ଭୁବନେଶ୍ୱର : ବର୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ପ୍ରତିଦିନ ସମୟ ସହ ତାଳ ଦେଇ ନୂଆ ନୂଆ ଜ୍ଞାନକୌଶଳର ଉଦ୍ଭାବନ ହେଉଛି। ସେହି ପ୍ରଯୁକ୍ତି ବିଦ୍ୟା ସହ ତାଳ ଦେଇ ମଣିଷ ସମାଜକୁ ଚାଲିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟ ପାଲ୍ ସିଂହ।
ୟୁନିଟ୍-୯ସ୍ଥିତ ଡିଏମ୍ ସ୍କୁଲର ବାର୍ଷିକ ‘ଆଲୁମିନି ମିଟ୍-୨୦୧୮’ ଆଜି ଡିଏମ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ଦେଶରେ ଶିକ୍ଷାର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତି ଅନୁଷ୍ଠାନର ଉତ୍ଥାନରେ ପୁରାତନ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଞ୍ଚଦଶ ଅର୍ଥ କମିସନ୍ର ସଦସ୍ୟ ଶକ୍ତିକାନ୍ତ ଦାସ ଡିଏମ୍ ସ୍କୁଲରେ ବିତାଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ବିଷୟରେ ଆଲୋକପାତ କରିଥିଲେ। ଡିଏମ୍ ସ୍କୁଲର ଆଲୁମିନି ସଂଘର ସଭାପତି ରାଜୀବ ଶେଖର, ସମ୍ପାଦକ ସିଦ୍ଧାର୍ଥ ମହାନ୍ତି, ପ୍ରଫେସର ତୁଷାରକାନ୍ତ ଦାସ, ଏଚ୍ କେ ସେନାପତି, ପି ସି ଅଗ୍ରଓ୍ଵାଲ, ଡିଏମ୍ ସ୍କୁଲର ପ୍ରଧାନ ଶିକ୍ଷକ ଅଖିଳେଶ୍ୱର ମିଶ୍ର ଓ ପ୍ରଫେସର ହୃଷିକେଶ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରୀତା ପତିଙ୍କ ‘ଉଦୟରାଗ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶିବସୁନ୍ଦର ଦାସ, ଦେବଜ୍ୟୋତି ପଟ୍ଟନାୟକ ଓ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୮ଟି ସ୍ମାର୍ଟ କ୍ଲାସ ଏବଂ ଓଏନ୍ଜିସି ଫଣ୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଅଡିଟୋରିୟମ୍ର ଭୂମି ପୂଜା କରାଯାଇଥିଲା। ଶେଷରେ ସୁଶାନ୍ତ କୁମାର ପୂଜାରୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।