ଭୁବନେଶ୍ୱର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଶେଷରେ ତାହାର ଖୋଳତାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାଞ୍ଚରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ, ତାହା ନିଶ୍ଚିତ କରିବା ଲାଗି ଏକ ସ୍ବାଧୀନ ସଂସ୍ଥା ‘ଗ୍ରାଣ୍ଟ ଥର୍ନଟନ୍’କୁ ଏହି ଦାୟିତ୍ବ ଦିଆଯାଇଛି। ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ କେତେ ଡିଏମ୍ଏଫ୍ ଟଙ୍କା ଖର୍ଚ୍ଚ ହୋଇଛି? ପ୍ରକୃତରେ କିଛି ଖର୍ଚ୍ଚ ହୋଇଛି ନା ନାହିଁ? ପାଣ୍ଠିର ବାଟମାରଣା କରାଯାଇଛି କି? ପାଣ୍ଠି ହଡ଼ପରେ କେଉଁମାନେ ଜଡ଼ିତ ଅଛନ୍ତି? ପ୍ରଭାବିତ ଲୋକଙ୍କ ପ୍ରକୃତ ସାମାଜିକ-ଅର୍ଥନୈତିକ ବିକାଶ ହେଉଛି ନା ନାହିଁ? ଯାହାଙ୍କ ପାଇଁ ପ୍ରକଳ୍ପ ହେଉଛି, ସେମାନେ ଉପକୃତ ହେଉଛନ୍ତି ନା ନାହିଁ? ଏଭଳି ଅନେକ ଗମ୍ଭୀର ପ୍ରଶ୍ନର ଉତ୍ତର ଖୋଜିବାକୁ ଏହି ଯାଞ୍ଚ କରାଯିବ।
ଡିଏମ୍ଏଫ୍ ଖର୍ଚ୍ଚର ଖୋଳତାଡ଼ କରିବା ଲାଗି ଲୋକସେବା ଭବନରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିଏମ୍ଏଫ୍ ପ୍ରକଳ୍ପ
କାର୍ଯ୍ୟକାରିତାରେ ହୋଇଥିବା ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରକଳ୍ପ ଶେଷ ହେବା ପରେ ନୁହେଁ, ବରଂ ଜାରି ରହିଥିବା ପ୍ରକଳ୍ପଗୁଡ଼ିକର ଯାଞ୍ଚ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଗୁଳ, ଯାଜପୁର ଓ ଝାରସୁଗୁଡ଼ାରେ ଏହି ଯାଞ୍ଚ ହେବ। ନିକିଟିଖି ତଥ୍ୟ ସଂଗ୍ରହ କରାଯିବ। ସେପ୍ଟେମ୍ବର ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ‘ଗ୍ରାଣ୍ଟ୍ ଥର୍ନଟନ୍’କୁ କୁହାଯାଇଛି।
ଯାଞ୍ଚ କରିବ ବାହାର ସଂସ୍ଥା ‘ଗ୍ରାଣ୍ଟ ଥର୍ନଟନ୍’
ଅନୁଗୁଳ, ଯାଜପୁର ଓ ଝାରସୁଗୁଡ଼ାରେ ହେବ
ସହଯୋଗ କରିବେ ବିଭିନ୍ନ ବିଭାଗ, ଜିଲ୍ଲାପାଳ
ଡିଏମ୍ଏଫ୍ ଅଧୀନରେ ହୋଇଥିବା ଖର୍ଚ୍ଚ ଦ୍ବାରା ଖଣି ପ୍ରଭାବିତ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ପାନୀୟଜଳ ଯୋଗାଣ, ରାସ୍ତାଘାଟ ଓ ଗମନାଗମନ, ଜଳ ଓ ପରିମଳ, ଗୃହ ନିର୍ମାଣ, ଭିତ୍ତିଭୂମି, ଜୀବନଜୀବିକା, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ, ପରିବେଶ ପ୍ରଭାବକୁ ପ୍ରତିହତ କରିବା ଆଦି କ୍ଷେତ୍ରରେ କ’ଣ ପ୍ରଭାବ ପଡ଼ିଛି ତାହାକୁ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିବ। ଖଣି ଦ୍ବାରା ପ୍ରଭାବିତ ହୋଇ ନ ଥିବା ଜିଲ୍ଲାଗୁଡ଼ିକରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଟଙ୍କା ଖର୍ଚ୍ଚ କରାଯାଇଥିଲା ନା ନାହିଁ? ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିବା ବେଳେ ନୀତି ନିୟମକୁ ଠିକ୍ ଭାବେ ପାଳନ କରାଯାଇଛି ନା ଖୋଲାଖୋଲି ଉଲ୍ଲଂଘନ କରାଯାଇଛି? ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାକୁ ମଧ୍ୟ ଏହି ସଂସ୍ଥା ଚେଷ୍ଟା କରିବ। ପ୍ରକଳ୍ପ ଲାଗୁ କରିବାରେ କ’ଣ ସବୁ ସମସ୍ୟା ଓ ଆହ୍ବାନ ରହୁଛି, ତାହା ଜାଣିବାକୁ ଉଦ୍ୟମ କରାଯିବ। ଯେଉଁ ପ୍ରକଳ୍ପଗୁଡ଼ିକୁ ହାତକୁ ନିଆଯାଇଛି, ସେଗୁଡ଼ିକର ବିଶ୍ଳେଷଣ କରାଯିବ। ପ୍ରକଳ୍ପ କାର୍ଯ୍ୟକାରିତାକୁ ଆହୁରି ପାରଦର୍ଶୀ କରିବା ଲାଗି ଜିଲ୍ଲାପାଳମାନେ କ’ଣ ସହଯୋଗ କରିପାରିବେ ତାହା ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ଏହି ତଦନ୍ତ ଭବିଷ୍ୟତରେ ଡିଏଫ୍ଏମ୍ ପ୍ରକଳ୍ପଗୁଡ଼ିକର ଉନ୍ନତ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି ସରକାର ଭାବୁଛନ୍ତି। ଏହି ଯାଞ୍ଚରେ ସହଯୋଗ କରିବାକୁ ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମିସନ୍ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିଭାଗକୁ ସହଯୋଗ କରିବାକୁ କୁହାଯାଇଛି।