ଉଦ୍ୟମ ଓ ପରିଶ୍ରମ ସହ ସାଲିସ୍‌ କରନାହିଁ: ସୌମ୍ୟରଞ୍ଜନ

କେଏମ୍‌ବିବିରେ ଓରିଏଣ୍ଟେସନ୍‌ ପ୍ରୋଗ୍ରାମ

ବାରଙ୍ଗ: ଛାତ୍ର ଅବସ୍ଥାରେ ବଡ଼ କଥା ହେଉଛି ଉଦ୍ୟମ ଓ ପରିଶ୍ରମ। ଏହି ଦୁଇଟି କଥାରେ କେବେ ବି ସାଲିସ୍‌ କରିବାର ନୁହେଁ। ଜୀବନରେ ସଫଳତା ପାଇବାକୁ ହେଲେ ପର୍ଯ୍ୟାପ୍ତ ଶିକ୍ଷା ଅର୍ଜନ କରିବାକୁ ପଡ଼ିବ। ତେଣୁ ଏଥିପା‌ଇଁ ପରିଶ୍ରମ ହିଁ ଏକମାତ୍ର ବିଳକ୍ପ। ଆଜି ସ୍ଥାନୀୟ ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ୍‌-୨ ପରିସରରେ ଆୟୋଜିତ ଓରିଏଣ୍ଟସନ୍‌ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ବିଟେକ୍‌ ପ୍ରଥମ ବାର୍ଷିକ ଓ ଯୁକ୍ତ ୩ ବିଜ୍ଞାନ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀଙ୍କ ଲାଗି ଏହି ଓରିଏଣ୍ଟେସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସେମାନେ ହେଉଛନ୍ତି ଆଗାମୀ ଶତାବ୍ଦୀର ଭବିଷ୍ୟତ। ସମାଜ ସେମାନଙ୍କ ଉପରେ ନିର୍ଭର କରୁଛି। ସେ ଆହୁରି କହିଥିଲେ ଯେ ଛାତ୍ରଛାତ୍ରୀମାନେ ପରିବେଶ ଓ ସହପାଠୀଙ୍କୁ ଭଲ ପାଇବା ସହ ସେମାନଙ୍କୁ ବୁଝିବାକୁ ଚେଷ୍ଟା କରିବା ଉଚିତ। ଉତ୍ତମ ଅଭ୍ୟାସ ବଳରେ ଶରୀର ଓ ମନ ସୁସ୍ଥ ରହିବ। ଶରୀର ଓ ମନ ସୁସ୍ଥ ରହିଲେ ହିଁ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ। ତେଣୁ ସମୟ ନଷ୍ଟ ନକରି ପର୍ଯ୍ୟାପ୍ତ ଶିକ୍ଷା ଲାଭ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ରସାୟନ ଶାସ୍ତ୍ର ବିଜ୍ଞାନୀ ତଥା ପ୍ରଯୁକ୍ତିବିତ୍ ଡ. ଚିତ୍ତରଂଜନ ମିଶ୍ର ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର ବତାଇଥିଲେ। ନିଜକୁ ଏକ ମିନି ଲାବୋ‌ରେଟୋରି ବା କ୍ଷୁଦ୍ର ପରୀକ୍ଷାଗାର କରି ପାରିଲେ, ସବୁ ସମାଧାନର ବାଟ ଖୋଜିବା ସହଜ ହେବ ବୋଲି ସେ କହିଥିଲେ।

ଏହା ହିଁ ଥିଲା ତାଙ୍କ ସଫଳତାର ସୂତ୍ର। ଦୃଢ ଆତ୍ମବିଶ୍ବାସ ଓ ନିଷ୍ଠାପର ପରିଶ୍ରମ ଦ୍ବାରା ସଫଳତା ମିଳିପାରିବ ବୋଲି ସେ କହିଥିଲେ। ‘ସମ୍ବାଦ ଗ୍ରୁପ୍‌ର ନିର୍ଦ୍ଦେଶିକା ତଲ୍ଲୀନା ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାପର ଉଦ୍ୟମ କରିବାକୁ ଉପଦେଶ ଦେଇଥିଲେ। ସମ୍ବାଦ ଶିକ୍ଷା ସମୂହର ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା ପ୍ରତି ଗୁରୁତ୍ବ ଦେବାକୁ କହିଥିଲେ। କେଏମ୍‌ବିବି କଲେଜ କ୍ୟାମ୍ପସ୍‌-୨ର ଅଧ୍ୟକ୍ଷ ଡ. ବିଜୁନୀ ଚରଣ ସୂତାର ସ୍ବାଗତ ଭାଷଣ ଦେଇଥିବାବେଳେ ଇଂଜିନିୟରିଂ ଓ ଟେକ୍‌ନୋଲୋଜି ବିଭାଗର ଅଧ୍ୟକ୍ଷ ଡ. ଭବାନୀ ପ୍ରସନ୍ନ ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ଏହି ବିଭାଗର ଉପାଧ୍ୟକ୍ଷ ସୁବ୍ରତ କୁମାର କବି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର