ଡିଏନ୍ଏ ଖୋଲିବ ରହସ୍ୟ: କୁଆଡ଼େ ଗଲେ ମୃତ ମହିଳାଙ୍କ ସ୍ବାମୀ, ଗଙ୍ଗୁଆ ନାଳରୁ ଗଳିତ ଶବ ଜବତ ଘଟଣା

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ପଳାସୁଣି ନିକଟ ଗଙ୍ଗୁଆ ନାଳରୁ ଗଳିତ ଶବ ଜବତ ଘଟଣାକୁ ୧୦ ଦିନ ବିତି ଗଲାଣି। କିନ୍ତୁ ମୃତ ବ୍ୟକ୍ତିଙ୍କ ପରିଚୟ ପାଇ ପାରି ନାହିଁ ପୁଲିସ। ପରିଚୟ ପାଇବା ମଞ୍ଚେଶ୍ବର ଥାନା ପାଇଁ ଏବେ ସବୁଠୁ ବଡ଼ ଚାଲେଞ୍ଜ ହୋଇଛି। ଆଇନ ଅନୁସାରେ ମୃତବ୍ୟକ୍ତିଙ୍କ ଶବକୁ ପୁଲିସ ସତ୍କାର କରିଥିବା ବେଳେ ଡିଏନ୍ଏ ପରୀକ୍ଷା ଲାଗି ଚୁଟି, ନଖ, ହାଡ଼ର କିଛି ଅଂଶ ସଂଗ୍ରହ କରି ସଂରକ୍ଷିତ ରଖିଛି। ଆଖପାଖ ଅଞ୍ଚଳରେ ପୁଲିସ ଲୋକଙ୍କୁ ପଚରାଉଚରା ମଧ୍ୟ କରିଛି। ମୁହଁ ନଷ୍ଟ ହୋଇଯାଇଥିବାରୁ ମୃତକ ଚିହ୍ନଟ ହୋଇ ପାରୁନାହାନ୍ତି। ମୃତ ବ୍ୟକ୍ତିଙ୍କ ବୟସ ୪୦ରୁ ୪୫ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ସେହି ବୟସର ବ୍ୟକ୍ତି କେଉଁ ଅଞ୍ଚଳରୁ ନିଖୋଜ ରହିଛନ୍ତି, ସେ ନେଇ ମଧ୍ୟ ପୁଲିସ ଛାନଭିନ୍ ଜାରି ରଖିଛି।

ପ୍ରାୟ ୨୦ ଦିନ ତଳେ ପଳାସୁଣି ଅଞ୍ଚଳରେ ସ୍ବାମୀର ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ମହିଳା ସଞ୍ଜୁଲତା ଦେହୁରିଙ୍କର ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଘଟଣା ପରଠାରୁ ତାଙ୍କ ସ୍ବାମୀ ସନାତନ ଜେନା ଫେରାର ରହିଛନ୍ତି। ଗଙ୍ଗୁଆ ନାଳରୁ ଜବତ ମୃତଦେହ ସନାତନଙ୍କର ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। କିନ୍ତୁ ସତ୍ୟାସତ୍ୟ ଜାଣିବା ଲାଗି ପୁଲିସ ସଂଗ୍ରହ କରିଥିବା ଡିଏନ୍ଏ ନମୁନା ସନାତନଙ୍କ ପରିବାରଲୋକଙ୍କ ସହ ମେଳ କରାଇବ। ଏଥିଲାଗି କୋର୍ଟଙ୍କ ଅନୁମତି ଲୋଡ଼ିଛି ପୁଲିସ। କୋର୍ଟଙ୍କ ଅନୁମତି ମିଳିବା ପରେ ଡିଏନଏ ଟେଷ୍ଟ କରିବାକୁ ପୁଲିସ ଯୋଜନା ରଖିଛି। ଯଦି ଏହା ସନାତନଙ୍କର ବୋଲି ପ୍ରମାଣିତ ନ ହୁଏ, ତାହାଲେ ଅନ୍ୟ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ପରିବାରଲୋକଙ୍କ ଡିଏନ୍ଏ ପରୀକ୍ଷା କରାଇବାକୁ ମଧ୍ୟ ପୁଲିସ ପ୍ରସ୍ତୁତ ରହିଥିବା କହିଛି। ଡିଏନ୍ଏ ପରୀକ୍ଷା ସମୟ ସାପେକ୍ଷ ହୋଇଥିବାରୁ ପୁଲିସକୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ସଞ୍ଜୁଲତାଙ୍କୁ ସ୍ବାମୀ ସନାତନ ହାଣି ହତ୍ୟା କରିବା ଘଟଣା ପୁଲିସ ପାଇଁ ଆଉ ଏକ ଚାଲେଞ୍ଜ। ଘଟଣାର ୨୦ ଦିନ ପରେ ମଧ୍ୟ ସନାତନର କୌଣସି ସନ୍ଧାନ ମିଳି ନ ଥିବାରୁ ଡିଏନ୍ଏ ପରୀକ୍ଷା ଏକମାତ୍ର ବାଟ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର