ନବୀକରଣ ଆଳରେ ଏକ‌ାମ୍ର ହାଟର ମୌଳିକତା ନଷ୍ଟ କରା ନଯା‌ଉ, ଏକାମ୍ର ହାଟ ବିକାଶ ମଞ୍ଚର ଦାବି

ଗାଁ ପରିବେଶ, ସବୁଜିମା ଅକ୍ଷତ ରହୁ

ଭୁବନେଶ୍ୱର: ଏକାମ୍ର ହାଟକୁ ନବୀକରଣ କରିବାକୁ ରାଜ୍ୟ ସରକାର ଯୋଜନ‌ା କରୁଛନ୍ତି। ଏଥିପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯିବା ସହ ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ଏହି ନବୀକରଣ ଆଳରେ ଯେପରି ହାଟର ସବୁଜିମା, ଗାଉଁଲି ପରିବେଶ ଓ ଖୋଲା ଜାଗା ନଷ୍ଟ କରି ନ ଦିଆଯାଏ, ସେଥିପ୍ରତି ସରକାର ସମ୍ପୂର୍ଣ୍ଣ ଯତ୍ନବାନ୍‌ ହେବାକୁ ଦାବି ଉଠିଛି। ଆ‌ଜି ଅପରାହ୍‌ଣ‌‌‌ରେ ଏକାମ୍ର ହାଟ ପରିସରରେ ଏକାମ୍ର ହାଟ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ବନ ମହାନ୍ତି କହିଛନ୍ତି, ଇଡ୍‌କୋଠାରୁ ରାଜ୍ୟ ସରକାରଙ୍କର ହସ୍ତଶିଳ୍ପ ବିଭାଗ ଏହାର ପରିଚାଳନା ଦାୟିତ୍ୱ ନେବା ପରେ ଘାସକୁଦ, ବୃକ୍ଷଲତା ଓ ପୁଷ୍କରିଣୀ ଆଦିକୁ ଭାଙ୍ଗି ଅଧିକ ଦୋକାନ ନିର୍ମାଣ ସହ ପ୍ରବେଶ ପାଇଁ କଟକଣା କରିବାର ପ୍ରସ୍ତୁତି ଚଲାଇଛନ୍ତି। କିନ୍ତୁ ହାଟ ମଧ୍ୟରେ ଅଧିକ ଦୋକାନ ଘର ନିର୍ମାଣ କରି ଏହାକୁ ସଂକୀର୍ଣ୍ଣ କରିବା ସହ ହାଟର ପ୍ରାକୃତିକ ପରିବେଶକୁ ନଷ୍ଟ କରି ନ ଦିଆଯାଉ। ଶ୍ରୀ ମହାନ୍ତି କହିଛନ୍ତି, ଘାସ ଗାଲିଚାକୁ ତାଡ଼ି ସେ ସ୍ଥାନରେ ମଧ୍ୟ ଅସ୍ଥାୟୀ ଦୋକାନ ପିଣ୍ଡି ନିର୍ମାଣ ପାଇଁ ଯୋଜନା ହେଉଥିବା ଖବର ମିଳୁଛି। ଏହାସହ ପ୍ରବେଶ ଶୁଳ୍କ ଲଗାଇ ସାଧାରଣ ଲୋକଙ୍କୁ ପ୍ରବେଶ ପାଇଁ ବାଧା ଦେବାର ଯୋଜନା ମଧ୍ୟ ହୋଇଛି।

ଏକାମ୍ର ହାଟର ସୌନ୍ଦର୍ଯ୍ୟ ରକ୍ଷା ଓ ବିକାଶ ପାଇଁ କିଛି ଏକାମ୍ର ହାଟପ୍ରେମୀ ‘ଏକାମ୍ର ହାଟ ବିକାଶ ମଞ୍ଚ’ ଗଠନ ସହ ଏହାର ରକ୍ଷା ପାଇଁ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ଶ୍ରୀ ମହାନ୍ତିଙ୍କ ସମେତ ଯୁଗ୍ମ ଆବାହକ ଦେବପ୍ରସାଦ ପରିଜା ଓ ଶିଳ୍ପୀ ଚିନ୍ତାମଣି ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି ଏ ସଂପର୍କରେ ସୂଚନା ଦେଇଥିଲେ। ଆଗକୁ ଆନ୍ଦୋଳନର ରୂପରେଖ ନିର୍ଣ୍ଣୟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

ସମ୍ବନ୍ଧିତ ଖବର