ଖଣ୍ଡଗିରି: ‘ଦୋଳେ ଚ ଦୋଳଗୋବିନ୍ଦମ୍, ଚାପେ ଚ ମଧୁସୂଦନମ୍। ରଥେ ତୁ ବାମନମ୍ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ।’ ବିଶ୍ବାସ ରହିଛି ଦୋଳବିମାନରେ ରାଧାଗୋବିନ୍ଦଙ୍କୁ ଦର୍ଶନ କଲେ, ମୋକ୍ଷପ୍ରାପ୍ତି ହୋଇଥାଏ। ତେଣୁ ଫାଲ୍ଗୁନ ମାସ ଫଗୁ ଦଶମୀଠାରୁ ପ୍ରଭୁ ଗୋବିନ୍ଦଙ୍କୁ ଅବିର ଲାଗି କରିବା ଓ ଦୁଆରେ ଦୁଆରେ ଚାଚେରି ଭୋଗ ବାଢ଼ିବା ବିଧି ବହୁ କାଳରୁ ପ୍ରଚଳିତ ହୋଇଆସିଛି। ଏହି ଅବସରରେ ଫଗୁ ଦଶମୀରୁ ଫାଲ୍ଗନ ପୂର୍ଣ୍ଣିମା ଓ ହୋଲି ପରଦିନ ପର୍ଯ୍ୟନ୍ତ ଗାଁ ଗାଁରେ ହରିହର ଭେଟ ବିଧି ମଧ୍ୟ ପାଳିତ ହୋଇଆସୁଛି। ପଞ୍ଚୁ ଦୋଳମେଳଣ ନାଁରେ ଖ୍ୟାତ ଏହି ଉତ୍ସବରେ ବିଭିନ୍ନ ଗାଁର ଆରାଧ୍ୟ ଦେବତାମାନେ ଦୋଳବିମାନରେ ଆସି ଗାଁ ମେଳଣପଡ଼ିଆରେ ଏକାଠି ହୋଇ ଅବିର ଲାଗି ହୋଇଥାଆନ୍ତି। ତେଣୁ ବିଏମ୍ସି ୨୨ ନମ୍ବର ୱାର୍ଡର ଶ୍ୟାମପୁରରେ ପାଳିତ ହୋଇଯାଇଛି ପଞ୍ଚୁ ଦୋଳ ପର୍ବ। ଆଜି ଥିଲା ଏହି ଉତ୍ସବର ଉଦ୍ଯାପନୀ କାର୍ଯ୍ୟକ୍ରମ। ହରିହର ଭେଟ ବେଳେ ମେଳଣପଡ଼ିଆ ଆକାଶରେ ଅବିର ଇନ୍ଦ୍ରଧନୁ ସୃଷ୍ଟି ହୋଇଥିଲା। କ୍ବିଣ୍ଟାଲ କ୍ବିଣ୍ଟାଲ ଫଗୁ ଉଡ଼ିଥିଲା। ଥାନପତି ସିଦ୍ଧେଶ୍ବର ମହାଦେବଙ୍କ ଆମନ୍ତ୍ରଣକ୍ରମେ ଆଖପାଖ ୨୩ ଗାଁରୁ ଚଳନ୍ତି ପ୍ରତିମାମାନେ ଅତିଥି ଠାକୁର ଭାବେ ସାମିଲ ହେଇଥିଲେ। ଆଇଗିଣିଆ, ସରକନ୍ତରା, ପୋଖରୀପୁଟ, ଗଣ୍ଡମୁଣ୍ତା, ବରମୁଣ୍ଡା, ଘାଟିକିଆ, କୋଳଥିଆ, ଡୁମୁଡୁମା, ପାଇକରାପୁର, ଜାଗସରାପାଟଣା, ନଁପୁଟ, ତମାଣ୍ଡୋ ଆଦି ଗାଁର ଠାକୁରମାନେ ସୁସଜ୍ଜିତ ଦୋଳବିମାନରେ ଶ୍ୟାମପୁର ଆସିଥିଲେ। ଆଜି ଉଦ୍ଯାପନୀ ଦିବସରେ ମେଳଣପଡ଼ିଆରେ ଅତିଥି ଠାକୁରମାନଙ୍କୁ ଭୋଗହାଣ୍ଡି ବଢ଼ାଯିବା ପରେ ହରିହର ଭେଟ ପର୍ବ ଅନୁଷ୍ଠିତ ହୋଇଥିଲା। ଠାକୁରମାନଙ୍କ ମିଳନ ସହିତ ସମାନ୍ତରାଳ ଭାବେ ଚାଲିଥିଲା ଫଗୁ ଖେଳ। ଅବିର ଖେଳ ଓ ଲଉଡି ଖେଳରେ ଗାଁ ଲୋକେ ମାତିଯାଇଥିଲେ। ମହିଳା ଓ ଯୁବତୀମାନେ ମଧ୍ୟ ବିମାନରେ ଠାକୁରଙ୍କୁ ଅବିର ଲାଗି କରିବା ପରେ ନିଜ ନିଜ ଭିତରେ ଫଗୁ ବୋଳାବୋଳି ହୋଇଥିଲେ। ସୂଚନାଯୋଗ୍ୟ ଯେ ଶ୍ୟାମପୁରରୁ ମେଲାଣି ନେବା ପରେ ଠାକୁରମାନେ ଜାଗସରାପାଟଣା ଗାଁ ମେଳଣରେ ଅତିଥି ହୋଇଛନ୍ତି।
ବାଜା, ବାଣ, ରୋଶଣିରେ ଦୁଲୁକିଲା ଦୋପଟି ମେଳଣ
/sambad/media/post_attachments/wp-content/uploads/2024/03/gjggg.jpg)
ବାଲିପାଟଣା: ପ୍ରାଚୀନ ଦୋପଟି ମେଳଣର ଜମାଣ ଓ ଦିଅଁ ମେଳଣ ପର୍ବ ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଜମାଣ ଓ ମେଳଣ କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟ ସାଙ୍ଗକୁ ମୃଦଙ୍ଗ, ଝାଞ୍ଜ, ଘଣ୍ଟ, ଘଣ୍ଟା ଓ ଶଙ୍ଖ ନାଦ ମେଳଣପଡ଼ିଆକୁ ଦୁଲୁକାଇଥିଲା। ଦିନ ସାରା ଲୋକେ ବିମାନରେ ଥିବା ରାଧାଗୋବିନ୍ଦ ଓ ଚନ୍ଦ୍ରଶେଖରଙ୍କ ଚଳନ୍ତି ବିଗ୍ରହଙ୍କୁ ଅବିର ଲାଗି କରିଥିଲେ ଏବଂ ସନ୍ଧ୍ୟାରେ ହରିହର ଭେଟ ଦର୍ଶନ କରି ଫେରିଥିଲେ। ଗତକାଲି ରାତିରୁ ଏହି ମେଳଣର ଜମାଣ ପର୍ବ ଆରମ୍ଭ ହୋଇଥିଲା। ସମ୍ବଲପୁରୀ ବାଜା, ପଞ୍ଜାବୀ ବାଜା, ତେଲିଙ୍ଗୀ ବାଜା ଗାଁ ଦାଣ୍ଡ ଦୁଲୁକାଇଥିଲା। ସାଙ୍ଗକୁ କଳଘୋଡ଼ା ନାଚ, ଚଇତି ଘୋଡ଼ା ନାଚ, ନାଗା ନାଚ, ପାଇକଆଖଡ଼ା ଖେଳ, ବୁଢ଼ା-ବୁଢ଼ୀ ନାଚ, ଷଣ୍ଢ ଲଢ଼େଇ ନାଚ ବେଶ୍ ଆକର୍ଷଣୀୟ ହୋଇଥିଲା। ଆଖପାଖ ଅଞ୍ଚଳରୁ ୨୦ଟି ସୁସଜ୍ଜିତ ବିମାନରେ ଚଳନ୍ତି ପ୍ରତିମାମାନେ ମେଳଣପଡ଼ିଆକୁ ଆସିଥିଲେ। ସକାଳୁ ସକାଳୁ ଦୋଳବିମାନ ସବୁ ମେଳଣପଡ଼ିଆ ପିଣ୍ଡିରେ ପହଞ୍ଚିଥିଲେ। ମେଳଣର ଥାନପତି ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀବୁଦ୍ଧନାଥ ଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ପ୍ରଥମେ ମେଳଣପଡ଼ିଆରେ ପ୍ରବେଶ କରିବା ପରେ ଅନ୍ୟ ଠାକୁରମାନେ ପିଣ୍ଡିରେ ବସିଥିଲେ। ଶିଶୁମଠ ଗ୍ରାମର ମଦନମୋହନ ଦେବ, ବାଲିପାଟଣାର ରାଧାମୋହନ ଦେବ, ସରାଟ ମୌଜାର ନୀଳକଣ୍ଠେଶ୍ୱର ମହାଦେବ ଏବଂ ଗୋପୀନାଥ ଦେବ, ସଠିଲୋର ଚମ୍ପେଶ୍ୱର ମହାଦେବ, ଚଣାହଟ୍ଟାର ରାଧାଗୋବିନ୍ଦ, କୁଳନ୍ତିରା ଶାସନ, ଗିରିଙ୍ଗ, ବ୍ରାହ୍ମଣଷଡ଼ଙ୍ଗୀ, ଓ ତରଡ଼ପଡାର ଗୋପୀନାଥ ଦେବ, ବାରିଲୋ ଗ୍ରାମର ରାଧାମାଧବ ଦେବ, ଫକୀରପଡାର ରାଧାମୋହନ ଦେବ, କାକରୁଦ୍ରପୁରର ପତିତପାବନ ଦେବ, ସାହେବନଗର ହରିଦାସ ଦେବ, ଗଣ୍ଡିଲୋ ଜଟେଶ୍ୱର ମହାଦେବଙ୍କ ସୁସଜ୍ଜିତ ବିମାନ ମେଳଣର ଆକର୍ଷଣ ପାଲଟିଥିଲେ। ସୂଚନାଯୋଗ୍ୟ ଯେ ୧୮୬୫ ମସିହାର ବାଲିପାଟଣା ଥାନାର ତତ୍କକାଳୀନ ଇଂରେଜ ଦାରୋଗା ବା ଡେପୁଟି ସାହେବ ଏହି ମେଳଣ ଆରମ୍ଭ କରିଥିଲେ। ତେଣୁ ଏହାକୁ ଡେପୁଟି ମେଳଣ ବୋଲି କୁହାଯାଉଥିଲା। କିନ୍ତୁ କାଳକ୍ରମେ ଏହା ଅପଭ୍ରଂଶ ହୋଇ ଦୋପଟି ମେଳଣ ବୋଲି ପରିଚିତି ଲାଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/dgjjdggjyy.jpg)