। ଗତବର୍ଷ ସେମାନେ ଏକାଠି କଟକ ବାଲିଯାତ୍ରା ବୁଲିବା ଅବସରରେ ସେ ଉକ୍ତ ଡାକ୍ତରୀ ଛାତ୍ରୀଙ୍କ ସହ ବହୁ ଆଲୋଚନା କରିଥିଲେ ବୋଲି ଶ୍ରୀମତୀ ମହାରଣା କହିଛନ୍ତି। ଏମିତିକି ଏକା ଜାତିର ହୋଇଥିବାରୁ ବିବାହରେ କୌଣସି ପ୍ରତିବନ୍ଧକ ନଥିବାରୁ ସେ ରାଜି ଥିଲେ ବୋଲି କହିଛନ୍ତି। ଡାକ୍ତରୀ ଛାତ୍ରୀ ମଧ୍ୟ ତାଙ୍କ ବାପାମା’ଙ୍କୁ ବୁଝାଇ ରାଜି କରାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତେବେ କିଛି ମାସ ପରେ ତାଙ୍କ ଝିଅର ବାହାଘର ଥିଲା ଏବଂ ତାହା ସରିବା ପରେ ସେମାନଙ୍କ ବାହାଘର କଥା ପଡ଼ିବ ବୋଲି ସ୍ଥିର ହୋଇଥିଲା। ଶ୍ରୀମତୀ ମହାରଣା ଆହୁରି କହିଛନ୍ତି ଯେ ଆଜେକ୍ସ ସେହି ଯୁବତୀ ପାଇଁ ବହୁତ ପଇସା ଖର୍ଚ୍ଚ କରୁଥିଲା। ଅନେକ ସମୟରେ ପଢ଼ା ଖର୍ଚ୍ଚ ବହନ କରୁଥିଲା। ଏକଦା ପରୀକ୍ଷା ପାଇଁ ୧୫ ହଜାର ଟଙ୍କା ଦେଇଥିଲା ବୋଲି ତାଙ୍କୁ କହିଥିଲା। ଫୋନ୍‌ ପେ’ ଜରିଆରେ ଯୁବତୀଙ୍କୁ ଟଙ୍କା ପଠାଇବାର ପ୍ରମାଣ ରହିଛି। ଏଥିସହିତ ସେମାନେ ଅନେକ ସମୟରେ ବଡ଼ ବଡ଼ ହୋଟେଲ୍‌ରେ ପାର୍ଟି କରୁଥିଲେ। ଏତେ ସତ୍ତ୍ବେ ଯୁବତୀ ଆଜେକ୍ସକୁ ଧୋକ୍କା ଦେଲା। ଏଭଳି ଝିଅ ପାଇଁ ମୋ ପୁଅ ତ ଗଲା, ଆଉ କୌଣସି ମା’ର ପୁଅ ତା’ ଫାସରେ ପଡ଼ି ନ ମରୁ ବୋଲି ଶ୍ରୀମତୀ ମହାରଣା କାନ୍ଦି କାନ୍ଦି କହିଛନ୍ତି। ତେଣୁ ପୁଲିସ ଉପଯୁକ୍ତ ତଦନ୍ତ କରି ଯୁବତୀ ଓ ତା’ ନୂଆ ପ୍ରେମିକକୁ ଜେଲ୍‌ ପଠାଉ ବୋଲି ସେ ଦାବି କରିଛନ୍ତି।

ୱାସିମ୍‌ଙ୍କ ଚାଞ୍ଚଲ୍ୟକର ବୟାନ
ଆଜି ମୁହଁ ଖୋଲିଛନ୍ତି ଆଜେକ୍ସଙ୍କ ସହକର୍ମୀ ୱାସିମ ହୁସେନ୍‌। ୱାସିମ୍‌ଙ୍କ କହିବା କଥା ଏକ କଲେଜ୍‌ ଇଭେଣ୍ଟ ବେଳେ ଆଜେକ୍ସଙ୍କ ସହ ଯୁବତୀଙ୍କ ଭେଟ ହୋଇଥିଲା ଏବଂ ଯୁବତୀଜଣଙ୍କ ଇନ୍‌ଷ୍ଟା ଆଇଡ୍‌ରେ ଆଜେକ୍ସଙ୍କୁ ମେସେଜ୍ କରିଥିଲେ। ପରେ ପରେ ସେମାନଙ୍କ ସମ୍ପର୍କ ଆଗକୁ ବଢ଼ିଥିଲା। ଏମିତିକି ଉଭୟ ଡାକ୍ତରୀ ଛାତ୍ରୀ ଓ ଆଜେକ୍ସ ଭଲମନ୍ଦ ସବୁ କଥା ତାଙ୍କୁ ଜଣାଉଥିଲେ ବୋଲି ୱାସିମ୍‌ କହିଛନ୍ତି। କିନ୍ତୁ ଗତ କିଛିଦିନ ହେଲା ସେମାନେ ସେମାନଙ୍କ ପ୍ରେମକାହାଣୀ ବାବଦରେ ତାଙ୍କୁ କିଛି ଜଣାଉନଥିଲେ। ଏନେଇ ସେ ଆଜେକ୍ସକୁ ପଚାରିଥିଲେ। ପ୍ରେମିକା ତାକୁ ପ୍ରତାରଣା କରି ତା’ର ଜଣେ ସହପାଠୀକୁ ଭଲପାଉଛି ବୋଲି ଆଜେକ୍ସ ତାଙ୍କୁ କହିଥିଲା। କେବଳ ସେତିକି ନୁହେଁ, ଯୁବତୀ ତାଙ୍କୁ ଭୀଷଣ ଭାବେ ନିର୍ଯାତନା ଦେଉଛି ବୋଲି ମଧ୍ୟ କହିଥିଲା। ତା’ର କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିବାକୁ ଯୁବତୀ ଓ ତା’ ନୂଆ ପ୍ରେମିକ ଧମକ ଦେଉଛନ୍ତି ବୋଲି କହିଥିଲା। ଏସବୁକୁ ନେଇ ସେ ଚାପରେ ଥିଲା ଏବଂ ଶେଷ‌ରେ ନିଜକୁ ଶେଷ କରିଦେଲା ବୋଲି ୱାସିମ୍‌ କହିଛନ୍ତି।

ବୁଲିଯାଇଥିଲା ବୁଦ୍ଧଙ୍କ ମୁହଁ, ବନ୍ଦ ହୋଇଥିଲା ଘଣ୍ଟା
ଗତ ୧୭ ତାରିଖ ରାତିରେ ଯୁବତୀଙ୍କଠାରୁ ଚାପୁଡ଼ା ଖାଇବା ପରେ ରାତି ପାଖାପଖି ସାଢ଼େ ୩ଟାରେ ଆଜେକ୍ସ ଘରକୁ ଫେରିଥିଲେ। ଘଟଣାଟି ତାଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଥିଲା। ଏ ବିଷୟରେ ସେ କାହାକୁ କିଛି କହିପାରିନଥିଲେ। ଦିନ ତମାମ ଚିନ୍ତାରେ ଥିଲେ। ଘରେ ବି କାହା ସହ ଠିକ୍‌ରେ କଥା ହୋଇନଥିଲେ। ସନ୍ଧ୍ୟାରେ ନିଜ ରୁମ୍‌ ଭିତରେ ଥିବା ତିନି ବୁଦ୍ଧ ମୂର୍ତ୍ତିଙ୍କ ମୁହଁକୁ ପଛକୁ ବୁଲାଇଦେଇଥିଲେ। ଘଣ୍ଟାରୁ ବ୍ୟାଟେରି କାଢ଼ି ତଳେ ରଖିଦେଇଥିଲେ। ତାଙ୍କ ରୁମ୍‌ରେ ଏଭଳି କିଛି ଦୃଶ୍ୟ ଆଜେକ୍ସଙ୍କ ଚରମ ନିଷ୍ପତ୍ତିର ସଂକେତ ଥିଲା।

ମୋ ବାପା ତମାଣ୍ଡୋ ଗୁଣ୍ଡା, ଦୂରେଇଯାଉ ନହେଲେ …

ଆଜି ଆଜେକ୍ସଙ୍କ ସାଙ୍ଗ ୱାସିମ୍‌ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୧୭ ତାରିଖ ରାତି ପାଖାପାଖି ଅଢ଼େଇଟା ସମୟରେ ଯୁବତୀ ତାଙ୍କୁ କଲ୍‌ କରିଥିଲେ। କହିଥିଲେ ଯେ ଆଜେକ୍ସକୁ ମନାକର ସେ ଆଉ କଲ୍‌ କରିବ‌ ନାହିଁ। ନଚେତ୍‌ ଭୟଙ୍କର ସ୍ଥିତି ହେବ। ତାଙ୍କ ବାପା ତମାଣ୍ଡୋ ଅଞ୍ଚଳର ବଡ଼ ଗୁଣ୍ଡା। ତାଙ୍କ କାନକୁ କଥା ଗଲେ, ଆଜେକ୍ସର ହାତଗୋଡ଼ ଭାଙ୍ଗିଦେବେ। ବାପାଙ୍କ ସହ ପୁଲିସର ବି ଭଲ ସମ୍ପର୍କ। ତାଙ୍କ ନୂଆ ପୁରୁଷବନ୍ଧୁ ରଶ୍ମୀ ବି ରାଗିକି ଅଛି। ଏଣିକି ଆଉ କେବେ ପିଛା କଲେ, ସେ ନିର୍ଘାତ୍ ବାଡ଼େଇବା ଥୟ। ତେଣୁ ଆଜେକ୍ସକୁ କହିଦିଅ, ସେ ଦୂରେଇ ଯାଉ। ଆଜି ରାତିରେ ମୋ ରୁମ୍‌ପାଖକୁ ଆସିଥିଲା। ତାକୁ ଦୁଇ ଥାପଡ଼ ଦେଇ ବିଦା କରିଦେଇଛି। ଆଉ କେବେ ଆସିଲେ, ସିଧା ହସ୍ପିଟାଲ ଯିବ।

ଆଉ ଚାଲିବନି କଂନ୍‌ସଲ୍‌, ବାଜିବନି ଡିଜେ
ସେ ଜଣେ ଭଲ ରିମିକ୍ସର ଥିଲେ। ନିଜ ଘରେ ଆଲ୍‌ବମ୍‌ଗୁଡ଼ିକୁ ରିମିକ୍ସ କରି ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରୁଥିଲେ। ଅନ୍ୟମାନେ ତାଙ୍କ ରିମିକ୍ସକୁ ଅପ୍‌ଲୋଡ୍‌ କରି ପ୍ରଶଂସା ନେଉଥିଲେ। ହେଲେ ଆଉ ଶୁଭିବନି ଆଜେକ୍ସଙ୍କ ଡିଜେ। ଘରେ ଥିବା ତାଙ୍କ ଡିଜେ, କଂନ୍‌ସଲ୍‌ ବି ଫିକା ପଡ଼ିଯାଇଛି। ସବୁ ଏପଟସେପଟ ହୋଇପଡ଼ିଛି। ଯେଉଁଘରୁ ସେ ଏସବୁ କରୁଥିଲେ ଏବେ ସେ ଘର ଶ୍ରୀହୀନ ହୋଇଯାଇଛି।

ଶୋଉନି କି ଖାଉନି ସୋନା
ଆଜେକ୍ସ କେବଳ ଡିଜେରେ ନିଜ ପ୍ରସଂଶକଙ୍କୁ ବାନ୍ଧି ରଖିନଥିଲେ। ସେ ଜଣେ ପଶୁପକ୍ଷୀ ପ୍ରେମୀ ଥିଲେ। ଗତ ତିନି ଦିନ ହେବ ତାଙ୍କ କୁକୁର ସୋନା ଖାଉନି କି ଶୋଉ ନାହିଁ। ମାଲିକ ପ୍ରେମରେ ଏତେ ପଡ଼ିଯାଇଥିଲା ଯେ ନ ଦେଖିଲେ ଖାଏନି କି ଗେହ୍ଲା ‌ନ ହେଲେ ଶୁଏନି। ଆଜେକ୍ସଙ୍କୁ ହରାଇବା ପରେ ସେ ବି ଭାଙ୍ଗିପଡ଼ିଛି। ଖୋଜିଖୋଜି ନୟାନ୍ତ ହେଲାଣି। ଆଜେକ୍ସଙ୍କୁ ନ ପାଇ ସେ ବି ଭୋକ ଶୋଷ ଭୁଲିଯାଇଛି। ଏହାଛଡ଼ା ସେ ରଖିଥିବା ଶୁଆ, ଲଭ୍‌ ବାର୍ଡ ବି ଆଜେକ୍ସଙ୍କୁ ଖୋଜିହେଉଛନ୍ତି।

କାର୍‌ ଜିପିଏସ୍‌ ଯାଞ୍ଚ ଦାବି କଲେ ରାହୁଲ୍‌

ଅନ୍ୟତମ ବନ୍ଧୁ ତଥା ସହକର୍ମୀ ରାହୁଲ୍‌ କହିଛନ୍ତି ଯେ ଆଜେକ୍ସ ଭଲ ରୋଜଗାର କରୁଥିଲା। ବଡ଼ବଡ଼ ଇଭେଣ୍ଟରେ ତାକୁ ଖୋଜାପଡ଼ୁଥିଲା। କିନ୍ତୁ ଡାକ୍ତରୀ ଛାତ୍ରୀଙ୍କୁ ପ୍ରେମ କରିବସିବା ପରଠୁ ସେ ତା’ ପିଛା ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ। କିଛିଦିନ ତଳେ ଆଜେକ୍ସ ନୂଆ କାର୍‌ କିଣିଥିଲେ। ମାତ୍ର ପ୍ରତାରକ ବାନ୍ଧବୀ ହିଁ ସେହି କାର୍‌କୁ ‌ବେଶି ବ୍ୟବହାର କରୁଥିଲା। କାର୍‌ ଜିପିଏସ୍‌କୁ ଯାଞ୍ଚ କଲେ ପୁଲିସ ସବୁ ତଥ୍ୟ ପାଇପାରିବ ବୋଲି ରାହୁଲ୍‌ କହିଛନ୍ତି। ଜିପିଏସ୍‌ ଯାଞ୍ଚ କଲେ, ଯୁବତୀଙ୍କ ଧୋକ୍କାବାଜିଆ ପ୍ରେମର ପ୍ରମାଣ ମିଳିଯିବ ବୋଲି ସେ କହିଛନ୍ତି। ତେଣୁ ଅସଲ ମୁଖା ଖୋଲିଯିବା ଭୟରେ ଡାକ୍ତରୀ ଛାତ୍ରୀ ପୁଲିସକୁ ଧରାଛୁଆଁ ଦେଉନାହିଁ ବୋଲି ରାହୁଲ୍‌ କହିଛନ୍ତି।

 

ସମ୍ବନ୍ଧିତ ଖବର