୨୪ ଘଣ୍ଟିଆ ନିଃଶୁଳ୍କ ପରାମର୍ଶ ଦେଉଛନ୍ତି ଡାକ୍ତର ଆଶୁତୋଷ, ଇନ୍ଦ୍ରମଣି

ଭୁବନେଶ୍ବର: ମହାମାରୀ କରୋନା ସମଗ୍ର ବିଶ୍ବବାସୀଙ୍କ ନିଦ ହଜେଇ ଦେଇଛି। ଚାରିଆଡ଼େ ଏବେ ଲକ୍‌-ଡାଉନ। ମଣିଷ ଏକରକମ ଗୃହବନ୍ଦୀ ହୋଇଯାଇଛି। ମାତ୍ର ଏବେ ବି ଅନେକ ଏହାକୁ ହାଲୁକା ଭାବେ ନେଉଛନ୍ତି। ମଣିଷ ନିଜକୁ ଅବହେଳା କଲେ ଯେ ଏକ ଭୟାବହ ପରିସ୍ଥିତିକୁ ସାମ୍ନା କରିବ, ଏଥିରେ ସନ୍ଦେହ ନାହିଁ। ତେଣେ ଏବେ ବି ଲୋକଙ୍କ ମନରେ କରୋନାକୁ ନେଇ ଅନେକ ପ୍ରଶ୍ନ। ଏନେଇ ସରକାରୀସ୍ତରରେ ହେଲପଲାଇନ ନମ୍ବରର ବ୍ୟବସ୍ଥା କରାଯାଇଛି। ମାତ୍ର ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଦୁଇଜଣ ଡାକ୍ତର ସ୍ବତଃ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆଗେଇ ଆସିଛନ୍ତି। ୨୪ଘଣ୍ଟା ନିଃଶୁଳ୍କ ପରାମର୍ଶ ଦେଇ ଲୋକଙ୍କ ମନରୁ ସଂଶୟ ଦୂର କରିବା ସହ କିଭଳି ଏହି ସଂକ୍ରମଣରୁ ନିଜକୁ ଦୂରେଇ ରଖି ହେବ ସେ ସମ୍ପର୍କରେ ଟିକିନିଖି ବୁଝାଉଛନ୍ତି। ସୋସିଆଲ ମିଡିଆ ଜରିଆରେ ଦୁହେଁ ନିଜ ମୋବାଇଲ ନମ୍ବର ଦେଇ ରାତି ଦିନ ଏଭଳି ସେବା ପ୍ରଦାନ କରୁଛନ୍ତି।

ଆମ୍ରି ହସ୍ପିଟାଲରେ ଲିଭର୍‌ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଡାକ୍ତର ଆଶୁତୋଷ ମହାପାତ୍ର ଏ ଦିଗରେ ପ୍ରଥମ ପଦକ୍ଷେପସ୍ବରୂପ ସ୍ବତଃ ଲୋକଙ୍କୁ କରୋନା ସମ୍ପର୍କିତ ପରାମର୍ଶ ଦେବାକୁ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ। ଗତ ଶନିବାର ସନ୍ଧ୍ୟାଠୁ ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେବା ପରେ ତାଙ୍କ ପାଖକୁ ୩ ଦିନ ମଧ୍ୟରେ ୪ଶହ ପାଖାପାଖି କଲ୍‌ ଆସିଲାଣି। ଏପରିକି ରାତି ୩ଟା ପର୍ଯ୍ୟନ୍ତ ସେ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାଙ୍କ କହିବା ମୁତାବକ, ଏହା ଏକ ସଙ୍କଟ ସମୟ। ଏ ସମୟରେ ସମାଜ ପାଇଁ ଯୋଗଦାନର ଆବଶ୍ୟକତା ଅଧିକ। ସେହି ଦୃଷ୍ଟିରୁ ଜଣେ ଡାକ୍ତର ଭାବେ ସାଧାରଣ ଲୋକଙ୍କ ମନରେ କରୋନା ସମ୍ପର୍କିତ ସମସ୍ତ ସନ୍ଦେହ ମୋଚନ କରିବା ଉଦ୍ଦେଶ୍ୟରେ ମୁଁ ଏପରି ପଦକ୍ଷେପ ନେଇଛି। ତେବେ କେବଳ ମୁଁ ନୁହେଁ, ଅନ୍ୟ ଡାକ୍ତରମାନେ ମଧ୍ୟ ନିଜ ବୃତ୍ତିଗତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଲୋକମାନଙ୍କୁ ଏ ସମୟରେ ଉଚିତ ପରାମର୍ଶ ଦେବାକୁ ଆଗେଇ ଆସନ୍ତୁ। ୧୪ ଦିନ ପାଇଁ ସେ ନିଜର ଦୁଇଟି ମୋବାଇଲ ନମ୍ବର (ଯୋଗାଯୋଗ ପାଇଁ ୮୦୯୩୦୬୦୧୨୫) ଏବଂ (ହ୍ବାଟ୍‌ସଆପରେ ମେସେଜ ପାଇଁ ୯୪୩୯୫୫୪୭୪୭) ଦେଇଛନ୍ତି। ଏହି ନମ୍ବରରେ କରୋନା ସମ୍ପର୍କିତ ଯେକୌଣସି ସନ୍ଦେହ କିମ୍ବା ପ୍ରଶ୍ନ ଥିଲେ, ସେମାନେ ମତେ ଯୋଗାଯୋଗ କରିପାରିବେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଏବେ ସବୁଆଡ଼େ ଓଡ଼ିଶା ମଧ୍ୟକୁ ବାଟ ବନ୍ଦ ହୋଇଯାଇଥିବାରୁ ଆମେ ଯଦି ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଜାରି କରାଯାଇଥିବା ନିୟମ ମାନି ଏହି ୧୪ଦିନ କିମ୍ବା ଅନ୍ତତଃ ୨୦ଦିନ ଘରେ ରହିଯିବା, ତେବେ ଓଡ଼ିଶା କରୋନାରୁ ବର୍ତିଯିବ। କାରଣ ଆମେ ରାସ୍ତାଘାଟକୁ ବାହାରିଲେ ଯଦି କେହି ବି ସଂକ୍ରମିତ ବ୍ୟକ୍ତି ସେଇ ସ୍ଥାନ ଦେଇ ଯାଇଥିବ କିମ୍ବା ସେଇ ସ୍ଥାନରେ ଛିଙ୍କିଥିବ, ତେବେ ସେ ସ୍ଥାନ ସ୍ପର୍ଶ ମାତ୍ରେ ତାହା ଆମକୁ ସଂକ୍ରମଣ କରି ବିପଦରେ ପକାଇବ। ତେଣୁ ମୂଳୁ ମାଇଲେ ଯିବ ସରି… ନ୍ୟାୟ‌ରେ ଆମେ ସାବଧାନ ହେବା ଜରୁରି। ଏଥିସହ‌ ସେମାନେ କେଉଁ ବିଷୟ ପ୍ରତି ଗୁରୁତ୍ବ ଦେବେ‌, ସେ ବିଷୟରେ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ଏହି ଧାରାରେ ଯୋଡ଼ି ହୋଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରମଣି ଜେନା। ସେ ବି ଫେସବୁକ୍‌ ଆକାଉଣ୍ଟ ଜରିଆରେ ନିଜର ଯୋଗାଯୋଗ ନମ୍ବର ଦେବା ସହ କରୋନା ସମ୍ପର୍କିତ ନିଃଶୁଳ୍କ ପରାମର୍ଶ ସେବା ଦେବାକୁ ଆଗେଇ ଆସିଛନ୍ତି। ଡାକ୍ତର ଜେନା କହିଛନ୍ତି ଯେ ଘରେ ୧୪ଦିନ ସୁସ୍ଥ ଜୀବନଯାପନ କରି କରୋନା ସହ ଲଢ଼ିବା ନା ଆଇସିୟୁ‌ରେ କରୋନାର ଯନ୍ତ୍ରଣାରେ ଛଟପଟ ହୋଇ ସମୟ ବିତାଇବ, ଲୋକମାନଙ୍କ ଉପରେ ନିର୍ଭର କରେ। କରୋନା ଏକ ହେଭି-ଭାଇରସ୍‌ ହୋଇଥିବାରୁ ସେ ସବୁବେ‌ଳେ ଭୂପୃଷ୍ଠ ଆଡ଼କୁ ଆକର୍ଷିତ ‌ହୁଏ। ମାତ୍ର ଆମ ଜୀବନଶୈଳୀ ଏବେ ଏମିତି ହୋଇଯାଇଛି ଯେ ଟିକେ ଅସାବଧାନତା ଆମକୁ କରୋନା ଆକ୍ରାନ୍ତ କରାଇପାରେ। ବାସ୍ତବରେ ଯେଉଁ ସ୍ଥାନକୁ କିମ୍ବା ସ୍ଥାନରୁ ଲୋକେ ବେଶି ଦେଶ ବାହାରକୁ ଯାଉଛନ୍ତି, ସେଇ ସ୍ଥାନରେ ହିଁ କରୋନା ଆକ୍ରାନ୍ତ ଦେଖିବାକୁ ମିଳୁଛନ୍ତି। ପୁଣି ଯେତିକି ବି ‌କରୋନା ପଜିଟିଭି ବାହାରୁଛନ୍ତି, ସେମାନଙ୍କ ମଧ୍ୟରେ ମୃତକଙ୍କ ସଂଖ୍ୟା ମାତ୍ର ୨ପ୍ରତିଶତ। ଏହା କେବଳ ସଚେତନତା ଯୋଗୁଁ ନିୟନ୍ତ୍ରଣରେ ରହିପାରିଛି। ବାସ୍ତବରେ ଯେଉଁ ବୟସ୍କ ଲୋକମାନେ ନିମୋନିଆରେ ବାରମ୍ବାର ଆକ୍ରାନ୍ତ ସେମାନେ ଯଥେଷ୍ଟ ସାବଧାନ ରହିବା ଆବଶ୍ୟକ। ସେ ନିଜ ମୋବାଇଲ ନମ୍ବର ୯୪୩୮୦୦୭୫୦୯ ଯୋଗେ ଲୋକଙ୍କର କରୋନା ସମ୍ପର୍କିତ ନିଃଶୁଳ୍କ ପରାମର୍ଶ ଯୋଗାଇ ଦେଉଛନ୍ତି।

ସମ୍ବନ୍ଧିତ ଖବର