ଡିଜେ ଉପରେ କଟକଣା ପରେ ଚିନ୍ତାରେ ପୂଜା କମିଟିର ସଦସ୍ୟ : ବଇନା ଦେଇଛୁ, ବଜେଇବୁ…

ଭୁବନେଶ୍ବର : ଡିଜେ ମନା..। ବାଣ ଫୁଟାଇବା ବି ମନା..। ଇଏ କେମିତିକା ନିୟମ। ପୂଜା ସହ ଆଡ଼ମ୍ବରପୂର୍ଣ୍ଣ ଭସାଣି ପର୍ବକୁ ଦେଖିବା ପାଇଁ ଲୋକେ ବର୍ଷେ ଯାଏ ପ୍ରତୀକ୍ଷା କରିଥାଆନ୍ତି। ମାତ୍ର କମିସନରେଟ୍‌ ପୁଲିସ୍‌ର ନିୟମ ସବୁ ଆଡ଼ମ୍ବରକୁ ଫିକା କରିଦେବାକୁ ବସିଛି ବୋଲି ପୂଜା କମିଟିର ସଦସ୍ୟମାନେ କହିଛନ୍ତି। ସଦସ୍ୟମାନଙ୍କ କହିବା ମୁତାବକ, ଡିଜେ ପାଇଁ ୩ ମାସ ତଳୁ ବଇନା ଦିଆସରିଛି। ବାଣ ପାଇଁ ବି ଆଡ୍‌ଭାନ୍ସ ଦେଇ ସାରିଛୁ। ଏମିତିରେ ବି ଡିଜେ ବିନା ସବୁ ପାଣିଚିଆ ହେଇଯିବ। ପ୍ରଶାସନର ସବୁ ନିୟମ ମାନିବୁ, କିନ୍ତୁ ପ୍ରଶାସନ ଏ ନିୟମରେ ଅନ୍ତତଃ କୋହଳ କରୁ ବୋଲି ଦାବି କରିଛନ୍ତି କିଛି ପୂଜା କମିଟି।

ଗୋଟେ ପଟେ ପ୍ରଶାସନ ଚାନ୍ଦା ବନ୍ଦ କରିବାକୁ ନିର୍ଦେଶ ଦେଇଛି। ଅନ୍ୟ ପଟେ ବଇନା ଦେଇଥିବା ଟଙ୍କା ବି ଡିଜେ ବାଲାଙ୍କୁ ମାଗି ହେଉନାହିଁ। ତେଣୁ ଖାଲି ପୂଜା କମିଟି ସଦସ୍ୟଙ୍କ ମନ ମରିଯାଇନି, ବରଂ ବଇନା ଟଙ୍କା ଫେରିପାଇବେ କି ନାହିଁ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବାସ୍ତବରେ ପୂଜା କମିଟି ସୁଦୃଶ୍ୟ ତୋରଣ ପରେ ଭସାଣି ପର୍ବକୁ ସବୁଠୁ ଗୁରୁତ୍ବ ଦିଏ। ଯଦିଓ ୬୫ ଡେସିବଲ ଶବ୍ଦ ବିଶିଷ୍ଟ ସାଉଣ୍ଡ୍‌ ବ୍ୟବସ୍ଥା କରିବାକୁ ଭସାଣି ଓ ଅନ୍ୟ ପ୍ରସେସନ ପାଇଁ ନିୟମ ଅନୁସାରେ ଅନୁମତି ଦିଆଯାଇଛି କିନ୍ତୁ ପୂଜାନୁଷ୍ଠାନ ପ୍ରତିଯୋଗିତା ଭିତ୍ତିରେ ଏକରୁ ଆରେକ ବଳିକି ଡିଜେ ବ୍ୟବସ୍ଥା କରିଆସୁଛନ୍ତି। ଏପରିକି ସହରରେ ସବୁଠୁ ଦାମୀ ଡିଜେ ଥିଲା ବାଲାଙ୍କୁ କିଛି ପୂଜାନୁଷ୍ଠାନ ୫ ମାସ ଆଗରୁ ବଇନା ଦେଇସାରିଛନ୍ତି। କିଛି ପୂଜାନୁଷ୍ଠାନ ଓଡ଼ିଶା ବାହାରୁ ମଧ୍ୟ ଡିଜେ ଆଣିବାକୁ ବନ୍ଦୋବସ୍ତ କରି ବଇନା ଦେଇସାରିଥିବା କହିଛନ୍ତି। ଏତେ ଆୟୋଜନ ସତ୍ତ୍ବେ ଦୁଇଦିନ ତଳେ କମିସନରେଟ୍‌ ପୁଲିସ୍‌ର ଡିଜେ ନବଜାଇବା ପାଇଁ ତାଗିଦ୍‌ ଶୁଣି ପୂଜାନୁଷ୍ଠାନ ସଦସ୍ୟଙ୍କ ମୁହଁ ଆମ୍ବିଳା ହୋଇଯାଇଛି। ଏପରି କି ବଇନା ଦେଇସାରିଥିବାରୁ ଆମେ ଡିଜେ ବଜାଇବୁ ବୋଲି କିଛି ପୂଜାନୁଷ୍ଠାନର ସଭ୍ୟମାନେ କହିଛନ୍ତି।

କେବଳ ବଡ଼ ପୂଜା ମଣ୍ଡପ ନୁହେଁ ଛୋଟଛୋଟ ପୂଜାନୁଷ୍ଠାନ ମଧ୍ୟ ସିଂହଭାଗ ଅର୍ଥ ଏଇ ଭସାଣିରେ ଖର୍ଚ କରନ୍ତି। ବିଶେଷକରି ଧାଡ଼ିଧାଡ଼ି ଭସାଣି ଯାତ୍ରାରେ ପ୍ରତିଯୋଗିତା କରିବାକୁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥାଏ। ପାରମ୍ପରିକ ବାଜାର ଭିଡ଼ ସହିତ ଡିଜେ ପଛରେ ଟୋକାଙ୍କ ଭିଡ଼ ଜମେ। ଶୃଙ୍ଖଳା ଦୃଷ୍ଟିରୁ କମିସନରେଟ୍‌ ପୁଲିସ୍‌ ୪ଟି ସାଉଣ୍ଡ୍‌ ବକ୍ସ ଓ ୪ଟି ଚୁଙ୍ଗା ମଧ୍ୟରେ ସାଉଣ୍ଡ୍‌ ବ୍ୟବସ୍ଥା ସୀମିତ ରଖିବା ପାଇଁ ଘୋଷଣା କରିଥିଲେ ହେଁ ଏହି ନିୟମରେ ଯେମିତି କୋହଳ କରାଯିବ ସେନେଇ କମିସନରେଟ୍‌ ପୁଲିସ୍‌କୁ ନିବେଦନ କରାଯିବ ବୋଲି କିଛି ପୂଜାନୁଷ୍ଠାନ ସଦସ୍ୟ କହିଛନ୍ତି। ପରବର୍ତୀ ସମୟରେ ପୂଜାନୁଷ୍ଠାନଗୁଡ଼ିକୁ ନେଇ ଆୟୋଜିତ ହେବାକୁ ଯାଉଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବୁ ବୋଲି ରସୁଲଗଡ଼ ଦୁର୍ଗାପୂଜା ସମିତିର ସଭାପତି ଅନିଲ ବଳିୟାରସିଂହ କହିଛନ୍ତି।

ସମ୍ବନ୍ଧିତ ଖବର