ଭୁବନେଶ୍ବର: ଓଡ଼ିଆ ସିନେମାର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଅଭିନୟର ଯାଦୁରେ ଓଡ଼ିଶାର ପୁରପଲ୍ଲୀରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। କିନ୍ତୁ ପ୍ରାୟ ଦୁଇବର୍ଷ ହେବ ସେ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି। ମୁଖ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ବାର୍ତ୍ତା ଏବେ ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି। ପ୍ରାୟ ୯୦ ମିନିଟ୍ର ସେହି ଭିଡ଼ିଓରେ ପ୍ରଥମେ ‘ଜୟ ଜଗନ୍ନାଥ’ କହି ମାଦକ ଦ୍ରବ୍ୟ ଓ ତମାଖୁ ସେବନ ନକରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘‘ଜଣେ ଭାଇ, ସାଙ୍ଗ ଓ ମଣିଷ ହିସାବରେ ଗୋଟେ ଅନୁରୋଧ କରିବି। ମୋ’ ଅନୁରୋଧ ରକ୍ଷା କରିବେ। ମାଦକ ଦ୍ରବ୍ୟ ଓ ତମାଖୁ ଖାଆନ୍ତୁନି।
ସିଗାରେଟ୍ ଟାଣନ୍ତୁନି। କାରଣ ମୁଁ... କ’ଣ ଆଉ କହିବି? ମୁଁ ନିଜେ ଭୋଗିଛି, କଷ୍ଟ ପାଉଛି। ଅନ୍ୟ କାହାକୁ କଷ୍ଟ ପାଇବାର ଦେଖି ପାରିବିନି। ଦୁଇବର୍ଷ ହୋଇଗଲା ବହୁତ କଷ୍ଟ ପାଉଛି। ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ଯେଉଁମାନେ ତମାଖୁ, ସିଗାରେଟ୍, ମାଦକଦ୍ରବ୍ୟ ଖାଉଛନ୍ତି, ତୁରନ୍ତ ଛାଡ଼ି ଦିଅନ୍ତୁ। ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ। ଆଶା କରୁଛି, ମୋ ଅନୁରୋଧ ସମସ୍ତେ ରଖିବେ।’’। ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର ଏହି ନିବେଦନକୁ ଦେଖି ପ୍ରଶଂସକମାନେ ମଧ୍ୟ ଭାବବିହ୍ବଳ ହୋଇ ପଡ଼ିଛନ୍ତି। ତାଙ୍କର ସୁସ୍ବାସ୍ଥ୍ୟ କାମନା କରି ଅନେକ ଶୁଭେଚ୍ଛୁ ବାର୍ତ୍ତା ଦେଇଛନ୍ତି।