କ୍ୟାପିଟାଲ ହସ୍ପିଟାଲରେ ଡିଏନ୍‌ବି ପାଠ୍ୟକ୍ରମ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେବ ଡିପ୍ଲୋମା ଇନ୍ ନାସନାଲ ବୋର୍ଡ ବା ଡିଏନ୍‌ବି ପାଠ୍ୟକ୍ରମ। ପୂର୍ବରୁ ୫ଟି ବିଭାଗରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଦିଆଯାଉଥିବା ବେଳେ ଏବେ ଡିଏନ୍‌ବି ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହା ଏନ୍‌ବିଇ ବା ନ୍ୟାସନାଲ ବୋର୍ଡ ଅଫ ଏଜୁକେସନ୍ସ ଅଧୀନରେ କରାଯିବ। ଏଥିପାଇଁ ଅନଲାଇନ୍ ଆଦେବନ ପ୍ରକ୍ରିୟା ସରିଥିବା ବେଳେ ୮ବିଭାଗ ପାଇଁ ଯୋଜନା ରହିଛି। ଏହି ପାଠ୍ୟକ୍ରମର ଅବଧି ଦୁଇ ବର୍ଷ ରହିଛି। କ୍ୟାପିଟାଲ ହସ୍ପିଟାଲକୁ ଏନ୍‌ବିଇ ସଂବୁଜ ସଂକେତ ଦେଲା ପରେ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲରେ ଡିଏନ୍‌ବି ପାଠ୍ୟକ୍ରମ ଆରମ୍ଭ ହେବ। ପୂର୍ବରୁ ୪ଟି ବିଭାଗ ଯଥା ନିଶ୍ଚେତକ, ଶିଶୁରୋଗ, ଫ୍ୟାମିଲି ମେଡିସିନ୍‌, ରେଡିଓ ଡାଇଗ୍ନୋଷ୍ଟିକ ପାଇଁ ଆବେଦନ ସରିଥିବା ବେଳେ ଗତକାଲି ଚକ୍ଷୁରୋଗ, ଇଏନ୍‌ଟି, ଓ ଆଣ୍ଡ୍ ଜି ଓ ଛାତି ଓ ଯକ୍ଷ୍ମା ବିଭାଗ ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ଏଠାରେ ସୁଯୋଗ ମିଳିବ। ଏଥିପାଇଁ ହସ୍ପିଟାଲରେ ଜଣେ ବରିଷ୍ଠ ଏବଂ କନିଷ୍ଠ କନସଲଟାଣ୍ଟ ସହ ତଦାରଖ କରିବାକୁ ଜଣେ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯିବ ବୋଲି ଜଣାପଡ଼ିଛି। ଏନ୍‌ବିଇ କର୍ତୃପକ୍ଷ ହସ୍ପିଟାଲରେ ଯାଞ୍ଚ କରିବା ପରେ ହିଁ ପାଠ୍ୟକ୍ରମ ପାଇଁ ଅନୁମତି ମିଳିବ। ବିଶେଷକରି ଉକ୍ତ ବିଭାଗରେ କେତେ ଡାକ୍ତର ରହିଛନ୍ତି, ଶଯ୍ୟା ସଂଖ୍ୟା କେତେ ଅଛି ଏବଂ ପ୍ରତିଦିନ ରୋଗୀ କେତେ ଆସୁଛନ୍ତି ଏହାକୁ ଦେଖିବା ପରେ ସମ୍ମତି ପ୍ରଦାନ କରି ସିଟ୍‌ ଆଲଟ‌‌‌ମେଣ୍ଟ କରିବେ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର